ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

ଭଞ୍ଜନଗର : ତାରାସିଂ ଥାନା ଅଧୀନ ନୂଆ ବାଙ୍କତରା ଗ୍ରାମରେ ଜମିରେ ପାଣି ମଡାଇବାକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ବେଳେ ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ କବିରାଜ ଗୌଡ଼ (୪୫) । ସୂଚନା ମୁତାବକ କବିରାଜ ନିଜ ପୁଅ ସହ ମିଶି ଜମିକୁ ପାଣି ମଡାଇବାକୁ ଯାଇଥିଲେ । ପୂର୍ବରୁ କବିରାଜଙ୍କ ଭାଇ ଦେବ ଗୌଡ଼ ପରିବାର ସହ ମିଶି ଜମିରେ କାମ କରୁଥିଲେ । କବିରାଜ ନିଜ ଜମିକୁ ପାଣି ମଡ଼ାଇବାକୁ କେନ୍ଦ୍ର କରି ୨ ଭାଇଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଠେଙ୍ଗା ଓ କୁରାଡ଼ି ଧରି ଉଭୟଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା । ସଂଘର୍ଷରେ ୪ ଜଣ ରକ୍ତାକ୍ତ ହୋଇଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କବିରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରଙ୍କୁ ବ୍ରହ୍ମପୁରକୁ ପଠାଯାଇଛି । ତାରାସିଂ ପୋଲିସ ୨ଟି କୁରାଢ଼ୀ ଜବତ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.