ପାଣି, ରାସ୍ତା, ବିଦ୍ୟୁତ୍, ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା ସାତ ସପନ
ଭୋଟ ରାଜନୀତି କେବଳ ବାହାସ୍ଫୋଟ, ଜିତିଲେ କିଏ କାହାର
ଲାମିତୁଠା ଗାଁରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପଡି ନି ପାଦ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକର ଉପାନ୍ତ ମାଓବାଦୀ ପ୍ରବଣ ପଂଚାୟତ କୁଇବାହାଲ । କୁଇବାହାଲ ପଂଚାୟତଟି କୁଇବାହାଲ ସଦର ଗାଁ, ପଖନମୁଣ୍ଡା, ପଣ୍ଡରେନ, ମାନ୍ଦଲା, ସମର ସିଂ ଏବଂ ସେମଲାକୁ ନେଇ ଗଠିତ । ସମସ୍ତ ଗ୍ରାମ ମାଓ ପ୍ରଭାବିତ ଅଂଚଳ । ଏହି ପଂଚାୟତଟି ସଂପୂର୍ଣ୍ଣଭାବେ ଆଦିବାସୀ ବହୁଳ ପଂଚାୟତ ଅଟେ । ପଂଚାୟତର କୁଇବାହାଲ ଏବଂ ସେମଲା ଗାଁରେ ଥିବା ଆଦିବାସୀ ପଡାଗ୍ରାମ (ହେମଲେଟ ଭିଲେଜ)ରେ ବସବାସ କରୁଥିବା ଲୋକେ ଆଜି ବି ମୌଳିକ ଅଧିକାରରୁ ବଂଚିତ ଅଟନ୍ତି । ଏହି ଗ୍ରାମ ଗୁଡିକରେ ପାଣି, ରାସ୍ତା, ବୁଦ୍ୟୁତ, ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା ଆଜି ବି ସାତ ସପନ ପାଲିଟିଛି । ଲାମିତୁଠା ସଂରକ୍ଷିତ ଜଂଗଲର ଲାମି ଓ ତୁଠା ଦୁଇ ପାହାଡର ପାଦ ଦେଶରେ ୫୦ରୁ ୬୦ବର୍ଷ ତଳେ ଏକ ଗାଁ ଗଢି ଉଠିଛି ଯାର ନାମ ଲାମିତୁଠା । ଗାଁରେ ମୁଖ୍ୟତଃ ୩୦ଟି ପରିବାରରୁ ୨୫ଟି ପରିବାର ଆଦିବାସୀ ସଂପ୍ରଦାୟର । ଗାଁଟି ଗଢି ଉଠିବା ଦିନଠାରୁ ଜଂଗଳି ସଭ୍ୟତାରେ ବଢିଥିବା ବେଳେ ଜଂଗଲ ଜମିରେ ଚାଷବାସ କରି ନିଜର ପରିବାର ଭରଣ ପୋଷଣ କରିଆସୁଛନ୍ତି । ଜଂଗଲ ଜମିରେ ଦୀର୍ଘ ବର୍ଷରୁ ବସବାସ କରି ଆସୁଥିବାରୁ ବିଭିନ୍ନ ସମୟରେ ଜଂଗଲ ବିଭାଗଦ୍ୱାରା ଅତ୍ୟାଚାରିତ ମଧ୍ୟ ହୁଅନ୍ତି । ନିଜର ପେଟପାଟଣା ପାଇଁ ଯାହା ଚାଷବାସ କରନ୍ତି ବିଭିନ୍ନ ସମୟରେ ଜଂଗଲ ବିଭାଗ ଦ୍ୱାରା ନଷ୍ଟ ମଧ୍ୟ କରାଯାଇଥାଏ ଫଳରେ ଜୀବନ ଜୀବିକା ଚଳିବା ଭାରି କଷ୍ଟ ହୋଇପଡେ । ତେଣୁ ପ୍ରତ୍ୟେକ ବର୍ଷ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯିବା ପାଇଁ ବାଧ୍ୟ ହୁଅନ୍ତି । ଲାମିତୁଠା ଗାଁଟି ସଂରକ୍ଷିତ ଜଂଗଲ ମଧ୍ୟରେ ଥିବାରୁ ସରକାରଙ୍କ ବିଭିନ୍ନ ମୌଳିକ ଯୋଜନାରୁ ବଂଚିତ ଅଟନ୍ତି । ଗାଁରେ ପାଣିର କୌଣସି ସୁବିଧା ନାହିଁ । ଏପରିକି ନଳକୂପ କିମ୍ବା ଅନ୍ୟ କୌଣସି ପୋଖରୀ ନାହିଁ । ବର୍ଷାଦିନରେ ପାହାଡ ତଳେ ଥିବା ଜମିରେ କୂଅ (ଗାଡିଆ) ଖୋଲି ପିଇବା, ଖାଇବାଠାରୁ ଗାଧୋଇବା ପର୍ଯ୍ୟନ୍ତ ବ୍ୟବହାର କରନ୍ତି । ବର୍ଷାପାଣି ବର୍ଷର ମାର୍ଚ୍ଚ ଅପ୍ରେଲ ପର୍ଯ୍ୟନ୍ତ ଯେନତେଣ ପ୍ରକାରେ ଚଳିଯାଏ । କିନ୍ତୁ ମଇମାସଠାରୁ ପାଣି ପାଇଁ ହାହାକାର ହୁଅନ୍ତି । ତେଣୁ ୩ରୁ ୪ କି.ମି. ସେମଲା ଗାଁ କିମ୍ବା ମହୁଲବାହାଲି ଗାଁକୁ ସାଧାରଣ ପିଇବା ପାଇଁ ପାଣି ଆଣି ଯାଆନ୍ତି । ସେହିପରି ଗାଁରେ ବିଜୁଳି ସାତ ସପନ । ଗାଁକୁ ଆଜି ଯାଏ ମଧ୍ୟ ବିଜୁଳି ସଂଯୋଗ ହୋଇ ନାହିଁ । ପୂର୍ବରୁ କିରୋସିନି ମିଳୁଥିଲା କିନ୍ତୁ ଆଜିକାଲି କିରୋସିନି ସରକାରୀ ରିଟେଲ ଦୋକାନ ମିଳୁନାହିଁ ଫଳରେ ଖୋଲା ବଜାରରେ ମିଳୁଥିବା ଛୋଟ ଛୋଟ ଚାଇନିଜ ସୋଲାର ଲାଇଟ ହିଁ ଜଂଗଲୀ ସଭ୍ୟତା ପାଇଁ ବିଦ୍ୟୁତ୍ ଆଲୋକ । ଗାଁରେ ଭଲ ରାସ୍ତାଟିଏ ନାହିଁ । ଜଂଗଲର ପାଦ ଚଲା ରାସ୍ତା ହିଁ ସେମାନଙ୍କ ପକ୍କା ସଡକ ପାଲିଟିଛି । ଫଳରେ କୌଣସି ପ୍ରକାର ସ୍ୱାସ୍ଥଗତ ଅସୁବିଧା ହୁଏ ତେବେ ଗାଁକୁ ଆମ୍ବୁଲାନ୍ସ ଯାଇ ପାରେ ନାହିଁ । ଯଦ୍ୱାରା ୩/ ୪ କି.ମି. ଦୂର ପକ୍କା ରାସ୍ତାକୁ ଗର୍ଭବତୀ ମହିଳା କିମ୍ବା ଅନ୍ୟ ରୋଗୀକୁ ଭାର କରି ଆଣିଲା ପରେ ୧୦କି.ମି. ଦୂର କଂଟାବାଂଜି କିମ୍ବା ତୁରେକେଲା ହସପିଟାଲକୁ ଚିକିତ୍ସା ପାଇଁ ନିଅନ୍ତି ନ ହେଲେ ବୁଲା କ୍ୱାକ୍ ଡାକ୍ତରମାନଙ୍କ ପାଖରେ ଚିକିତ୍ସା ହେବାକୁ ପଡିଥାଏ । ଗାଁରେ ୨୦ରୁ ୩୦ଟି ପ୍ରି ସ୍କୁଲ (ଅଙ୍ଗନୱାଡି) ଶିକ୍ଷା ପାଇବା ଯୋଗ୍ୟ ଛାତ୍ରଛାତ୍ରୀ ଅଟନ୍ତି ହେଲେ ଗାଁରେ ଅଙ୍ଗନୱାଡି ସେଂଟର ନାହିଁ କିମ୍ବା ପ୍ରାଥମିକ ବିଦ୍ୟାଳୟଟିଏ ନାହିଁ । ଗାଁରେ ଥିବା ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ସଂପୂର୍ଣ୍ଣ ଶିକ୍ଷାଦାନରୁ ବଂଚିତ ଥିବା ବେଳେ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଉଭୟ ଅଙ୍ଗନୱାଡି ଏବଂ ପ୍ରାଥମିକ ଶିକ୍ଷାଦାନରୁ ବଂଚିତ ଅଟନ୍ତି । କେତେକ ଛାତ୍ରୀଛାତ୍ର ୩/ ୪ କି.ମି. ଦୂର ସେମଲା କିମ୍ବା ମହୁଲବାହାଲି ପ୍ରାଥମିକ ବିଦ୍ୟାଳୟକୁ ପଢିବାକୁ ଯାଇଥାନ୍ତି । ଗାଁରେ ଏପରି ଅନେକ ସମସ୍ୟା ଆଜି ରହିଥିବା ବେଳେ ବସବାସ କରୁଥିବା ଆଦିବାସୀମାନେ ମୌଳିକ ଅଧିକାରରୁ ବଂଚିତ ଅଟନ୍ତି । ବିଭିନ୍ନ ସମୟରେ ପଂଚାୟତ ନିର୍ବାଚନଠାରୁ ସାଧାରଣ ନିର୍ବାଚନ ହୋଇ ଆସିଛି ହେଲେ ସେମାନଙ୍କ ଜୀବିନ ଜୀବିକା ପାଇଁ ନଳକୂଅ, ବିଦ୍ୟୁତ୍, ରାସ୍ତା ଏବଂ ଶିକ୍ଷାଦାନ ପାଇଁ ବିଦ୍ୟାଳୟଟିଏ ପ୍ରତିଶୃତିରେ ହିଁ ରହିଯାଇଛି । ବିଭିନ୍ନ ସମୟରେ ରାଜନେତାମାନେ ଯାଆନ୍ତି ପ୍ରତିଶୃତି ଦିଅନ୍ତି ହେଲେ କୌଣସି ମୌଳିକ ଅଧିକାର ଆଜି ଯାଏ ପୂରଣ କରି ପାରିନାହାନ୍ତି । ରାଜନେତାମାନଙ୍କ ପମ୍ପା ପ୍ରତିଶୃତିକୁ ବିଶ୍ୱାସ ନ କରି ବାଧ୍ୟ ହୋଇ ଖବରଦାତାମାନଙ୍କଠାରେ ଗୁହାରି କରି ନିଜର ଦାବି ପୁରଣ ପାଇଁ ଅନୁରୋଧ କରିଛନ୍ତି । ଗତ ତା.୧୫/୧୨/୨୦୨୩ ଗୁରୁବାର ଦିନ ଖବରଦାତାମାନଙ୍କୁ ନିଜ ଗାଁକୁ ଡାକି ଗୁହାରି କରିବା ସହିତ ନିଜର ସମସ୍ୟା ଅଭିଯୋଗ କରିଛନ୍ତି । ଗାଁଟି ମାଓ ପ୍ରବଣ ହୋଇଥିବାରୁ ପଂଚାୟତ ଅଧିକାରୀଙ୍କଠାରୁ ଜିଲ୍ଲାପାଳ ଯାଏ କେହି ପାଦ ଦେଇ ନାହାନ୍ତି । ଏପରିକି ତୁରେକେଲା ବିଡିଓ କିମ୍ବା ଅନ୍ୟ ଅଧିକାରୀ ଗାଁଟିଏ ଅଛି ବୋଲି ଜାଣି ନାହାନ୍ତି । ପଂଚାୟତର ସରପଂଚ କିମ୍ବା ୱାର୍ଡ ମେମ୍ବର ବ୍ୟତୀତ ଗ୍ରାମବାସୀ ଅନ୍ୟ ଅଧିକାରୀଙ୍କୁ ଦେଖି ନାହାନ୍ତି । ଗାଁର ସମସ୍ୟା ନେଇ ଏମାନେ ଯାହା କହନ୍ତି –
ଆମ୍ଭେ ୧୯୭୧ ମସିହାରୁ ବସବାସ କରୁଛୁ । ଆମ୍ଭର ଜମିବାଡି ବୋଲି କିଛି ନ ଥିଲା ତେଣୁ ଜଂଗଲ ଜମିରେ ରହି ଚାଷବାସ କରି ଆସୁଛୁ । ରହିବାର ୫୦ବର୍ଷରୁ ହେଲା ରହି ଆସୁଛୁ । ହେଲେ ସରକାରଙ୍କଠାରୁ କିଛି ବି ସୁବିଧା ସୁଯୋଗ ପାଇନାହୁଁ ।
– କଲିନ୍ଦ୍ର ମାଝି
ୱାର୍ଡ ମେମ୍ବର ହିସାବରେ ଏହି ଗାଁଟି ୩ନଂବର ୱାର୍ଡ ଅଧିନରେ ଆସୁଛି । ବିଭିନ୍ନ ସମୟରେ ପଂଚାୟତ ମିଟିଙ୍ଗରେ ଗାଁବାସୀଙ୍କ ସୁବିଧା ପାଇଁ ପ୍ରସ୍ତାବ ଆଣେ ହେଲେ ପଂଚାୟତର ପ୍ରସ୍ତାବ କେବଳ ନାମକୁ ମାତ୍ର । ପଂଚାୟତ କ୍ଷମତାରେ ରାସ୍ତା ଘାଟ, ବିଜୁଳି, ସ୍କୁଲ କରିବାର କୌଣସି କ୍ଷମତା ନାହିଁ । ତେଣୁ ଆମ୍ଭେ କିଛି କରିପାରୁ ନାହୁଁ ।
– ପ୍ରଦିପ ମାଝି, ୱାର୍ଡ ମେମ୍ବର
ଆମ୍ଭର ବାପାମାନଙ୍କର ଜମିବାଡି କିଛି ନ ଥିଲା ତେଣୁ କରି ଜଂଗଲରେ ଆସି ବସବାସ କଲେ । ଜଙ୍ଗଲ ଜମିରେ ଚାଷବାସ କରି ରହିଲେ । ଆମ୍ଭେମାନେ ମଧ୍ୟ ରହି ଆସୁଛୁ । ହେଲେ ଆମ୍ଭମାନଙ୍କୁ ରାସ୍ତା ଘାଟ, ପାଣି, ବିଜୁଳିର ସୁବିଧା ନାହିଁ । ଛୁଆମାନଙ୍କର ପାଠ ପଢିବା ପାଇ ଅଙ୍ଗନୱାଡି ସେଂଟର କି ସ୍କୁଲ ନାହି । ତେଣୁ ୩/୪ କି.ମି. ଜଂଗଲ ରାସ୍ତାରେ ପିଲା ଛୁଆ ପଢି ଯାଉଛନ୍ତି । ଜଂଗଲୀ ଜୀବଜନ୍ତୁ ପ୍ରତି ବିପଦ ରହିଛି ।
– ଋୁଦ୍ରମଣି ଭୋଇ
ଲାମିତୁଠା ଗାଁଟି ରିଜର୍ଭ ଫରେଷ୍ଟ ଅଧିନରେ ରହିଛି । ସରପଂଚଙ୍କ କୌଣସି ନିଜର କ୍ଷମତା ନାହିଁ । ରାସ୍ତାଘାଟ, ପାଣି, ବିଜୁଳି ପାଇଁ ବିଭିନ୍ନ ସମୟରେ ପଂଚାୟତ ଓ ବ୍ଲକ ମିଟିଙ୍ଗରେ ପ୍ରସ୍ତାବମାନ ଦିଆଯାଇଛି ହେଲେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଜିଲ୍ଲାପାଳ ବଲାଙ୍ଗିର ଏହି ଜଂଗଲି ଆଦିବାସୀମାନଙ୍କ ମୌଳିକ ଅଧିକାର ପ୍ରତି ଧ୍ୟାନ ଦେଇ ପାଣି, ରାସ୍ତା, ବିଜୁଳି, ସ୍କୁଲ ବ୍ୟବସ୍ଥା କରିବା ଉଚିତ ।
– ସାମାଜିକ କର୍ମୀ ସୁବାଷ ପୁଟେଲ