ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ନେତୃତ୍ୱରେ ଏକ ତ୍ରିରଙ୍ଗା ପଦଯାତ୍ରା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ୨ କିଲୋମିଟର ଲମ୍ବ ରାସ୍ତାରେ ଜାତୀୟ ତ୍ରିରଙ୍ଗା ପତାକାକୁ ଧରି ପଦଯାତ୍ରା କରି ବନ୍ଦେ ମାତରଂ ଓ ଭାରତ ମାତାକି ଜୟର ସ୍ଲୋଗାନ୍‌ ଦେଇଥିଲେ । ଉକ୍ତ ପଦଯାତ୍ରାରେ ରଘୁନାଥପଲ୍ଲୀ ବିଧାୟକ ଦୂର୍ଗା ଚରଣ ତନ୍ତୀ, ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଏବଂ ରାଜ୍ୟ ବିଜେପି ପ୍ରବକ୍ତା ଧିରେନ ସେନାପତି ଯୋଗ ଦେଇଥିଲେ । ଏହି ପଦଯାତ୍ରାଟି ସେକ୍ଟର ୨ ବିଜୁ ପଟ୍ଟନାୟକ ଛକଠାରୁ ଆରମ୍ଭ ହୋଇ ସେକ୍ଟର ୬ ଟେଲିଫୋନ୍‌ ଭବନ ପଡ଼ିଆର ପୂର୍ବ ପ୍ରସ୍ତୁତ ମଞ୍ଚ ନିକଟରେ ସମାପ୍ତ ହୋଇଥିଲା । ବିଧାୟକ ଶ୍ରୀ ତନ୍ତୀ, ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ, ରାଜ୍ୟ ପ୍ରବକ୍ତା ଶ୍ରୀ ସେନାପତି, ରାଉରକେଲା ସଚେତନ ନାଗରିକ ମଞ୍ଚ ସଭାପତି ଇଂ ବିମଳ କୁମାର ବିଶି ମଞ୍ଚାସୀନ ହୋଇଥିଲେ । ବିଧାୟକ ଶ୍ରୀ ତନ୍ତୀ ଉପସ୍ଥିତ ବିଜେପି ଯୁବମୋର୍ଚ୍ଚା, ଜିଲ୍ଲା ତଥା ପୂର୍ବ-ପଶ୍ଚିମ ମଣ୍ଡଳର ନେତୃଗଣ ଏବଂ କାର୍ଯ୍ୟକର୍ତ୍ତା ତଥା ବିଭିନ୍ନ ସ୍କୁଲମାନଙ୍କରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଦେଶ ସର୍ବୋପରି, ଦେଶର ଗୌରବ ଓ କୀର୍ତ୍ତିକୁ ଉଚ୍ଚା ରଖିବା ଆମର କର୍ତ୍ତବ୍ୟ ଅଟେ । ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ ମଧ୍ୟ ତାଙ୍କ ଅଭିଭାଷଣରେ ଦେଶ ଏବଂ ତ୍ରିରଙ୍ଗାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.