ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ଅତି ଆଡମ୍ବର ଓ ହର୍ଷ ଉଲ୍ଲାସ ସହ ପାଳିତ ହୋଇଯାଇଛି । ସ୍ଵାଧୀନତା ଦିବସ-୨୦୨୫ ଅବସରରେ ବଲାଙ୍ଗିର ସହରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ପ୍ରାତଃ ୦୪.୩୦ମି ସମୟ ରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୁନ ପରିବେଷଣ ହୋଇଥିଲା । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସକାଳ ୦୭.୩୦ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ-୨୦୨୫ ସ୍ଥାନୀୟ ମନୋହରପୁରର ରିଜର୍ଭ ପୋଲିସ ପଡିଆଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ମନ୍ତ୍ରୀ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ରବି ନାରାୟଣ ନାଏକ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳୀତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ପ୍ୟାରେଡରେ ମୋଟ ୩୮ ଗୋଟି ପ୍ଲାଟୁନ ସହ ପୁଲିସ ବ୍ୟାଣ୍ଡ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାର ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା, ସେହିପରି ଭାବେ ସହିଦ ମାନଙ୍କର ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରେଡକ୍ରସ, ସିଭିଲିଆନ, ସ୍କାଉଟ, ଗାଇଡ, ଏନ.ସି.ସି.ଦଳ, ଶ୍ରେଷ୍ଠ ଏନ.ସି.ସି. ଟର୍ନଆଉଟଙ୍କୁ ମୁଖ୍ୟ ଅତିଥିଙ୍କଠାରୁ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରଯାଇଥିଲା । ଜାତୀୟସ୍ତରରେ ପଦକ ହାସଲ କରିଥିବା କ୍ରିଡାବିତ ମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ବିତରଣ କାର୍ଯ୍ୟକ୍ରମ ପରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟଲ ତଥା ଜିଲ୍ଲା କାରାଗାରରେ ମୁଖ୍ୟ ଅତିଥି ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଠାନ ବଣ୍ଟନ କରିଥିଲେ । ଗୁଡବେଲା ବ୍ଲକର ଦେଉଳଗୁଡି ଗ୍ରାମ ପଞ୍ଚାୟତକୁ ପୁଷ୍ଟି ପଞ୍ଚାୟତ ଭାବେ ପଚାଶ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା । ଅପରାହ୍ନରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଏକ ବନ୍ଧୁତ୍ଵ ପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଲୋକ ସଭା ସାଂସଦ ସଂଗୀତା କୁମାରୀ ସିଂହ ଦେଓ, ଅଧ୍ୟକ୍ଷା, ଜିଲ୍ଲାପରିଷଦ ଦେବକୀ ସାହୁ, ଜିଲ୍ଲାପାଳ, ଗୌରୱ ଶିୱାଜି ଇଶଲୱାର, ପୋଲିସ ଅଧିକ୍ଷକ ଅବିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡା. ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା, ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ତରୁଣୀ ସୁନା, ଉପଜିଲ୍ଲାପାଳ, ବଲାଙ୍ଗିର ଆଲୋକ ପଟେଲ ତଥା ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ, ବିଶିଷ୍ଠ ବ୍ୟକ୍ତିବିଶେଷ ,ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ, ଅଭିବାବକ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।