oum

ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ଅଧିନରେ ୧୬୯ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତିପତ୍ର ବଣ୍ଟନ ସମାରୋହ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଗଞ୍ଜାମ ଜିଲ୍ଲାର ନବନିଯୁକ୍ତ ୧୬୯ଜଣ କନିଷ୍ଠ ସହାୟକ ମାନଙ୍କୁ ବୁଧବାର ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏହି ନିଯୁକ୍ତି ପତ୍ର ଜିଲ୍ଲାର ବିଧାୟକ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ସାନଖେମୁଣ୍ଡି ବିଧାୟକଙ୍କ ପ୍ରତିନିଧି ଅତୁଲ୍ୟ ସ୍ୱାଇଁ ମଞ୍ଚାସୀନ ରହି ନିଜ ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ ଯେ’ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ହେଲେ ଜିଲ୍ଲାର ବିଦ୍ୟାଳୟ ମାନଙ୍କରେ ଖାଲି ପଡିଥିବା ପଦ ଗୁଡିକ ପୂରଣ ହେବା ଜରୁରୀ । ଚିକିଟି ଅଞ୍ଚଳରେ ତେଲୁଗୁ ଶିକ୍ଷକ ନିଯୁକ୍ତି ସହିତ ଅନ୍ୟାନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା ଗୁଡିକୁ ସଜାଡିବାର ରହିଛି । କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଜଣାଇଥିଲେ ଯେ, ନବ-ନିଯୁକ୍ତମାନଙ୍କୁ ପ୍ରଦାନ କରାଯାଇଥିବା ପଦବୀର ଗୁରୁତ୍ୱ ବୁଝି ଗୁରୁ ଦାୟିତ୍ୱକୁ ସେମାନେ ସୁଚାରୁ ରୂପେ ସମ୍ପାଦିତ କରିବେ । ଶିକ୍ଷା ବିଭାଗର ସୁନାମ ଯେପରି ହେବ ତାହାକୁ ଦୃଷ୍ଟିରେ ରଖି ନବ ନିଯୁକ୍ତ ଯୁବକ ଯୁବତୀ ନିଜର ପ୍ରତିଭାକୁ ପ୍ରତିପାଦନ କରିବେ । ଛାତ୍ର ଓ ଶିକ୍ଷକ ମଧ୍ୟରେ କୌଣସି ମତ ପାର୍ଥକ୍ୟ ରହିବ ନାହିଁ ସେହିଭଳି ପରିବେଶ ସୃଷ୍ଟିକରି ସମ୍ପର୍କ ସୁଦୃଢ କରିବାକୁ ପ୍ରେରଣା ଦେଇଥିଲେ । ଗଞ୍ଜାମ ଜିଲ୍ଲା ଓଡିଶାରେ ଯେମିତି ଏକ ନମ୍ବର ଜିଲ୍ଲା ଭାବେ ନିଜର ମାନ ବୃଦ୍ଧି କରିବ ସେ ଦିଗରେ ଚେଷ୍ଟା କରନ୍ତୁ ବୋଲି ମତ ରଖିଥିଲେ । ଏଠାରେ ପ୍ରକାଶ ଥାଉକି ଜିଲ୍ଲାର ଶିକ୍ଷା ବିଭାଗ ନିମନ୍ତେ ୧୮୪ ଜଣ ପ୍ରାର୍ଥୀଙ୍କ ଚୟନ ହୋଇଥିଲା । ତନ୍ମଧ୍ୟରୁ ୧୬୯ ଜଣ ପ୍ରାର୍ଥୀ କାଉନସେଲିଂ କୁ ଆସିଥିଲେ । ବଳକା ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ, ଓଡିଶା ଶିକ୍ଷା ସେବା ଅଧିକାରୀଗଣ, ସମସ୍ତ ପ୍ରଧାନ ଶିକ୍ଷକଗଣ, ସମସ୍ତ ବ୍ଲକ ଶିକ୍ଷାଧିକାରୀ ଏବଂ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.