oom

ପାଇକମାଲ ବ୍ଲକ ପାଲଟିଛି କରୋନା ହଟସ୍ପଟ୍‌, ଗୋଟିଏ ଦିନରେ ୨ ମୃତ : ସୁରକ୍ଷା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକରେ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲେ ମଧ୍ୟ ବ୍ଲକ ପ୍ରଶାସନ ତରଫରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଗତକାଲି ଶନିବାର ରାତି ୯.୪୦ରେ ବୁର୍ଲା କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଟେମରି ଗ୍ରାମର ବିରେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି । ଏହାଛଡା ପାଇକମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ୟ୍ୟରତ ଆୟୁଷ ଡାକ୍ତର ସଙ୍ଗୀତା ସାହୁଙ୍କ ବାପାଙ୍କ ମୃତ୍ୟୁ ରାତି ୨ଟା ସମୟରେ ଘଟିଛି । ଏଠାରେ ସୂଚନାଯୋଗ୍ୟ ଯେ ପାଇକମାଲ ବ୍ଲକର ବିଭିନ୍ନ ଗ୍ରାମରେ ଗତ କିଛିଦିନ ଧରି ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହାର ପ୍ରମୁଖ କାରଣ ହେଲା ଛତିଶଗଡ଼ ସହିତ ବସ ଚଳାଚଳ ହେବା ଏବଂ ଗତ ମାସ ରାୟପୁରରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ମ୍ୟାଚ ଦେଖିବାକୁ ଅନେକ ଯୁବକ ଯାଇଥିଲେ । ସେଠାରୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି ।

ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବା ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ହୃଦୟକୁ କଷ୍ଟ ଦେଇଛି । ପାଇକମାଲବାସୀଙ୍କ ଜୀବନ ବଞ୍ଚେଇବା ପାଇଁ ରାଜ୍ୟ ସରକାର ତଥା ବରଗଡ଼ ଜିଲ୍ଲା ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ସଚେତନ ନାଗରିକ ବୃନ୍ଦ ଦାବୀ କରିଛନ୍ତି । ଟେମରି ଗ୍ରାମରେ ମଧ୍ୟ ଅନୁରୂପ ଭାବେ ଅନେକ ଲୋକ ସଂକ୍ରମିତ ହେଇଥିବା ଅନୁମାନ କରାଯାଉଛି । ତେଣୁ ସେହି ଗ୍ରାମକୁ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଧ୍ୟାନ ଦେଇ ବ୍ୟାପକ ଟେଷ୍ଟିଙ୍ଗ ବ୍ୟବସ୍ଥା କରି ଆବଶ୍ୟକ ଔଷଧ ଯୋଗେଇଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.