ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଅଁଳା ନବମୀରେ ବେନୁପଡା ଗାଦିବ୍ରହ୍ମ ମଠ ପରିସରରେ ବାଇଧର ଦାସଙ୍କ ମା’ ସାଧବାଙ୍କ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହେବା ସହ ଅଁଳା ଗଛ ପୂଜନ, ଗାଦିବ୍ରହ୍ମ ଓ ରାଧାପାଦ ଦର୍ଶନ ନିମନ୍ତେ ଏବଂ ବିଭୂକୃପା ପାଇଁ ହଜାର ହାଜର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଥିଲା । ଏହିଦିନ ଭକ୍ତମାନେ ନିଜ ନିଜ ବାଡ଼ି ବଗିଚାରୁ ପନିପରିବା ଓ ଫଳମୂଳ ଆଣି ଗାଦିବ୍ରହ୍ମଙ୍କୁ ସମର୍ପଣ କରିଥାନ୍ତି । ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଅହର୍ନିଶ ନଦିଆ ନାମ ସଂକୀର୍ତ୍ତନ, ଘଣ୍ଟ କାହାଳୀ ମୃଦଂଗ ଶଙ୍ଖ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆନନ୍ଦିତ କରିଥିଲା । ସେହିପରି ଘୋରଡିଆ ଗ୍ରାମର ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ପବିତ୍ର ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ରାଧାକାନ୍ତ ଦେବ ମଠ ପରିସରରେ ପ୍ରତିବର୍ଷ ଭଳି ବର୍ଷ ପତିତପାବନ ପାଠାଗାର ପକ୍ଷରୁ ରାମଚରିତ ମାନସ ଓ ନବାହ୍ନ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ସେହିପରି ଚାଇଁପୁର ପଞ୍ଚାୟତ ଗଡକାଳୁପଡା ଗଡଚଣ୍ଡି ପୀଠରେ କାର୍ତ୍ତିକ ମାସ ପଞ୍ଚୁକ ତିଥିରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଅନୁଷ୍ଟିତ ହୋଇଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।
Prev Post
Next Post
 
			