ସ୍ନେହ ଓ ଶାନ୍ତିର ବାର୍ତ୍ତା ପ୍ରଦାନ କରେ ନୁଆଁଖାଇ ପର୍ବ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା ବହୁ ଆବାହନ କାଳରୁ ଗଢି ଉଠି ଥିଲା । ଭାରତ ବର୍ଷରେ ପାଳିତ ହେଉଥିବା ପର୍ବ ପର୍ବାଣୀ ମଧ୍ୟରେ ନୁଆଁଖାଇ ପର୍ବ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତର ବିଭିନ୍ନ ରାଜ୍ୟରେ ନୂଆ କରି ଅମଳ ହେଉ ଥିବା ଶସ୍ୟର ପୂଜା ବିଭିନ୍ନ ନାମରେ ପରିଚିତ । ଅନୁରୂପ ଭାବେ ପଶ୍ଚିମ ଓଡ଼ିଶାର ୧୧ ଗୋଟି ଜିଲ୍ଲାକୁ ନେଇ ପାଳିତ ହେଉଥିବା ଏହି ଶସ୍ୟଭିତ୍ତିକ ପର୍ବ ନୁଆଁଖାଇ ନାମରେ ପରିଚିତ । ଏହି ପର୍ବକୁ ଭାଦ୍ରବ ମାସ ଶୁକ୍ଳ ପକ୍ଷରେ ପାଳନ କରାଯାଏ । ଏହି ନୁଆଁଖାଇ ପର୍ବକୁ ପାଳନ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରାଯାଏ, ଯାହାକୁ ଲଗ୍ନ କୁହାଯାଏ । ଜନୃତି ଅନୁଯାୟୀ ଦ୍ୱାଦଶ ଶତାବ୍ଦୀରେ ପାଟଣା ରାଜ୍ୟ ବର୍ତ୍ତମାନର ବଲାଙ୍ଗିର ଜିଲ୍ଲାର ଚୌହାନ ବଂଶର ରାଜା ରମାଇ ଦେଓଙ୍କ ଶାସନ କାଳରୁ ନୁଆଁଖାଇ ପର୍ବର ପାଳନ ଆରମ୍ଭ ହୋଇଛି । ଅନ୍ୟ ଏକ ଜନୃତି ଅନୁଯାୟୀ ତ୍ରେତୟା ଯୁଗରେ କୁଆଡେ଼ କୋଶଳ ରାଜ୍ୟର ରାଜା କୁଶଙ୍କ ଶାସନ କାଳରେ ବର୍ତ୍ତମାନର ବରଗଡ ଜିଲ୍ଲାର ପଦ୍ମପୁରରୁ ନୁଆଁଖାଇ ପର୍ବର ପାଳନ ଆରମ୍ଭ ହୋଇଥିଲା । ପ୍ରଥମେ ନୁଆଁ ଅନ୍ନ ପଶ୍ଚିମ ଓଡ଼ିଶାର ଶକ୍ତି ପୀଠ ସମ୍ବଲପୁରର ମା’ ସମଲେଶ୍ୱରୀ, ସୋନପୁରର ମା’ ସୁରେଶ୍ଵରୀ, ବଲାଙ୍ଗିରର ମା’ ପାଟଣେଶ୍ୱରୀ, କଳାହାଣ୍ଡିର ମା’ ମାଣିକେଶ୍ଵରୀ ଓ ସମସ୍ତ ଅଞ୍ଚଳର ଗ୍ରାମ ଦେବାଦେବୀଙ୍କ ଠାରେ ନୁଆଁ ଅନ୍ନ ଲାଗି ହୁଏ । ଏହା ପରେ ପ୍ରତ୍ୟେକ ଘରେ ଇଷ୍ଟ ଦେବୀଙ୍କୁ ନୂଆଁ ଅନ୍ନ ଲାଗି ହୁଏ । ଏହି ସବୁ ଦେବାଦେବୀଙ୍କ ପାଖରେ ନୁଆଁ ଅନ୍ନ ଲାଗି ସରିବା ପରେ ଘରର ସମସ୍ତ ସଦସ୍ୟ ଏକାଠି ବସି ନୁଆଁ ଅନ୍ନ ଖାଆନ୍ତି । ନୁଆଁ ଅନ୍ନ ଖାଇ ସରିବା ପରେ ନିଜ ଇଷ୍ଟ ଦେବୀଙ୍କୁ ଦର୍ଶନ କରନ୍ତି । ଏହା ପରେ ଘରର କନିଷ୍ଠ ମାନେ ବୟୋଜ୍ୟେଷ୍ଠ ମାନଙ୍କୁ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି । ସନ୍ଧ୍ୟା ସମୟରେ ବନ୍ଧୁ ବାନ୍ଧବ ଓ ପଡ଼ୋଶୀଙ୍କ ସହ ଜୁହାର ଭେଟ୍‌ର ଆସର ହୋଇଥାଏ । ଏହା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୁଆଁଖାଇ ଭେଟ୍‌ଘାଟ୍‌ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସମାଜର ସମସ୍ତ ବର୍ଗର ସଦସ୍ୟ ସାମିଲ ହୁଅନ୍ତି । ଏହି ପର୍ବ ସମାଜ ପାଇଁ ସ୍ନେହ ଓ ଶାନ୍ତିର ବାର୍ତ୍ତା ପ୍ରଦାନ କରେ ।

Leave A Reply

Your email address will not be published.