ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳପଡ଼ା ଓ ପଟାମରା ଗ୍ରାମ ମଧ୍ୟବର୍ତ୍ତୀ ଗୋଚର ଜମିର ନର୍ସରୀରେ ଥିବା ଏକ ଚାକୁଣ୍ଡା ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ପୁଲିସ ଦ୍ଵାରା ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଜଣଙ୍କ ଏହି ଥାନା ହଳଦୀ ପଞ୍ଚାୟତ ପାତଳପଡ଼ା ଗ୍ରାମର କୃଷ୍ଣ ପରାଭୋଇ(୫୫)ହୋଇଥିବା ବେଳେ ସେ ଗତ ଆଠ ଦିନ ହେଲା ଘରୁ ନିଖୋଜ ଥିଲେ । ମଙ୍ଗଳବାର ମାଳପଡ଼ା ଗ୍ରାମର ଦ୍ଵିତୀୟା ଭୋଇ ନିଜ ପୁଅ ସହ କାଠ କାଟିବାକୁ ଏହି ନର୍ସରୀକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇ ଡରି ଯାଇଥିଲେ । ସେ ସ୍ଥାନୀୟ ସାମ୍ବାଦିକମାନଙ୍କୁ ଖବର ଦେବାରୁ ସେମାନେ ଘଟଣାସ୍ଥଳକୁ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ଝୁଲନ୍ତା ମୃତଦେହ ଦେଖିବାକୁ ପାଇ ପରିଚୟ ସଂଗ୍ରହ କରିଥିଲା । ଖବର ପାଇ ମୃତକଙ୍କ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ମୃତକ କୃଷ୍ଣ ପ୍ଲାଷ୍ଟିକ ରଶି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ଆଣ୍ଠୁରୁ ତଳକୁ ମାଟିରେ ଲାଗି ରହିଥିଲା । ଗଛରେ ଏକ ଗାମୁଛା, ତଳେ ଏକ ବ୍ୟାଗ୍, ଚପଲ ରହିଥିଲା । ମୃତକଙ୍କ ୨ପୁଅ ଓ ୨ଝିଅ ଥିବା ବେଳେ ତାଙ୍କର ସାମାନ୍ୟ ମସ୍ତିସ୍କ ବିକୃତି ଥିଲା । ସେ ପୂର୍ବରୁ ମଧ୍ୟ ଥରେ ଘରୁ ନିଖୋଜ ଥିବା ବେଳେ ୪ଦିନ ପରେ ପୁଣି ଘରକୁ ଫେରି ଆସିଥିଲେ । ମୃତକଙ୍କ ପୁତୁରା ବିକାଶ ପରାଭୋଇ(୩୭)ଙ୍କ ଏତଲା ଆଧାରରେ ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏ ସମ୍ପର୍କରେ ଥାନାରେ ଅପମୃତ୍ୟୁ କେଶ ନଂ ୧୭/୨୫ ରୁଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସନାତନ ସାହୁ ପ୍ରକାଶ କରିଛନ୍ତି ।