ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ତଥା ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ଏକ ଇଣ୍ଡକସନ ତଥା ସ୍ୱଚ୍ଛତା ହିଁ ସେବାକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅଧ୍ୟକ୍ଷ ଲୋହିତ କୁମାର ବାରିକ ଅଧ୍ୟକ୍ଷତା କରିବା ସହିତ ସ୍ୱଚ୍ଛତା ହେଉଛି ଏକ ସେବା, ଯାହା ସମସ୍ତ ଛାତ୍ରଛାତ୍ରୀ ଉପଲବ୍ଧି କରିବା ସହିତ ଜନସେବା ଭଲି ମହତ୍ କାର୍ଯ୍ୟରେ ଜଡିତ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିଥିଲେ । ଯୁବ ରେଡକ୍ରସ ସଂଯୋଜିକା ପୁଷ୍ପମଞ୍ଜରୀ ପ୍ରଧାନ ଯୁବ ରେଡକ୍ରସର ସଦସ୍ୟତା ଗ୍ରହଣ ପୂର୍ବକ ପ୍ରତି କାର୍ଯ୍ୟକ୍ରମରେ ଜଡିତ ରହିବା ପାଇଁ କହିଥିଲେ । ଏନ୍.ଏସ୍.ଏସ୍. ପୋଗ୍ରାମ ଅଫିସର ଅଙ୍କିତ କୁମାର ଦାସ ମହାବିଦ୍ୟାଳୟର ଜାତୀୟ ସେବାରେ ଜଡିତ ହେବା ପାଇଁ ଉଦ୍ବୋଧନ ଦେଇଥିଲେ । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଏନ୍.ଏସ୍.ଏସ୍. ତଥା ଯୁବ ରେଡକ୍ରସ ମାଧ୍ୟମରେ ପୂର୍ବରୁ ମହାବିଦ୍ୟାଳୟରେ ହୋଇଥିବା ବିଭିନ୍ନ ଶିବିରର ସଫଳତା ଏବଂ ଏହି ଧାରା କିପରି ଆଗକୁ ମଧ୍ୟ ଜାରି ରହିବ ସେ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚାଇଥିଲେ । ଯୁବ ରେଡକ୍ରସ ସହ-ସଂଯୋଜକ ଦେବାଶିଷ ଭାଇନା ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଝରଣା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାକୁ ସଫଳ କରିବାରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସହଯୋଗ କରିଥିଲେ ।