ଆଇଏଫଏଫଆଇ ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ମାଳିପୁଟ ମେଲୋଡ଼ିଜ୍

● କୋରାପୁଟ ଅଞ୍ଚଳର ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଚଳଚ୍ଚିତ୍ର
● ସ୍ଥାନୀୟ ଲୋକଙ୍କ ଜୀବନ ଓ ସଂଘର୍ଷକୁ ଦର୍ଶାଇବାକୁ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକ

ପାଣାଜୀ, (ପିଆଇବି) : ଗୋଆରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଆଜି ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡ଼ିଜ୍’ ପ୍ରଦର୍ଶିତ ହୋଇଛି । ମୌଳିକ ଓଡ଼ିଆ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଚାରିଟି ହୃଦୟସ୍ପର୍ଶୀ କାହାଣୀର ସଂକଳନ ସ୍ଥାନ ପାଇଛି । କୋରାପୁଟର ସରଳ ଓ ନିରୀହ ଲୋକଙ୍କ ଜୀବନ କାହାଣୀ ଓ ସଂଘର୍ଷକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକ ଏବଂ କୌଶିକ ଦାସ ପ୍ରଯୋଜନା ଦାୟିତ୍ୱ ସମ୍ପାଦନ କରିଛନ୍ତି । ଚଳଚ୍ଚିତ୍ରର ପ୍ରଥମ କାହାଣୀ ‘କାନଫୁଲ’ରେ ଖେଳନା ଓ ବଇଁଶୀ ବିକୁଥିବା ଦୁଇ ବନ୍ଧୁଙ୍କ ଜୀବନ ପ୍ରଦର୍ଶିତ ହୋଇଛି । ଝିଅ ପାଇଁ କାନଫୁଲ କିଣିବାକୁ ଆଶା ନେଇ ଖେଳନା ଓ ବଇଁଶୀ ବିକିବାକୁ ଚାହୁଁଥିବା ଏହି ଦୁଇ ବନ୍ଧୁଙ୍କ ସ୍ୱପ୍ନ ସେତିକି ବେଳେ ଧୂଳିସାତ୍ ହୋଇଯାଉଛି ଯେତେବେଳେ କୋଭିଡ୍ ମହାମାରୀ କାରଣରୁ ସେହି ବର୍ଷର ରଥଯାତ୍ରା ଉତ୍ସବ ବାତିଲ୍ ହୋଇଯାଉଛି । ଦ୍ୱିତୀୟ କାହାଣୀ ହେଉଛି ‘ରଙ୍ଗମାଟି’ । ଏଥିରେ ସାନ ଏବଂ ବଡ଼, ଦୁଇ ଭାଇଙ୍କ ସଂଘର୍ଷ କାହାଣୀ ପ୍ରଦର୍ଶିତ ହୋଇଛି । ସାନ ପୁଅ ପରିବାର ଚଳାଉଥିବା ବେଳେ ବଡ଼ ବାଙ୍ଗାଲୋର ଯିବାକୁ ସ୍ୱପ୍ନ ଦେଖୁଛି, କିନ୍ତୁ ଗାଁକୁ ଫେରିଥିବା ଜଣେ ଗ୍ରାମବାସୀ ତା’କୁ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପରାମର୍ଶ ଦେଉଛି । ତୃତୀୟ କାହାଣୀ ‘ବାଇଦକାରିଆ’ରେ ପାରମ୍ପରିକ ବାଦ୍ୟ ପରିବେଷଣ ପାଇଁ ଦଶହରା ପୂଜାକୁ ଅପେକ୍ଷାର ଚିତ୍ର ବର୍ଣ୍ଣିତ ହୋଇଛି । କାହାଣୀ ଗତିଶୀଳ ହେବା ସହିତ ଅପ୍ରତ୍ୟାଶିତ ସତ୍ୟ ଏବଂ ବର୍ଦ୍ଧିତ ଉତ୍ତେଜନା ଘଟଣାର ମୋଡ଼ ବଦଳାଇ ଦେଉଛି । ଚତୁର୍ଥ କାହାଣୀ ‘ବିଭାଘର’ରେ ବାହାଘର ପାଇଁ ପ୍ରସ୍ତୁତ ହେଉଥିବା ଏକ ମଧ୍ୟବିତ୍ତ ପରିବାର ସଂଘର୍ଷ ବର୍ଣ୍ଣିତ ହୋଇଛି । ଏସବୁ କାହାଣୀରେ ଗ୍ରାମୀଣ ଓଡ଼ିଶାର ଆଶା, ସଂଘର୍ଷ ଏବଂ ଦୃଢ଼ତା ବର୍ଣ୍ଣିତ ହୋଇଛି । ନିର୍ଦ୍ଦେଶକ ଏହି ଚଳଚ୍ଚିତ୍ର ଜରିଆରେ ଗ୍ରାମୀଣ ସମ୍ପ୍ରଦାୟ, ସେମାନଙ୍କର ସ୍ୱପ୍ନ ଏବଂ ମଣିଷର ଦୃଢ଼ ମନୋବଳକୁ ଅତି ନିଚ୍ଛକ ଭାବେ ଉପସ୍ଥାପନ କରିବାର ପ୍ରୟାସ କରିଛନ୍ତି । ‘ମାଳିପୁଟ୍ ମେଲୋଡ଼ିଜ୍’ ଚଳଚ୍ଚିତ୍ରର ନିର୍ଦ୍ଦେଶକ କୋରାପୁଟ ଜୟପୁରର ବାସିନ୍ଦା ବିଶାଲ ପଟ୍ଟନାୟକ ବୃତ୍ତିରେ ଜଣେ କଳା ଶିକ୍ଷକ । ଆଜି ଆଇଏଫଏଫଆଇ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ଚଳଚ୍ଚିତ୍ରକୁ ନେଇ ତାଙ୍କର ଅଭିଜ୍ଞତା ବିଷୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏ ଚଳଚ୍ଚିତ୍ର ନିର୍ମାଣ କରିବା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା । ସେ ନିଜ ଅଞ୍ଚଳର ଲୋକଙ୍କର ଦୈନନ୍ଦିନ ଜୀବନ ଓ ସଂଘର୍ଷକୁ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଗ୍ରହୀ ଥିଲେ । ‘ମାଳିପୁଟ ମେଲୋଡ଼ିଜ୍’ ଜରିଆରେ ସେ ଏ ଦିଗରେ ଏକ ସଚ୍ଚୋଟ ପ୍ରୟାସ କରିଛନ୍ତି । ପ୍ରଯୋଜକ କୌଶିକ ଦାସ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶିତ ହୋଇଛି । ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ଏହି ସାମ୍ବାଦିକ ସମ୍ମିଳନୀକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.