
- ଜଳ ସଂରକ୍ଷଣ ଓ ଉପଯୁକ୍ତ ପରିଚାଳନା ଉପରେ ଗୁରୁତ୍ଵାରୋପ
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆଜି କୋଶଳ କଳା ମଣ୍ଡଳ ପଡିଆଠାରୁ ବଲାଙ୍ଗିର ଜଳସେଚନ ମଣ୍ଡଳ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ସଚେତନତା ରଥକୁ ଜିଲ୍ଲାପାଳ ଚଞ୍ଚଳ ରାଣା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିଭିନ୍ନ ଜଳ ସେଚନ ପ୍ରକଳ୍ପରେ ଥିବା ପାଣି ପଞ୍ଚାୟତକୁ ସଶକ୍ତିକରଣ ଓ ସଚେତନ କରିବା ଉଦ୍ଦେଶ୍ୟରେ ଏହି ସଚେତନା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବ । ଏହି ପକ୍ଷ ପାଳନ ଉପଲକ୍ଷେ ଆଜି ବଲାଙ୍ଗିର ଜଳସେଚନ ବିଭାଜନ ଆନୁକୂଲ୍ୟରେ ଲାଲଟିକ୍ରା ସ୍ଥିତ ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଣି ପଞ୍ଚାୟତର ସଦସ୍ୟ ମାନେ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇ ଜଳ ସଂରକ୍ଷଣ ଓ ଉପଯୁକ୍ତ ପରିଚାଳନା ଦିଗରେ ଏକତାବଦ୍ଧ ଭାବେ କାର୍ଯ୍ୟ କରିବାକୁ ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଜଳ ସଂରକ୍ଷଣ ନିମନ୍ତେ ଆବଶ୍ୟକତା ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହ ନଦୀ ନାଲାଗୁଡିକରେ ଚେକ ଡ୍ୟାମ କରି ଜଳ ସଂରକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ । ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାଣି ପଞ୍ଚାୟତର ଉପଯୁକ୍ତ କାର୍ଯ୍ୟକାରିତା ନିମନ୍ତେ ସହଯୋଗିତା ଓ ସହଭାଗିତା ଉପରେ ଗୁରୁତ୍ଵାରୋପ କରିବା ସହ ପାଣି ପଞ୍ଚାୟତ ମାଧ୍ୟମରେ ଚାଷୀମାନେ ଯେପରି ଉପକୃତ ହୋଇପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀ ମାନେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାସ ଓ ସବିତା ସେଠ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାଣି ପଞ୍ଚାୟତର ସଠିକ କାର୍ଯ୍ୟକାରିତା ଉପରେ ଗୁରୁତ୍ଵାରୋପ କରିଥିଲେ । ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଂଜୀବ କୁମାର ତ୍ରିପାଠୀ ପାଣି ପଞ୍ଚାୟତର ଗଠନ, ଦାୟିତ୍ଵ, କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ମହିତୋଷ ଦାସ ଚାଷୀ ମାନଙ୍କ ଉନ୍ନତ୍ତି ନିମନ୍ତେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତାକୁ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ଭୋଇ ପଠନ କରିଥିଲେ ।ପରେ ସେଠାରେ ପାଣି ପଞ୍ଚାୟତ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ କୃଷି, ଉଦ୍ୟାନ କୃଷି, ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଦ୍ଵାରା ଆୟୋଜିତ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉଦ୍ଘାଟନ କରି ପ୍ରଦର୍ଶନୀ ମଣ୍ଡପ ବୁଲି ଦେଖିଥିଲେ । ସଭା ଶେଷରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।