ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ : ବଲାଙ୍ଗିର ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କଲେ ପୂର୍ବତନ ସୈନକ ସଂଘର ସଦସ୍ୟମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ ବଲାଙ୍ଗିର ଲାଲଟିକ୍ରା ସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ସମୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥିବା ବେଳେ ଆଗାମୀ ଦିନରେ ନିଆଯିବାକୁ ଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା । ଦୀର୍ଘ ଦିନରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠି ପକ୍ଷରୁ ୫ ଲକ୍ଷ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୨୦ ଲକ୍ଷ ଟଙ୍କା ଅନୁମୋଦନ ହୋଇ ବଲାଙ୍ଗିର ପୌର ସଂସ୍ଥାକୁ ଆସିଅଛି । ପୂର୍ବତନ ସୈନକ ସଂଘର ସଦସ୍ୟମାନେ ବାରମ୍ବାର ପୌର ଅଧିକାରୀ ତଥା ଅଧ୍ୟକ୍ଷାଙ୍କୁ ଅନୁରୋଧ କରିଥିଲେ ହେଁ, ଏହାର କାର୍ଯ୍ୟ ପାଇଁ କାହାକୁ କାର୍ଯ୍ୟଦେଶ ଦିଆଯାଇ ନାହିଁ । ସେଥିପାଇଁ ପୂର୍ବତନ ସୈନିକ ସଂଘ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହାର କଡ଼ା ଯବାବ ଦିଆଯିବ ବୋଲି ଚେତାବନୀ ଦେଇଛି । ସହିଦ ପରିବାର ଏବଂ ପୂର୍ବତନ ସୈନିକ ଯାହାଙ୍କ ପାଇଁ ଜମି ସଂରକ୍ଷଣର ବ୍ୟବସ୍ଥା ରହିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ପୂର୍ବତନ ସୈନିକ ମାନେ ବଂଚିତ ହୋଇ ଆସୁଛନ୍ତି । ବିଗତ ଦିନରେ ବଲାଙ୍ଗିର ତହସିଲଦାରଙ୍କୁ ଏହି ବିଷୟକୁ ନେଇ ଅବଗତ କରିଥିଲେ ହେଁ, ଏ ପର୍ଯ୍ୟନ୍ତ କୌଣସି ଫଳପ୍ରଦ ହୋଇ ପାରିନାହିଁ । ସେଥିପାଇଁ ମଧ୍ୟ ପୂର୍ବତନ ସୈନିକ ସଂଘର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିବା ସହ ଦେଶ ମାତୃକାର ସେବା କରି ନିଜକୁ ବଳିଦାନ ଦେଉଥିବା ସୈନିକଙ୍କୁ ସଂଘର ସଦସ୍ୟମାନେ ଆଜିକାର ଏହି ବୈଠକରେ ‘ଏ କି ପ୍ରକାରର ସମ୍ମାନ’ ବୋଲି ଜିଲ୍ଲା ପ୍ରଶାସନଙ୍କୁ ଓ ପୌର ପ୍ରଶାସନଙ୍କୁ ପ୍ରଶ୍ନ କରିଛନ୍ତି । ବିଗତ ୧୬.୧୦.୨୦୨୪ରେ ଖର୍ସେଲପଡ଼ାରେ ବସବାସ କରୁଥିବା ପୂର୍ବ ସୈନିକ ଗୁଣ ସାଗର ମେହରଙ୍କ ଘରୁ ବାସ ଭବନରୁ ଗ୍ରୀଲ୍‌ ଗେଟ୍‌ କାଟି ଟିଭି, ସୁନା, ଟଙ୍କା, ପଇସା, ମୋବାଇଲ ଆଦି ମୂଲ୍ୟବାନ ସାମାଗ୍ରୀ ସବୁ ଚୋରି କରି ନେଇଛନ୍ତି ଦୁର୍ବୃତ୍ତମାନେ । ଏହି ଘଟଣାକୁ ନେଇ ବଲାଙ୍ଗିର ଟାଉନ ଥାନାରେ ଏତଲା ଦିଆଯିବା ସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତଥା ଟାଉନଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପୂର୍ବତନ ସୈନିକ ସଂଘର ସଦସ୍ୟମାନେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବୀ କରିଥିଲେ, ହେଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିନି ପୋଲିସ ବୋଲି ପୂର୍ବତନ ସୈନିକ ସଂଘର ସଦସ୍ୟମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ବିଗତ ଦିନରେ ସେହି ଅଂଚଳରେ ଦୁର୍ବୃତ୍ତ ମାନେ ସମାନ ଢଙ୍ଗରେ ଚୋରି କରିଥିଲେ ମଧ୍ୟ ପୋଲିସ ନା ଚୋର କୁ ଧରିଛି ନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ପୂର୍ବତନ ସୈନିକ ସଂଘର ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଏହି ଭେଟଘାଟ କାର୍ଯ୍ୟକ୍ରମରେ ପୂର୍ବତନ ସୈନିକ ହରିହର ଠାକୁର, ସର୍ବେରାମ ପଟେଲ, ରାଜେନ୍ଦ୍ର ଶବର, ନୟନ ଅଗସ୍ତି, ଶମ୍ଭୁ ପ୍ରାସଦ ବିଶ୍ୱାଳ, କୃଷ୍ଣଚନ୍ଦ୍ର ପରମଗୁରୁ, ନୀଳକଣ୍ଠ ପାଢୀ ଓ ସହରାଂଚଳ ଓ ଗ୍ରାମାଂଚଳରୁ ଶତାଧିକ ପୂବତନ ସୈନିକ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପୂର୍ବତନ ସୈନିକ ସଂଘର ସଂପାଦକ ତଥା ରାଜ୍ୟ ଏ.ଓ.ଭି.ଏସ୍‌. ସଂଘର ଉପସଭାପତି ପ୍ରତାପ ଚନ୍ଦ୍ର ରଥ ପରିଚାଳନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.