- ଆଧ୍ୟାତ୍ମିକ ଏକତା ଅଂଚଳର ବିକାଶରେ ସହାୟକ ହେଉ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏ ଅଂଚଳର ଆବାଳ ବୃଦ୍ଧ ବନୀତାଙ୍କ ଅନୁରୋଧ ଯୋଗୁଁ ଚନ୍ଦନଭାଟିରେ ଶ୍ରୀଜଗନ୍ନାଥଙ୍କର ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇପାରିଛି । ମୋର ସାମର୍ଥ୍ୟ ମତେ ଯେତେ ହୋଇପାରିଛି ଆପଣମାନଙ୍କ ଅନୁରୋଧ କ୍ରମେ ଏହି ମନ୍ଦିର ନିର୍ମାଣରେ ସହଯୋଗ ହାତ ବଢାଇପାରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଆଶା କରୁଛି ଆପଣମାନଙ୍କ ମନରେ ଥିବା ଧର୍ମୀୟ ଚେତନା ଓ ଆଧ୍ୟାତ୍ମିକତାର ଏକତା ସମଗ୍ର ଚନ୍ଦନଭାଟି ଅଂଚଳର ବିକାଶରେ ସହାୟକ ହେଉ, ଏହା ହିଁ ଆଜିର ଏହି ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠାର ବାର୍ଷିକ ଉତ୍ସବରେ ମୁଁ ପ୍ରଭୁ ଜଗନ୍ନାଥଙ୍କ ଠାରେ କାମନା କରୁଛି ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏ ମନ୍ଦିର ନିର୍ମାଣ ପାଇଁ ଅଂଚଳର ମା’ଭଉଣୀମାନଙ୍କ ମଧ୍ୟରେ ଥିବା ଉତ୍ସାହ ଓ ଉତ୍ସର୍ଗୀକୃତ ମନୋଭାବ ଅତି ପ୍ରଶଂସନୀୟ, ଯେଉଁ ବି କାର୍ଯ୍ୟରେ ମା’ଭଉଣୀମାନେ ଅଣ୍ଟା ଭିଡି ବାହାରି ପଡନ୍ତି ସେ କାମକୁ କୌଣସି ବି ନକରାତ୍ମକ ଶକ୍ତି ଅଟକାଇ ପାରେ ନାହିଁ ବୋଲି ସେ କହିଥିଲେ । ଆଜିର ଏହି ବାର୍ଷିକ ଉତ୍ସବ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସାରାଦିନ ଭଗବାନଙ୍କ ନାମ କିର୍ତ୍ତନ ସହ ପୁଜାର ଆୟୋଜନ କରାଯାଇଥିଲା । ଏଥିରେ ସମଗ୍ର ଚନ୍ଦନଭାଟି ଅଂଚଳର ଲୋକେ ସାମିଲ ହୋଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏହି ମନ୍ଦିର ନିର୍ମାଣ ତଥା ସମ୍ପୂର୍ଣ୍ଣ କରିବା ସମସ୍ତ ଦାୟିତ୍ୱ ଗ୍ରାମବାସୀ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଦେଇଥିଲେ । ଶ୍ରୀ ମିଶ୍ର ମଧ୍ୟ ଲୋକଙ୍କ ଅନୁରୋଧକୁ ସମ୍ମାନ ଜଣାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମସ୍ତ ବନ୍ଦୋବସ୍ତ ଗ୍ରାମବାସୀଙ୍କ ସହାୟତାରେ ତୁଳାଇଥିଲେ । ଆଜି ଏହି ଅବସରରେ କମିଟି ସଭାପତି ସୁଦର୍ଶନ ପ୍ରଧାନ, ସଂପାଦକ ଅଶ୍ୱିନୀ ଖମାରି, ପୂର୍ବତନ ସଭାପତି ରାମଚନ୍ଦ୍ର ପ୍ରଧାନ, ବରିଷ୍ଠ ନାଗରିକ କପିଳେଶ୍ୱର ପାଣିଗ୍ରାହୀ, ପ୍ରଭୁଦତ୍ତ ପ୍ରଧାନ, ଅଶୋକ ଦଲାଇ, ଶ୍ରବଣ ଖମାରୀ, ଟୁନା ପାଣିଗ୍ରାହୀ, ଦେବ ପ୍ରଧାନ, ଅର୍ଜୁନ ଦାଶଙ୍କ ସମେତ ଅଂଚଳର ଅନେକ ମହିଳା ଓ ପୁରୁଷ, ଭକ୍ତବୃନ୍ଦ ଉପସ୍ଥିତ ଥିଲେ ।