କଣ୍ଟାବାଞ୍ଜି, (କେପିଏନ୍ଏସ୍) : ହିଆଲ କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଷୋହଳଗୋଟି ବିଦ୍ୟାଳୟରେ ପାଞ୍ଚବର୍ଷ ଓ ଛଅବର୍ଷର ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ସହିତ ଖଡିଛୁଆଁ କରିଥିଲେ । ଅତିରିକ୍ତ ଶିକ୍ଷା ଅଧିକାରୀ ଜଗବନ୍ଧୁ ମାଝୀ ଓ ଶ୍ରୀ ଦାଶ ଅତିଥି ଭାବରେ ମାଲପାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମରକାନ୍ତ ବେହେରା ଶିଶୁଙ୍କୁ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବା ପାଇଁ ବିଦ୍ୟାଳୟକୁ ଅତି ସୁନ୍ଦର ଭାବରେ ସଜେଇ ଥିଲେ । ରଙ୍ଗ ପସରା, ଗପ ଘର, ଖେଳନା ଆଦି ରଖିଥିଲେ । ସଚେତନତା ସଭାପରେ କୁନି କୁନି ଶିଶୁଙ୍କୁ ଫୁଲଚନ୍ଦନ ଦେବା ପରେ ସିଲଟରେ ଖଡିଛୁଆଁ କାର୍ଯ୍ୟକ୍ରମ କରାଯାଇଥିଲା । ତାପରେ ସେମାନଙ୍କୁ ସିଲଟ, ଖଡି, ବର୍ଣ୍ଣବୋଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ରାମ ପ୍ରସାଦ ବାଗ, ଶିକ୍ଷା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ । ସେହିପରି ମୁଣ୍ଡାପଡା ପ୍ରାଥମିକ ବିଦ୍ୟାଳୟ ଓ ଧୁଷାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଖଡିଛୁଆଁ ଉତ୍ସବ ପାଳିତ ହୋଇଥିଲା । ଶିକ୍ଷକ ବିଜୟ ତାଣ୍ଡୀ, ମାୟାଧର ସଗ୍ରିଆ, ବିବେକ ରାୟ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
Next Post