jayashree

ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ଜରାସିଂହା, (କେପିଏନ୍‌ଏସ୍‌) : ‘ନୂଆ-ଓ’ ପ୍ରତିଯୋଗିତା ତଥା ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ଉପରେ ଆଧାରିତ କାର୍ଯ୍ୟକ୍ରମ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହୀରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୋଡ଼ଲ ଅଫିସର ପ୍ରାଧ୍ୟାପକ ରଂଜନ କୁମାର ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଆ ସାହିତ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ପି.ଏସ୍‌. ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ ଓ ମୁଖ୍ୟବକ୍ତା ଶ୍ରୀଜଗନ୍ନାଥ ଡ଼ିଗ୍ରୀ ମହାବିନ୍ୟାଳୟ, ସାହାଜବାହାଲର ଅର୍ଥନୀତି ଅଧ୍ୟାପକ କବିରାଜ ଭୋଇ ଯୋଗଦେଇ ମହାନ ଜଗନ୍ନାଥ ସଂସ୍କୃତିର ମାନବ ଜୀବନରେ ପ୍ରଭାବ ଓ ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ସାହିତ୍ୟ ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା ଓ ଗୋବିନ୍ଦ ମେହେର ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜସ୍ୱ ଭାବବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ବକୃତା, ପ୍ରବନ୍ଧ ଲିଖନ, ଓଡ଼ିଆ ଭଜନ ଗାନ, କୁଇଜ ଓ ବ୍ୟାକରଣ ପ୍ରତିଯୋଗିତା, ଓଡ଼ିଆ ଖାଦ୍ୟ ପ୍ରସ୍ତୁତି, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ଅଧ୍ୟାପିକା ଶୁଭଶ୍ରୀ ସାହୁ, ପିଇଟି ପ୍ରଶାନ୍ତ କୁମାର ଥନାପତି, ଡିଇଓ ବାଳଶଙ୍କର ମେହେର, ଲାଇବ୍ରେରିଏନ୍‌ ପ୍ରଦୀପ ମହାନ୍ତି, ଅବନି ସିଂନିନା, ଜୟହିନ୍ଦ୍‌ ପ୍ରକାଶ ଛତ୍ରିଆ, ଶୁଭେନ୍ଦୁ ନାଥ ଓ ଅନ୍ୟାନ୍ୟ କର୍ମଚାରୀମାନେ ।

Leave A Reply

Your email address will not be published.