
ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ଜଣେ ନାବାଳକଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି । ମୃତକ ହେଲେ ଅଭୟପୁର ପଞ୍ଚାୟତ ଅଚ୍ୟୁତପୁର ଗ୍ରାମର ପ୍ରଭାସ କୁମାର ସାହୁଙ୍କ ପୁଅ ଓମ୍ ପ୍ରକାଶ ସାହୁ (୧୭ ବର୍ଷ) । ସୂଚନା ମୁତାବକ, ଶନିବାର ସକାଳେ କୌଣସି କାମରେ ଘର ଛାତ ଉପରକୁ ଯାଇଥିବା ବେଳେ ଉପରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଓମ୍ । ତେବେ ଓମ୍ ପ୍ରକାଶଙ୍କ ଦାଦା ଛାତ ଉପରକୁ ଯିବା ବେଳେ ସେ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ପରିବାରଲୋକେ ତାଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଶାୟା ଖେଳିଯାଇଛି ।