ସ୍ମାର୍ଟ ମିଟର ଲଗାଣ ଉପରେ ନାଗରିକ କମିଟିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ଟାଉନ୍‌ ବାଳିକା ବିଦ୍ୟାଳୟର ସଭାଗୃହରେ ବଲାଙ୍ଗିର ନାଗରିକ କମିଟିର ଏକ ସ୍ୱତନ୍ତ୍ର ବୈଠକ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ମତେ ନାଗରିକ କମିଟିର କାର୍ଯ୍ୟକାରୀ କମିଟିର ସମସ୍ତ ସଦସ୍ୟ ମାନଙ୍କ ସମେତ ବଲାଙ୍ଗିରର ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ । ସଭାପତି ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ପରେ ବିଶିଷ୍ଟ କୋଶଲି ଲେଖକ ତଥା ସଂଗ୍ରାହକ ସ୍ୱର୍ଗତ ନିମାଇଁ ଚରଣ ପାଣିଗ୍ରାହୀ ଓ ବାଙ୍ଗାଲାଦେଶ ଦଙ୍ଗାରେ ପ୍ରାଣ ହରାଇ ଥିବା ହିନ୍ଦୁ ଭାଇଭଉଣୀମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ସମସ୍ତେ ୨ ମିନିଟ୍‌ ନିରବ ପ୍ରାର୍ଥନା କରିଥିଲେ । ସଭାପତି ଡ. ମିଶ୍ର ଟାଟା ପାୱାରର ସ୍ମାର୍ଟ ମିଟର ଲଗାଣ ବିରୁଦ୍ଧରେ ଭବିଷ୍ୟତ କାଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ଏ ସ୍ୱତନ୍ତ୍ର ସଭା ଆହୁତ ହୋଇଥିବାର ଅବଗତ କରାଇଥିଲେ । ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନେ ସଭାରେ ନିଜସ୍ୱ ମତ ରଖିଥିଲେ । ନିର୍ଦ୍ଧାରଣ କରାଗଲା ଯେ, ବର୍ତ୍ତମାନ ପାଇଁ ଆନ୍ଦୋଳନାତ୍ମକ ପନ୍ଥା ସ୍ଥଗିତ ରଖି ମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ ଓ ଶକ୍ତି ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ସଦସ୍ୟ ଦୁର୍ଗାପ୍ରସାଦ ହୋତାଙ୍କ ପ୍ରସ୍ତାବ କ୍ରମେ ଆଗାମୀ ସମୟରେ କାଉନ୍‌ସିଲର୍‌ମାନଙ୍କ ମାଧ୍ୟମରେ ପ୍ରତି ପଡାରେ ନାଗରିକ କମିଟି ସଭା କରି ଜନସ୍ୱାର୍ଥ କାର୍ଯ୍ୟକ୍ରମରେ ଅଧିକ ମାତ୍ରାରେ ଜନସାଧାରଣଙ୍କୁ ସଂଶିଷ୍ଟ କରିବାକୁ ସର୍ବ ସମ୍ମତ ସିଦ୍ଧାନ୍ତ ହୋଇଥିଲା । ସ୍ମାର୍ଟ ମିଟର ସଂପର୍କରେ ଜନସାଧାରଣଙ୍କୁ ବିଝାଇବା ପାଇଁ ବିଶେଷଜ୍ଞମାନଙ୍କୁ ନେଇ ତାଙ୍କ ତରଫରୁ ଏକ ଆଲୋଚନା ସଭା କରିବାକୁ ଅଧିକ୍ଷଣ ଯନ୍ତ୍ରୀ ପ୍ରସ୍ତାବ ଦେଇଥିବା ବିଷୟରେ କାର୍ଯ୍ୟକାରୀ କମିଟିର ସଦସ୍ୟ ଗୌର ଚନ୍ଦ୍ର ପୁରୋହିତ ଜଣାଇଥିଲେ । ନାଗରିକ କମିଟି ଏହାକୁ ଗ୍ରହଣ କରିଥିଲା । ସାଧାରଣ ସଂପାଦକ ମଧୁ ସୂଦନ ନାୟକ ଓ ସଦସ୍ୟ ଗୌର ଚନ୍ଦ୍ର ପୁରୋହିତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା ସଭାର ତାରିଖ, ସ୍ଥାନ ଓ ବିଷୟ ନିର୍ଦ୍ଧାରଣ କରି ଅବଗତ କରାଇଲେ ନାଗରିକ କମିଟି ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହିତ ଏହି ସଭାରେ ଯୋଗ ଦେବାକୁ ସ୍ଥିର ହେଲା ଏବଂ ନିର୍ଦ୍ଧାରଣ କରାଗଲା ଯେ, ଆଲୋଚନା ସଭା ପରେ ପରବର୍ତ୍ତି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ । ଆଲୋଚନାରେ ଗୌର ଚନ୍ଦ୍ର ପୁରୋହିତ, ନାରାୟଣ ପାଢି, ଋତୁରାଜ ସିଂ, କିଶୋର ରଥ, ବିନୋଦ ବିହାରି ପାଣିଗ୍ରାହୀ, ଧନଞ୍ଜୟ ମିଶ୍ର, ନରେନ୍ଦ୍ର ଆଚାର୍ଯ୍ୟ, ସୁନିଲ ଚନ୍ଦ୍ର ବିଶ୍ୱାଲ, ଦୁର୍ଗା ପ୍ରସାଦ ହୋତା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ସହ-ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.