ଛତ୍ରପୁର କଲେଜଛକ ଓ ଡିଆର୍‌ଡିଏ ଛକ ମରଣଯନ୍ତା ପାଲଟିଛି : ଓଭର୍‌ବ୍ରିଜ ହେବା ଯାଏଁ କଡା ଟ୍ରାଫିକ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରକୁ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ସହ କୋଲକୋତାରୁ ଚେନାଇ ପର୍ଯ୍ୟନ୍ତ ବାଣିଜ୍ୟ, ସାଂସ୍କୃତିକ ଯୋଗାଯୋଗ ହୋଇପାରିଛି । ୧୬ ନମ୍ବର ଜାତୀୟ ରାଜପଥ ଦେଇ ଦୈନିକ ପ୍ରତିଘଣ୍ଟାରେ ହଜାର ହଜାର ଭାରିଯାନ, ଦୀର୍ଘଗାମୀ ମାଲବାହୀ ଗାଡି, ଗ୍ୟାସ-ଟ୍ୟାଙ୍କର ଯାତ୍ରୀବାହୀ ବସ, ଟ୍ରକ, ଛୋଟବଡ଼ ଯାନବାହନ ଦୃତଗତିରେ ଚଳାଚଳ କରୁଥିବା ଯୋଗୁଁ ଜାତୀୟ ରାଜପଥର ବିଭିନ୍ନ ସଙ୍ଗମସ୍ଥଳ ଛକ ଜାଗାମାନଙ୍କରେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଛତ୍ରପୁର ସହରର ମୁଖ୍ୟ ସଂଯୋଗ ସ୍ଥଳ କଲେଜଛକ ଏବଂ ଡିଆରଡିଏ ଛକ ଆଜକୁ ୩୦ ବର୍ଷହେଲା ମରଣଯନ୍ତା ଭାବେ ପରିଣତ ହୋଇଆସିଛି । ଦୀର୍ଘ ବର୍ଷ ହେଲା ଏହି ଦୁଇଛକ ସ୍ଥାନରେ ଦୁଇଟି ଓଭରବ୍ରିଜ ନିର୍ମାଣ ନିମନ୍ତେ ବହୁବାର ଦାବୀ ହୋଇଆସିଥିବା ବେଳେ କେନ୍ଦ୍ର ସରକାର କର୍ଣ୍ଣାପାତ କରୁନାହାନ୍ତି । ଅଧୂନା ଭାରତ ସରକାରଙ୍କ ଜାତୀୟ ରାଜପଥ ବିଭାଗର ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇ ଚାରିଲେନରୁ ଛଅ ଲେନ ପର୍ଯ୍ୟନ୍ତ ରାଜପଥର ପ୍ରସ୍ଥବର୍ଦ୍ଧିତ, ସମ୍ପ୍ରସାରଣ ହୋଇଥିବା ସାଂଗକୁ ଜାତୀୟରାଜପଥ ସହ ସଂଯୋଗ କରୁଥିବା ପ୍ରମୁଖ ଆଞ୍ଚଳିକ ରାସ୍ତା, ଛକ ଜାଗାମାନଙ୍କରେ ଗଳାଶଙ୍ଖ, ଫ୍ଲାଏ- ଓଭରବ୍ରିଜ ନିର୍ମାଣ ହୋଇଆସିଛି । ଆନ୍ଧ୍ରପ୍ରଦେଶର ପ୍ରମୁଖ ଜିଲ୍ଲାମାନଙ୍କରେ ଫାଏଓଭର ବ୍ରିଜ ଉପରେ ପ୍ରଥମ ପ୍ରାଧାନ୍ୟତା ଦିଆଯାଇଥିବା ବେଳେ ଏବେ ଆମ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ଆରମ୍ଭ କରି ଆସିଥିବା ଜଣାଯାଇଛି । ଯେଉଁଠି ଜରୁରୀ ରହିଛି, ସେଠି କାର୍ଯ୍ୟାରମ୍ଭ ନ ହୋଇଥିବା ଏହା ଯେ, ସରକାରଙ୍କ ଏକ ବୈମାତୃକ ଭାବ ବୋଲି ଛତ୍ରପୁରବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଛତ୍ରପୁର କଲେଜଛକ ଏବଂ ଡିଆର୍‌ଡିଏ ଛକ ଠାରେ ପ୍ରତିବର୍ଷ ବହୁ ସଂଖ୍ୟାରେ ଦୁର୍ଘଟଣା ଘଟି ଶହଶ୍ରାଧିକ ଲୋକଙ୍କ ପ୍ରାଣହାନୀ ଘଟୁଛି । ସରକାର/ପ୍ରଶାସନ ଏ ଦିଗରେ ଧ୍ୟାନ ଦେଇ ବ୍ରିଟୀଶ ରାଜତନ୍ତ୍ର ସମୟର ଏହି ଜିଲ୍ଲା ହେଡ୍‌ କ୍ୱାଟର ଜନଗହଳିପୂର୍ଣ୍ଣ ଓ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନପ୍ରତି ଦୃଷ୍ଟିଦେଇ କଲେଜଛକ ଏବଂ ଡିଆର୍‌ଡିଏ ଛକଠାରେ ଖୁବଶୀଘ୍ର ଫ୍ଲାଏ ଓଭରବ୍ରିଜ ନିର୍ମାଣ କରାଯାଉ । ଫ୍ଲାଏଓଭର୍‌ ବ୍ରିଜ ନିର୍ମାଣ ହେବା ଯାଏଁ ଉକ୍ତ ଛକ ଜାଗା ମାନଙ୍କରେ ଟ୍ରାଫିକ ସାଙ୍କେତିକ ବିଭିନ୍ନ ବର୍ଗର ବତୀ ଲଗାଯିବା, ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗାଇଡ଼ ପ୍ରବର୍ତ୍ତିତ ଲେଖା/ ଫଳକ ଟଙ୍ଗାଯିବା, ଟ୍ରାଫିକକଡା ସୁରକ୍ଷା ନିମନ୍ତେ ଟ୍ରାଫିକ ପୋଲିସ/ଯୁବ-ସ୍ୱେଚ୍ଛାସେବୀ ପୋଲିସଙ୍କ ପହରା ବ୍ୟବସ୍ଥା କରାଯିବାକୁ ଦାବୀ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପୂର୍ବକ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍‌ଙ୍କୁ ଭେଟି ଏ ସମ୍ବନ୍ଧୀୟ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସମାଜସେବୀ ତଥା କଂଗ୍ରେସନେତା ଭାଗିରଥି ବେହେରା, ସମାଜସେବୀ କାଳିଆ ରାଉଳ, ଆଇନଜୀବୀ ରାମଚନ୍ଦ୍ର ବେହେରା ପ୍ରମୁଖ ଏକ ପ୍ରତିନିଧିଦଳ ଜିଲ୍ଲାପ୍ରଶାସନକୁ ଭେଟିବା ସାଂଗକୁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ତୁରନ୍ତ ଆଶୁପ୍ରତିକାର ବିଧାନ ଲାଗି ଦାବୀ କରିଛନ୍ତି । ଏହି ସମସ୍ୟାର ସମାଧାନ ନହେଲେ ଆଗାମୀଦିନରେ ଜନଆନ୍ଦୋଳନ ହେବ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.