jayashree

ସଦାଇପାଲିରେ ନାଟବାଦୀ-ନାଟଯାତ୍ରା ଫେବୃୟାରୀ ୨୫ରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଉପକଣ୍ଠରେ ଥିବା ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ରଙ୍ଗମଂଚରେ ଚଳିତ ବର୍ଷ ଫେବୃୟାରୀ ୨୫ରୁ ୨୯ ପର୍ଯ୍ୟନ୍ତ ମହାକୋଶଲ କୋଶଲୀ ନାଟବାଦୀ-ନାଟଯାତ୍ରା ଅନୁଷ୍ଠିତ ହେବ ବୋଲି ଆଜିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ନାଟ୍ୟ ସଂଗଠକ ହିମାଂଶୁ ପାଢୀ(ଜୟଗୁଡି) ଅଧ୍ୟକ୍ଷତା କରିଥିବା ବେଳେ ନାଟବାଦୀ-ନାଟଯାତ୍ରାର ସଂଯୋଜକ ହରିନାରାୟଣ ପୁଜାରୀ, ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ ଓ ସଂପାଦକ ଡ.ନାରାୟଣ ପ୍ରସାଦ ମିଶ୍ର ମଂଚାସିନ ଥିଲେ । ସଂପାଦକ ଡ. ମିଶ୍ରଙ୍କ ପ୍ରସ୍ତାବ ଅନୁଯାୟୀ ନାଟ୍ୟକାର ୰ହରିହର ମିଶ୍ର(ବରଗଡ)ଙ୍କ ସ୍ମୃତିରେ ଚଳିତ ବର୍ଷର ନାଟକୋତ୍ସବ ଉସର୍ଗିକୃତ ହେବ ବୋଲି ନିଷ୍ପତି ହୋଇଥିଲା । ପୁନଶ୍ଚ ପ୍ରତ୍ୟେହ କୋଶଲୀ ନାଟ ସହ ରାମଲୀଳା ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ୫ ଦିନରେ ମୋଟ ୭ଟି କୋଶଲୀ ନାଟକ ଓ ୪ଟି ଗୀତିନାଟ୍ୟ ରାମଲୀଳାରୁ କରାଯିବା ପାଇଁ ସ୍ଥିର ହୋଇଛି । ଆଜିର ସଭାରେ ଚିକଲବାହାଲର ଶତୃଘ୍ନ ବେହେରା, କୁନ୍ଦେଇ ମାଲର ମେରୁ ବାରିକ, ଚନ୍ଦ୍ରପୁରର ଶରତ କୁମାର ପୁଟେଲ, ସଦାଇପାଲିର ନିରାକାର ସାଏ, ସତ୍ୟବାଦୀ ନାଏକ ଆଦି କଳାକାର ନାଟକୋତ୍ସବକୁ ସୂଚାରୂ ରୂପେ ପରିଚାଳନା ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ସମସ୍ତଙ୍କ କଥାକୁ ଗୁରୁତ୍ୱ ଦେଇ ଚଳିତ ବର୍ଷ ନାଟ୍ୟଗୁରୁମାନଙ୍କୁ ପୁରସ୍କୃତ କରିବା ସହ ସ୍ମରଣିକା ‘ଚାନ୍ଦଲୀ-୯’ ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାମଜୀ ଯୁବକ ସଂଘର ସଭାପତି ଡା. ପ୍ରମୋଦ କୁମାର ମିଶ୍ର, ବରିଷ୍ଠ ସଦସ୍ୟ ରମେଶ ନାଏକ, ବିରଂଚି ସାଏ, ପ୍ରଫୁଲ୍ଲ ମିଶ୍ର ତଥା ଲୋକନାଥ ସିଂହ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.