ଦୁର୍ନୀତି, ଭ୍ରଷ୍ଟାଚାର, ମଦ ମୃତ୍ୟୁ ବିରୋଧରେ ଛତ୍ରପୁର ସହରରେ ଫର୍‌ୱାର୍ଡ଼ ବ୍ଲକର ଜନ ସମ୍ପର୍କ ପଦଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତାର ସାତ ଦଶନ୍ଧୀ ପରେ ମଧ୍ୟ ଦେଶର ସାଧାରଣ ଜନତା ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଜମି, ଖାଦ୍ୟ, ବାସଗୃହ ଭଳି ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଏବେ ବି ସଂଘର୍ଷରତ । ଦେଶର କୃଷକ ତଥା ଚାଷୀ ସମାଜ ନିଜର ଝାଳ ବୁହା କଷ୍ଟ-ଉପାର୍ଜିତ ଫସଲର ଉପଯୁକ୍ତ ମୂଲ୍ୟ ଆଜି ବି ପାଇ ପାରୁନାହିଁ । ମଦ ମାଫିଆ, ପୁଞ୍ଜିପତି ମାନେ ଗଣତନ୍ତ୍ରକୁ କବ୍ଜା କରି ଜନସାଧାରଣଙ୍କୁ ପଙ୍ଗୁ କରିଦେଲେଣି । ଏଣୁ ଦେଶପ୍ରେମର ବହ୍ନିକୁ ପ୍ରଜ୍ୱଳିତ କରି ଭୋକ, ଭୟ, ଭ୍ରଷ୍ଟାଚାର, ବେକାରୀ, ଦରବୃଦ୍ଧି, ବିଷାକ୍ତ ମଦ ମୃତ୍ୟୁ ବିରୁଦ୍ଧରେ ନେତାଜୀଙ୍କ ସ୍ୱପ୍ନର ‘ଜନତାଙ୍କ ହାତରେ ଶାସନ’ ପ୍ରତିଷ୍ଠା ଦାବିରେ ଅଲ୍‌ ଇଣ୍ଡିଆ ଫର୍‌ୱାର୍ଡ଼ ବ୍ଲକ ଓଡିଶା ରାଜ୍ୟ କମିଟି ନିଷ୍ପତି ମୁତାବକ ସାରା ରାଜ୍ୟରେ ଜନ ସମ୍ପର୍କ ପଦଯାତ୍ରାର ଗତ ସେପ୍ଟେମ୍ବର ୧ ତାରିଖରେ ଚିକିଟି ବ୍ଲକରୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଫର୍‌ୱାର୍ଡ଼ ବ୍ଲକ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କର ନେତୃତ୍ୱରେ ଛତ୍ରପୁରରେ ଏକ ପଦଯାତ୍ରା ସଂଗଠିତ କରାଯାଇଥିଲା । ଛତ୍ରପୁର ଅପର୍‌ ବସ୍‌ଷ୍ଟାଣ୍ଡ ଠାରୁ ଏହି ପଦଯାତ୍ରାର ଆରମ୍ଭ କରାଯାଇଥିଲା । ଏହି ପଦଯାତ୍ରା ଜିଲ୍ଲାପାଳଙ୍କ ଅଫିସ ଅତିକ୍ରମ କରି ଡିଆର୍‌ଡିଏ ଛକ ଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସମାପ୍ତ କରାଯାଇଥିଲା । ଫର୍‌ୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସଭାପତି ବିଭୂଧେନ୍ଦ୍ର ପାଢ଼ୀ କୋଷାଧ୍ୟକ୍ଷ ସ୍ଵପ୍ନେଶ୍ଵର ପାଣିଗ୍ରାହୀ, ଅଲ୍‌ ଇଣ୍ଡିଆ ଆଗ୍ରଗାମୀ ମହିଳା ସମିତି ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀ ଦୋରା, ଅଲ୍‌ ଇଣ୍ଡିଆ ସ୍ଟୁଡେଣ୍ଟସ୍‌ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦିକା ଲକ୍ଷ୍ମୀ ବାରିକ, ଦୁର୍ଯ୍ୟୋଧନ ପୂଜାରୀ, ଦଶରଥ ଖିଲ, ଜଗନ୍ନାଥ ପ୍ରଧାନ, ଛାତ୍ର ନେତା ଅଜିତ କୁମାର ସାହୁ, ଦିଲ୍ଲୀପ କୁମାର ଅଧିକାରୀ, ଆମିନ୍ ଖାନ ପ୍ରମୁଖଙ୍କ ସମେତ ବହୁ ନେତା, କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ଛତ୍ରପୁର ଟାଉନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସଠିକ୍‌ ଭାବରେ ନିର୍ମାଣ କରାଯାଇନଥିବା ଏବଂ ସୂଚନା ଫଳକରେ ନେତାଜୀଙ୍କ ମୁତ୍ୟୁ ତାରିଖକୁ ଲିପିବଦ୍ଧ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଫର୍‌ୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରକାଶ କରିବା ସହ ଅବିଳମ୍ବେ ଜିଲ୍ଲା ପ୍ରଶାସନ ଏହାକୁ ପରିବର୍ତ୍ତନ ନକଲେ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏଭଳି ଦାୟିତ୍ୱହୀନତା ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.