- ଶ୍ରୀକର ମିଶ୍ର ସଭାପତି ଓ ମଧୁସୂଦନ ସଂପାଦକ
ବଲାଙ୍ଗିର, (କେପିଏନ୍ଏସ୍) : ଗତକାଲି ସରକାରୀ ଟାଉନ ବାଳିକା ହାଇସ୍କୁଲ ସମ୍ମିଳନୀ କକ୍ଷରେ ବଲାଙ୍ଗିର ନାଗରିକ କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନାଗରିକ କମିଟିର ୨୧୭ ଜଣ ସଭ୍ୟସଭ୍ୟା ଭୋଟ ଦେଇଥିଲେ । ସଭାପତି ଭାବରେ ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ର (୧୬୬ ଭୋଟ) ବିପୁଳ ସଂଖ୍ୟାରେ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ ଭାବରେ ଜିଲ୍ଲା ବ୍ରାହ୍ମଣ ମହାସଭାର ସଂପାଦକ ନରେନ୍ଦ୍ର ଆଚାର୍ଯ୍ୟ ମାତ୍ର ୪୯ଟି ଭୋଟ ପାଇ ଶୋଚନୀୟ ପରାଜୟ ବରଣ କରିଛନ୍ତି । ସେହିପରି ନିତ୍ୟାନନ୍ଦ ମିଶ୍ର ୧୧୪ ଭୋଟପାଇ ଉପ-ସଭାପତି ଭାବରେ, ମଧୁସୂଦନ ନାୟକ ୧୫୪ ଭୋଟ ପାଇ ସାଧାରଣ ସଂପାଦକ ଭାବରେ, ସୁନିଲ ବିଶ୍ୱାଳ ୧୬୨ ଭୋଟ ପାଇ ଯୁଗ୍ମ-ସଂପାଦକ ଭାବରେ, ତ୍ରିନାଥ ସାହୁ ୧୫୮ ଭୋଟ ପାଇ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ସତ୍ୟବାଦୀ ନାଏକ ଯୁଗ୍ମ-କୋଷାଧ୍ୟକ୍ଷ ଭାବରେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ପୁନଶ୍ଚ ପ୍ରଦିପ ସାହୁ (୧୬୬), ତରୁଣ କୁମାର ମିଶ୍ର (୧୬୧), ଅନିଲ କୁମାର ନନ୍ଦ (୧୫୭), ପ୍ରକାଶ ନେପାକ (୧୫୪), ସୁମିତ ରଂଜନ ପୁରୋହିତ (୧୪୮), ଅଂକୁଶ ପାଣ୍ଟିଆ (୧୪୭), ଗୋପବନ୍ଧୁ ପୁରୋହିତ (୧୪୫), ବିନୋଦ ବିହାରି ପାଣିଗ୍ରାହୀ (୧୪୪), ଡା. ପ୍ରମୋଦ କୁମାର ମିଶ୍ର (୧୩୭), ଶରତ ମହାକୁର (୧୩୪), ମହେନ୍ଦ୍ର ଦର୍ଜି(୧୨୮), ଚନ୍ଦ୍ରମଣୀ ଭାଟି (୧୨୨), ମୋତିଲାଲ ସାହୁ (୧୨୧), ପ୍ରଫୁଲ୍ଲ ମିଶ୍ର (୧୧୩), ପିତାମ୍ବର ବନଛୋର (୧୧୩) ଆଦି ୧୫ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ ପାଇଁ ନିର୍ବାଚିତ ହୋଇଥିବା ଜଣାଯାଇଛି । ନବ ନିର୍ବାଚିତ ସଭାପତି ଡ. ମିଶ୍ର ବଲାଙ୍ଗିରର ସାମଗ୍ରିକ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଏବଂ ଦ୍ୱିତୀୟବାର ତାଙ୍କୁ ସଭାପତିରେ ନିର୍ବାଚିତ କରିଥିବାରୁ ସମସ୍ତ ସଭ୍ୟମାନଙ୍କୁ କୃତଜ୍ଞତା ଜଣାଇ ପ୍ରତ୍ୟେକ ସଭାରେ ସମସ୍ତେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେବା ପାଇଁ ଅନୁରୋଧ କରିଛନ୍ତି ।