
ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟେନଙ୍କ ସହିତ ଟେଲିଫୋନ୍ ଯୋଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

- ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ, ନବସୃଜନ, ସ୍ଥିରତା, ପ୍ରତିରକ୍ଷା, ସୁରକ୍ଷା ଏବଂ ଯୋଗାଣ ଶୃଙ୍ଖଳାର ନମନୀୟତା ଭଳି ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିକୁ ନେତୃବୃନ୍ଦ ସ୍ୱାଗତ କରିଛନ୍ତି ।
- ଭାରତ-ଇୟୁ ଏଫଟିଏ ର ଶୀଘ୍ର ସମାପ୍ତି ପାଇଁ ପ୍ରତିବଦ୍ଧତାକୁ ଦୋହରାଇଲେ ଉଭୟ ନେତା
- ୟୁକ୍ରେନ ସଂଘର୍ଷର ଅନ୍ତ ଘଟାଇବାର ପ୍ରୟାସ ଉପରେ ମତ ବିନିମୟ
ଉଭୟ ନେତାଙ୍କୁ ଆଗାମୀ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ପାଇଁ ଭାରତ ଆସିବାକୁ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମାନ୍ୟବର ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ମାନ୍ୟବର ଉର୍ସୁଲା ଭନ୍ ଡେର୍ ଲେୟେନଙ୍କ ସହ ଏକ ମିଳିତ ଟେଲିଫୋନ୍ ବାର୍ତ୍ତାଳାପ କରିଛନ୍ତି । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଶକ୍ତି ଭାବେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବିଶ୍ୱାସ, ସହଭାଗୀ ମୂଲ୍ୟବୋଧ ଏବଂ ଭବିଷ୍ୟତ ପାଇଁ ଏକ ସାଧାରଣ ଦୃଷ୍ଟିକୋଣ ଆଧାରରେ ଏକ ସୁଦୃଢ଼ ଏବଂ ଘନିଷ୍ଠ ସମ୍ପର୍କ ରହିଛି । ବୈଶ୍ୱିକ ପ୍ରସଙ୍ଗଗୁଡ଼ିକର ମିଳିତ ସମାଧାନ, ସ୍ଥିରତା ବୃଦ୍ଧି ଏବଂ ପାରସ୍ପରିକ ସମୃଦ୍ଧି ପାଇଁ ନିୟମ ଆଧାରିତ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାରେ ଭାରତ-ୟୁରୋପୀୟ ସଂଘ ରଣନୈତିକ ଭାଗିଦାରୀର ଭୂମିକା ଉପରେ ନେତାମାନେ ରେଖାଙ୍କିତ କରିଥିଲେ । ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ, ନବସୃଜନ, ସ୍ଥିରତା, ପ୍ରତିରକ୍ଷା, ସୁରକ୍ଷା ଏବଂ ଯୋଗାଣ ଶୃଙ୍ଖଳାର ନମନୀୟତା ଭଳି ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତିକୁ ମଧ୍ୟ ନେତାମାନେ ସ୍ୱାଗତ କରିଥିଲେ ଏବଂ ଭାରତ-ୟୁରୋପୀୟ ସଂଘ ଏଫଟିଏ ଆଲୋଚନାର ଶୀଘ୍ର ସମାପ୍ତି ତଥା ଆଇଏମଇଇସି କରିଡରର କାର୍ଯ୍ୟକାରିତା ପାଇଁ ସହଭାଗୀ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଫେବୃଆରୀରେ ୟୁରୋପୀୟ ସଂଘ କଲେଜ ଅଫ୍ କମିଶନରଙ୍କ ଐତିହାସିକ ଭାରତ ଗସ୍ତକୁ ଆଧାର କରି, ନେତାମାନେ ପାରସ୍ପରିକ ସୁବିଧା ତାରିଖରେ ଶୀଘ୍ର ଭାରତରେ ପରବର୍ତ୍ତୀ ଭାରତ ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଆୟୋଜନ କରିବା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ନେତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ । ୟୁକ୍ରେନରେ ସଂଘର୍ଷର ଅବସାନ ପାଇଁ ପ୍ରୟାସ ସମେତ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ନେତାମାନେ ମଧ୍ୟ ମତ ବିନିମୟ କରିଥିଲେ । ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଲାଗି ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ନେତାମାନେ ପରସ୍ପରର ଯୋଗାଯୋଗରେ ରହିବାକୁ ସମ୍ମତି ପ୍ରକାଶ କରିଥିଲେ ।