ଶିକ୍ଷା ସପ୍ତାହ ଉପଲକ୍ଷେ ଜୀବନ ଲକ୍ଷ୍ୟ ପାଇଁ ସବୁଜବାହିନୀ ଦିବସ ପାଳନ

ଏସ୍‌. ରାମପୁର, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ଉପଲକ୍ଷେ ଜୀବନ ଲକ୍ଷ୍ୟ ପାଇଁ ସବୁଜବାହିନୀ ଦିବସ ପାଳିତ ହୋଇଯାଇଛି । ଗଛ ଲଗାଇବାକୁ ପ୍ରୋତ୍ସାହନ ଦେବା ଓ ପରିବେଶ ସହିତ ଶିକ୍ଷାକୁ ଯୋଡିବା ଉଦ୍ଦେଶ୍ୟରେ ପାଳିତ ଏହି କାର୍ଯ୍ୟକ୍ରମରେ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଜାତୀୟ ଶିକ୍ଷା ନୀତିର ଚତୁର୍ଥ ବର୍ଷ ପାଳନ ଅବସରରେ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମର ଷଷ୍ଠ ଦିବସ ଅବସରରେ ଆହୁରି ଅଧିକ ଜ୍ଞାନ ଆହରଣର ଶିକ୍ଷା ଲାଭ କରିବାକୁ ପରିବେଶ ପର୍ଯ୍ୟବେକ୍ଷଣ, ପରିବେଶ ଭିତ୍ତିକ ଶିକ୍ଷଣ, ପରିବେଶ ଭିତ୍ତିକ ଶିକ୍ଷଣ କାର୍ଯ୍ୟ ଆୟୋଜିତ ହୋଇଥିଲା । ପରିବେଶ ମାଧ୍ୟମରେ କେମିତି ଶିକ୍ଷା ଲାଭ କରାଯାଇ ପାରିବ ସେହି କୌଶଳ ଗୁଡିକ ବିଷୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅବଗତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ନେଇ ଜୀବନ ଲକ୍ଷ୍ୟ ପାଇଁ ସବୁଜବାହିନୀ ଗଠନ କରାଯାଇଥିଲା । ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା, ପାଚକ, ପାଚିକା ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ମା’ମାନେ ମିଶି ବିଦ୍ୟାଳୟ ପରିସର, ରାସ୍ତା କଡ଼ ଓ ଖାଲି ସ୍ଥାନରେ ୩୫ଟି ବୃକ୍ଷରୋପଣ କରିବା ସହ ଗଛ ଗୁଡିକୁ ପୋଷ୍ୟ ଭାବେ ଗ୍ରହଣ କରି ପରିବେଶକୁ ସବୁଜିମାଭରା କରିବା ତଥା ମା’ ପାଇଁ ଗଛ ଟିଏର ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ତୁଳସୀରାମ ଭୋଇ ପରିଚାଳନା କରିଥିବା ବେଳେ ଶିକ୍ଷକ ଶମ୍ଭୁ ପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗଜବନ୍ଧ କ୍ଲଷ୍ଟରର ପଣ୍ଡରାପାଲି, କୁଶ ଦାଦର, ବ୍ରାହ୍ମଣୀ ପାଲି, କାଇସକନ୍ଦା, ଗଜବନ୍ଧ, ସୁଲେଇ ଓ ଧାତୁକିପାଲି ବିଦ୍ୟାଳୟ ଗୁଡିକରେ ଏହି ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.