ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ସ୍ଥିତ ୨୭ ନମ୍ବର ଜାତୀୟ ରାଜପଥ ନିକଟବର୍ତ୍ତୀ ବାଲାଜୀ କଲେଜରେ ୭୯ତମ ସ୍ୱାଧୀନତା ଦିବସ ବିଶେଷ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଇନମନ୍ତ୍ରୀ ତଥା ବଲାଙ୍ଗିରର ପୂର୍ବତନ ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଫେସର ମଧୁସୁଦନ ପତି ଉପସ୍ଥିତ ଥିଲେ । ଏହା ସହିତ କଲେଜର ପରିଚାଳନା ନିର୍ଦ୍ଦେଶକ କୈଳାସ ଅଗ୍ରୱାଲ, ନିର୍ଦ୍ଦେଶିକା ଅଭିଳାଷ ଅଗ୍ରୱାଲ, ବିସ୍ ଅଧ୍ୟକ୍ଷ ସଂଜୟ ମିଶ୍ର ଏବଂ ନର୍ସିଂ ବିଭାଗର ମୁଖ୍ୟ ଦେବାଶିଷ ପାଣ୍ଡିଆ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କଲେଜର ନିର୍ଦ୍ଦେଶକକ ଅଭିଳାଷ ଅଗ୍ରୱାଲ ଅତିଥିମାନଙ୍କର ସମ୍ମାନଜନକ ପରିଚୟ ପ୍ରଦାନ କରିଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀମାନଙ୍କୁ ଉତ୍ତମ ନାଗରିକ ହେବା ସହିତ ସମାଜସେବୀ ଓ ଦେଶ ପ୍ରତି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ । ଏହି ଉତ୍ସବରେ ଦ କ୍ୱିନ୍ ଇଣ୍ଟରନେସନାଲ ସ୍କୁଲ, ବାଲାଜୀ କଲେଜ ଅଫ୍ ନର୍ସିଂ ଏବଂ ବାଲାଜୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ର ଛାତ୍ର ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅତିଥିମାନଙ୍କ ହାତରେ ପୁରସ୍କୃତ ହୋଇଥିଲେ । ପୁରସ୍କାର ବିତରଣ ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ଉପସ୍ଥିତ ସମସ୍ତଙ୍କ ମନ ଜିଣିଥିଲା । କାର୍ଯ୍ୟକ୍ରମର ଶେଷରେ ନର୍ସିଂ ବିଭାଗର ମୁଖ୍ୟ ଦବୋଶିଷ ପାଣ୍ଡିଆ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ ।

Next Post