ଇଡ଼ି ପକ୍ଷରୁ ସାଂସଦ ରାହୁଳ ଗାନ୍ଧୀଙ୍କୁ ଜେରା କରିବା ଘଟଣାକୁ ଗଂଜାମ ଜିଲ୍ଲା କଂଗ୍ରେସ ସଂକଳ୍ପ ଶିବିରରେ ନିନ୍ଦା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନ୍ୟାସନାଲ ହେରାଲଡ଼ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଜେରା କରିଥିବା ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସଂଗଠନ ପକ୍ଷରୁ କୁହାଯାଇ ଏହି ଘଟଣାର ତୀବ୍ର ନିନ୍ଦା କରାଯାଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଏବଂ ଆବଶ୍ୟକ ପଡ଼ିଲେ ଆଗାମୀ ଦିନରେ ଗଂଜାମର ସମସ୍ତ ବ୍ଲକ ସମ୍ମୁଖରେ ଧାରଣା ଦେବା ପାଇଁ ମଧ୍ୟ ସ୍ଥିରୀକୃତ ହୋଇଥିଲା । ଜାତୀୟ କଂଗ୍ରେସର ଆହ୍ୱାନ କ୍ରମେ ଜିଲ୍ଲାସ୍ତରୀୟ ସଂକଳ୍ପ ଶିବିର ମଙ୍ଗଳବାର ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ଉପସଭାପତି ମହେଶ୍ୱର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗତ ପୌର ନିର୍ବାଚନରେ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ôଥନୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ମଞ୍ଜୁ ରଥ, ମହିଳା ନେତ୍ରୀ ସୁବାସିନୀ ପଟ୍ଟନାୟକ, ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ବନଜା ପଣ୍ଡା, ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ଡବ୍ଲ୍ୟୁ ବାଳକୃଷ୍ଣ, ସାଧାରଣ ସଂପାଦକ ଦଣ୍ଡପାଣି ପାତ୍ର, ତାଙ୍କର ଅଧିକାରୀ ପ୍ରମୁଖ ସଂକଳ୍ପ ଦିବସର ତାତ୍ପର୍ଯ୍ୟ ବୁଝାଇବା ସହ କଂଗ୍ରେସ ଦଳକୁ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟତଃ ସାମାଜିକ ନ୍ୟାୟ, ଦଳିତ ସଂଖ୍ୟାଲଘୁଙ୍କ ସମସ୍ୟା ଦୂର କରିବା, ଆର୍ଥିକ ସମସ୍ୟା ଦୂରୀକରଣ, ଯୁବକ ଓ ଯୁବତୀମାନଙ୍କୁ ରୋଜଗାରକ୍ଷମ କରିବା, ପଞ୍ଚାୟତ ସ୍ତରରେ ଦଳକୁ ସୁଦୃଢ଼ କରିବା, କୃଷକର ବିକାଶ ପାଇଁ ସ୍ୱାମୀନାଥନ୍‌ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ଉପରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରବି ରଥ, କିଶୋର କାପୁର, ପଦ୍ମଚରଣ ସାହୁ, ମୃତ୍ୟୁଞ୍ଜୟ ପ୍ରଧାନ, ନାଗଭୂଷଣ ରାଓ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.