ଖଇରମାଲ ଗ୍ରାମର ଦିବ୍ୟାଙ୍ଗ ଯୁବକ ନିଖୋଜ ଘଟଣା : ଅପହରଣ ଅଭିଯୋଗରେ ଥାନାରେ ଅଟକ ୨ଜଣଙ୍କୁ କୋର୍ଟ ଚାଲାଣ, ନିଖୋଜଙ୍କ ପତ୍ତା ମିଳୁନି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଖଇରମାଲ ଗ୍ରାମର ବବଲୁ ବନଛୋର (୧୯) ନାମକ ଜଣେ ଦିବ୍ୟାଙ୍ଗ ଯୁବକ ଗତ ରବିବାର ଦିନଠାରୁ ଗାଁରୁ ନିଖୋଜ ହୋଇଯାଇଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଶୁକ୍ରବାର ଅଟକ ୨ଯୁବକ ଖଇରମାଲ ଗ୍ରାମର ଦଶରଥ ବଗର୍ତ୍ତି (୨୫)ଓ କୁମ୍ଭିପଡା ଗ୍ରାମର ପ୍ରବୀଣ ବିଶି (୨୨)ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ପରିବାର ଲୋକଙ୍କ ଅଭିଯୋଗମତେ ବବଲୁଙ୍କୁ ତାଙ୍କ ଗାଁର ତଥା ଏବେ ବଲାଙ୍ଗିରରେ ରହୁଥିବା ଦଶରଥ ବଗର୍ତ୍ତି(୨୫) ଓ ଟିଟିଲାଗଡ ଥାନା କୁମ୍ଭିପଡା ଗ୍ରାମର ପ୍ରବୀଣ ବିଶି(୨୨)ନାମକ ଦୁଇ ଜଣ ଯୁବକ ବାଇକରେ ବସାଇ ଟିଟିଲାଗଡ ସହରକୁ ନେବା ସହ ମଦଭାଟିରେ ମଦ ପିଇ ଏକ ହୋଟେଲରେ ଖାଇଥିଲେ । ହୋଟେଲରେ ଖାଇବା ପରେ ବବଲୁ ସେତେବେଳଠାରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବବଲୁଙ୍କୁ ଖୋଜିବା ପାଇଁ ଯାଇ ଜଣଙ୍କୁ ଟିଟିଲାଗଡ ରେଳଷ୍ଟେସନରୁ ଧରି ଟିଟିଲାଗଡ ଥାନାର ଜିମା ଦେଇଥିଲେ । ପରିବାର ଲୋକେ ପ୍ରଥମେ ଟିଟିଲାଗଡ ଥାନାରେ ଏତଲା ଦେଉଥିଲେ ମଧ୍ୟ ଗାଁଟି ମୁରିବାହାଲ ଥାନା ଅନ୍ତର୍ଗତ ହୋଇଥିବାରୁ ମୁରିବାହାଲ ଥାନାରେ ଆସି ଅପହରଣ ଏତଲା ଦେଇଥିଲେ । ମୁରିବାହାଲ ପୁଲିସ କେଶ ନଂ ୨୬୭/୨୩ ରୁଜ୍ଜୁ କରି ଟିଟିଲାଗଡ ଥାନା ପହଞ୍ଚି ଅଟକଙ୍କ ସହ ଦୁଇଜଣଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଥିଲା । ପୁଲିସ ଏସମ୍ପର୍କରେ ଟିଟିଲାଗଡ ସହରର ହୋଟେଲ, ରେଳଷ୍ଟେସନ ସମେତ ଅନ୍ୟାନ୍ୟ ସ୍ଥାନର ସିସିଟିଭି ଫୁଟେଜକୁ ତନ୍ନତନ୍ନ ଯାଞ୍ଚ କରିବା ସହ ଅଟକଙ୍କ ନିକଟରେ ଥିବା ନିଖୋଜ ବବଲୁଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରିଥିଲା । ଜିଆରପି ପୋଲିସ ଜଣେ ଦିବ୍ୟାଙ୍ଗ ଯୁବକ ଟ୍ରେନରେ ଚଢ଼ି ଯାଇଥିବା ପ୍ରକାଶ କରିଥିଲା । ପୁଲିସ ସେହିଦିନଠାରୁ ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖି ବିଭିନ୍ନ ଦିଗରୁ ଅଧିକ ତଦନ୍ତ ଜାରି ରଖିଥିଲା । ଗୁରୁବାର କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ ମଧ୍ୟ ଉଭୟ ଅଟକଙ୍କୁ ଥାନାରେ ଅଧିକ ଜେରା କରିଥିବା ବେଳେ ଶେଷରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ବାବଲୁଙ୍କର କୌଣସି ପତ୍ତା ମିଳୁନଥିବାରୁ ପରିବାର ତଥା ଗ୍ରାମବାସୀ ବିଭିନ୍ନ ଆଶଙ୍କାରେ ଚିନ୍ତାରେ ଅଛନ୍ତି ।

Leave A Reply

Your email address will not be published.