ରାଜ୍ୟସ୍ତରୀୟ ଟାଇକଣ୍ଡୋ ସ୍କୁଲ ଗେମ୍‌ରେ ବଲାଙ୍ଗିରକୁ ୫ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁରୀ ଜିଲ୍ଲା ସ୍କୁଲରେ ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ କୋଚ ତଥା ଜାତୀୟ ସ୍ତରୀୟ ରେଫରୀ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍‌ ଭାଗ ନେଇଥିଲେ । ବାଳକ ବିଭାଗରେ ସରସ୍ୱତୀ ଶିଶୁ ମନ୍ଦିରର ଜୟମ ସାହୁ (୫୨ରୁ ୫୬ କେଜି) ଓଜନ ଫାଇଟିଙ୍ଗରେ ବ୍ରୋଞ୍ଚ ପଦକ, ୟୁଜିଏଚ୍‌ଏସ୍‌ ଚିକଲବାହାଲର ଓମ୍‌ପ୍ରକାଶ ପୃଷ୍ଟି (୩୫ରୁ ୩୮ କେଜି) ରୌପ୍ୟ ପଦକ, ଜ୍ୟୋର୍ତିମୟ ଜେନା (୫୫ରୁ ୬୦ କେଜି) ରୌପ୍ୟ ପଦକ, ବାଳିକା ବିଭାଗରେ ଶ୍ରାବଣୀ ଜାଲ (୩୫ରୁ ୩୮ କେଜି) ବ୍ରୋଞ୍ଚ ପଦକ, ସରକାରୀ ବାଳିକା ହାଇସ୍କୁଲର ସିଦ୍ଧେଶ୍ୱରୀ କମଲ (୫୫ରୁ ୬୦ କେଜି) ଓଜନ ଫାଇଟିଙ୍ଗ ବିଭାଗରେ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଏଥିରେ ପିଇଟି ରାଜକିଶୋର ପାଣିଗ୍ରାହୀ ଓ ଦିପ୍ତି ବେହେରା ମ୍ୟାନେଜର ଭାବେ ଯୋଗଦାନ ଦେଇଥିବା ବେଳେ ଅସୀମ କୁମାର ଭୋଇ ରାଜ୍ୟ ଅଫିସିଆଲ ଭାବେ ଦାୟିତ୍ୱ ତୁଳାଇଥିଲେ । ଏ ଅବସରରେ ମୁଖ୍ୟ ଅତିଥି ପୁରୀ ଜିଲ୍ଲା ଡିଆଇପିଆର୍‌ଓ ସନ୍ତୋଷ କୁମାର ସେଠୀ ଓ ସହକାରୀ ନିର୍ଦ୍ଦେଶକ (ଶାରୀରିକ ଶିକ୍ଷା) ଜ୍ୟୋତି ପ୍ରସାଦ ପରିଡା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ମେଡାଲ ସହ ସମ୍ମାନିତ କରିଥିଲେ । ଆଜି ସକାଳେ ବଲାଙ୍ଗିର ଟିମ୍‌କୁ ରେଲୱେ ଷ୍ଟେସନ୍‌ରେ ସ୍କୁଲ କ୍ରୀଡା ସଂଘ ତରଫରୁ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ପିଇଟି ବୈକଣ୍ଠ ଜେନା ଓ କ୍ଷିତେଶ୍ୱର ବିଶ୍ୱାଲ ଫୁଲତୋଡା ସହ ସମ୍ମାନିତ କରିଥିଲେ । ପ୍ରଥମ ଥର ପାଇଁ ଟାଇକଣ୍ଡୋ କ୍ରୀଡା ସରକାରୀ ସ୍କୁଲ ସ୍ତରରେ ସାମିଲ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କ ମନରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.