ରାୟପୁର : ଛତିଶଗଡର ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜଙ୍କ ସୂଚନା ଅନୁସାରେ ଜଙ୍ଗଲରେ କିଛି ନକ୍ସଲ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା । ଶୁକ୍ରବାର ସକାଳେ ସୁରକ୍ଷା ବାହିନୀକୁ ସେଠାକୁ ପଠାଯାଇଥିଲା । ଯବାନମାନ ଜଙ୍ଗଲରେ ତଲାସୀ କରିବା ବେଳେ ଅପରାହ୍ନରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ । ଯବାନଙ୍କୁ ଦେଖି ନକ୍ସଲ ଗୁଳିମାଡ଼ କରିବାରୁ ଯବାନମାନେ ପାଲଟା ଗୁଳି ଚଳାଇଥିଲେ । ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଯବାନମାନେ ସେଠାରେ ତଲାସୀ କରିବା ବେଳେ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏଥିସହ ସେଠାରୁ ଏକେ-୪୭ ରାଇଫଲ, ଏସ୍ଏଲ୍ଆର, ଅନ୍ୟ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛନ୍ତି । ଏବେ ବି ଗୁଳି ବିନିମୟ ଜାରି ରହିଥିବା ଆଇଜି କହିଛନ୍ତି ।
