ମୁରିବାହାଲ-କଣ୍ଟାବାଞ୍ଜି ଟ୍ରେନ ଲାଇନ ପାର୍ଶ୍ଵରୁ ବିଜେଡ଼ି ନେତାଙ୍କ ମୃତଦେହ ଉଦ୍ଧାର, ଜିଆରପି ପୋଲିସର ତଦନ୍ତ, କାରଣ ଅସ୍ପଷ୍ଟ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳ ଷ୍ଟେସନଠାରୁ ପଶ୍ଚିମ ଦିଗକୁ ୧୮୩/୧୬-୧୮ ରେଳଖମ୍ୱର ରେଳ ଲାଇନ ପାର୍ଶ୍ୱ ପୋଖରୀ ନିକଟରୁ ଗୁରୁବାର କଣ୍ଟାବାଞ୍ଜି ଜିଆରପି ପୋଲିସ ଜଣେ ବିଜେଡ଼ି ନେତାଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତ ବିଜେଡ଼ି ନେତା ଜଣଙ୍କ ମୁରିବାହାଲ ସଦର ମହକୁମାର ଗୋବିନ୍ଦ ବଘାର(୬୧)ବୋଲି ଜଣାପଡିଛି । ସେ ଆଜି ସକାଳର କୌଣସି ଦ୍ରୁତଗାମୀ ଏକ୍ସପ୍ରେସ ଟ୍ରେନରୁ ପଡ଼ିଯାଇଥିବା କିମ୍ବା କୌଣସି ଦ୍ରୁତଗାମୀ ଏକ୍ସପ୍ରେସ ଟ୍ରେନ ତାଙ୍କୁ ଧକ୍କା ଦେଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ମୃତ ଗୋବିନ୍ଦଙ୍କ ଘରେ ତାଙ୍କ ଧର୍ମପତ୍ନୀ ଓ ଜଣେ ପୁତ୍ର ଅଛନ୍ତି । ଖବର ପାଇ କଣ୍ଟାବାଞ୍ଜି ଜିଆରପି ପୋଲିସ ପହଞ୍ଚି ଅଧିକ ତଦନ୍ତ ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ସମ୍ପର୍କରେ ଜିଆର୍ପି ପୋଲିସ ଅପମୃତ୍ୟୁ କେସ ନଂ ୫୫/୨୩ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଶବାଧାରରେ ମୁରିବାହାଲ ସଦର ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ବବିହାରୀ ଯୋଶୀ, ବହୁ ନେତୃସ୍ଥାନୀୟ ବ୍ୟକ୍ତି, ପରିବାର ଓ ଆତ୍ମୀୟ ସ୍ୱଜନ ସାମିଲ ହୋଇଥିଲେ । ସେ ଜଣେ ସ୍ପଷ୍ଟବାଦୀ, ଅମାୟିକ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ମୃତ ଗୋବିନ୍ଦଙ୍କ ପରଲୋକରେ ମୁରିବାହାଲ ବ୍ଲକ ଅଞ୍ଚଳ ସହ ଜିଲ୍ଲାର ବିଭିନ୍ନ ସ୍ଥାନର ବହୁ ନେତୃସ୍ଥାନୀୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।