oom

ବନ୍ଧୁକ ଧରା ହାତରେ ବଜାଉଛନ୍ତି ମୃଦଙ୍ଗ : ମୁହଁରେ ରଙ୍ଗ ବୋଳି ଗାଁ ଗାଁ ବୁଲି ଲୋକଙ୍କ ମନ ମୋହୁଛନ୍ତି, ଜୟନ୍ତୀଙ୍କ ପାଇଁ ନିଶା ଓ ପେସା ସମାନ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ପେସାରେ ସେ ଜଣେ ପୋଲିସ, ହେଲେ ନିଶା ମୃଦଙ୍ଗ ବଜାଇବା ତା‌ଙ୍କ ନିଶା। ଅଦମ୍ୟ ଇଚ୍ଛାଶକ୍ତି ବଳରେ ନିଜର ନିଶା ଓ ପେସା ଉଭୟକୁ ସମାନ ଭାବେ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଆମେ କହୁଛୁ ସଞ୍ଚାର କଳାର ପୂଜାରିଣୀ ଜୟନ୍ତୀ ଦୀପଙ୍କ କଥା । ଜୟନ୍ତୀ ପିଲାଦିନରୁ ସଂଚାର ମାଧ୍ୟମରେ ଗୀତ ଗାଇବା ସହ ମୃଦଙ୍ଗ ବଜାଇ ଗାଁ ଗାଁରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ଗୋଡ଼ରେ ଘୁଙ୍ଗୁର ବାନ୍ଧି ମୁହଁରେ ରଙ୍ଗ ବୋଳି ସମ୍ବଲପୁରୀ ବସ୍ତ୍ର ପରିଧାନ କରି କାନ୍ଧରେ ମୃଦଙ୍ଗ ପକାଇ ଓଡ଼ିଆ, ସମ୍ବଲପୁରୀ, ଛତିଶଗଡ଼ି, ହିନ୍ଦୀ, ଭୋଜପୁରୀ ପରି ବିଭିନ୍ନ ଭାଷାରେ ଗୀତ ଗାଇବା ସହ ବାଦ୍ୟର ତାଳେ ତାଳେ ନାଚି ନାଚି ଦର୍ଶକଙ୍କୁ ବେଶ ଆକୃଷ୍ଟ କରି ପାରିଛନ୍ତି ଜୟନ୍ତୀ । ବରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳ ଝାରବନ୍ଧ ବ୍ଲକ ଡୁଙ୍ଗୁରିପାଲିରୁ ସଞ୍ଚାର ଯାତ୍ରା ଆରମ୍ଭ କରି ସେ ଆଜି ଓଡିଶା ସମେତ ଛତିଶଗଡ଼ ତଥା ରାଜ୍ୟ ବାହାରେ ବେଶ ସୁନାମ ଅର୍ଜନ କରିପାରିଛନ୍ତି । ଅନେକ ତାଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ ମଧ୍ୟ କରିଛନ୍ତି । ଉଭୟେ ସ୍ୱାମୀ- ସ୍ତ୍ରୀ ପୋଲିସ ବିଭାଗରେ ଚାକିରୀ କରୁଛନ୍ତି । ବନ୍ଧୁକ ଓ ମୃଦଙ୍ଗକୁ ସମାନ ଭାବେ ସମ୍ମାନ ଦେଇ ନିଶା ଓ ପେସାରେ ମନୋନିବେଶ କରିଛନ୍ତି । ଜଣେ ଦାୟିତ୍ବବାନ ତଥା ନିଷ୍ଠାବାନ ପୋଲିସ କନଷ୍ଟେବଳ ଭାବେ ସେ ନିଜର ଦାଇତ୍ୱ ତୁଲାଇ ଆସିଛନ୍ତି । ଏବେ ବରଗଡ଼ ପୋଲିସ ମୁଖ୍ୟ କାର୍ୟ୍ୟାଳୟରେ ଜୟନ୍ତୀ କାର୍ୟ୍ୟରତ ଅଛନ୍ତି । ଅନ୍ୟପକ୍ଷରେ ଉଭୟ ସପତ୍ନୀ ପୋଲିସ ବିଭାଗରେ କର୍ୟ୍ୟ କରୁଥିବାରୁ ନିଜର ପାରିବାରିକ ଦାୟିତ୍ୱକୁ ସମାନ ଭାବରେ ସ୍ନେହ ଶ୍ରଦ୍ଧାରେ ତୁଳାଇ ଜଣେ ସୁଗୃହିଣୀର ପରିଚୟ ଦେଇ ପାରିଛନ୍ତି । ଦୁଇ ଝିଅଙ୍କ ପାଠପଢା ସେବାଯତ୍ନ ନେଇ ମାଆର ଦାୟିତ୍ବ ନିଭାଇବାରେ ମଧ୍ୟ ସେ ସକ୍ଷମ ହୋଇ ପାରିଛନ୍ତି । ସ୍ୱାମୀ ସୁରେଶ କୁମ୍ଭାର ମଧ୍ୟ ଜୟନ୍ତୀଙ୍କ ଇଚ୍ଛାକୁ ସମ୍ମାନ ଦେଇ କାନ୍ଧରେ କାନ୍ଧ ମିଶାଇ ଆଗେଇ ଚାଲିଛନ୍ତି ।

ବରଗଡ଼ ଜିଲ୍ଲାର ଏକ ପ୍ରାଚୀନ ଲୋକକଳା ହେଉଛି ସଂଚାର କଳା । ଏହି କଳା ମାଧ୍ୟମରେ ହରିବଂଶ, ମହାଭାରତ, ଭାଗବତ ଗୀତ, ରାମାୟଣ କଥାବସ୍ତୁ ଉପରେ ହିଁ ଆଧାରିତ ତଥ୍ୟକୁ ପରିବେଷଣ କରାଯାଇଥାଏ । ପାଲା ଏବଂ ସଞ୍ଚାର କଳାରେ ସାମଞ୍ଜସ୍ୟ ରହିଥିଲେ ହେଁ ପାଲାରେ ଗାୟକ, ବାହକ, ପାଳିଆ ପରି ଅନେକ ସଦସ୍ୟ ଶିଳ୍ପୀ ପରିବେଷଣ କରିଥାନ୍ତି । ହେଲେ ସଞ୍ଚାର ଏପରି ଏକ ଲୋକ କଳା, ଯେଉଁଥିରେ ଗାୟକ ନିଜେ ହିଁ ଚତୁର୍ଗୁଣର ଅଧିକାରୀ ହୋଇ ମୃଦଙ୍ଗ ବଜାଇବା, ଗୀତ ଗାଇବା, ନାଚିବା ଓ ଉପସ୍ଥିତ ଶ୍ରୋତାଙ୍କୁ ବୁଝାଇବା ଭଳି କାର୍ୟ୍ୟ କରିଥାଆନ୍ତି । ପୁରୁଷ କଳାକାର ସଞ୍ଚାର ପରିବେଷଣ କରୁଥିବା ବେଳେ ଜଣେ ମହିଳା, ତାହା ପୁଣି ଉପାନ୍ତ ଅଞ୍ଚଳର ହୋଇ ନାନା ଅପବାଦକୁ ବେଖାତିର କରି ଆଜି ନିଜ ପେସା ଓ ନିଶାକୁ ଯୁଗଳବନ୍ଦୀ କରି ପାରିଛନ୍ତି ।

jittmm
Leave A Reply

Your email address will not be published.