ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ନୋଡାଲ ବିଦ୍ୟାପୀଠ ଆନୁକୂଲ୍ୟରେ ବିଦ୍ୟାଳୟସ୍ତରୀୟ ବାର୍ଷିକ ବିଜ୍ଞାନ ମେଳା ବିଦ୍ୟାଳୟ ପରିସରରେ ପ୍ରଦର୍ଶିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କିରଣ କୁମାର ମିଶ୍ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିକଳ୍ପିତ ପ୍ରକଳ୍ପ ଗୁଡିକ ପରିଦର୍ଶନ କରି ତାହାକୁ ମୂଲ୍ୟାଙ୍କନ କରିଥିଲେ । ଆଗାମୀ ୧୫ ତାରିଖରେ ହେବାକୁ ଥିବା ଛତ୍ରପୁର ବ୍ଲକସ୍ତରୀୟ ବିଜ୍ଞାନ ମେଳା ନିମନ୍ତେ ଏଥିରୁ ୫ ଜଣଙ୍କୁ ୫ଟି ପ୍ରକଳ୍ପ ମନୋନୀତ କରାଯାଇଛି । ଅପରାହ୍ନ ଅଧିବେଶନରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ କାମରାଜୁ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗଦେଇ କୁନି ବୈଜ୍ଞାନିକଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଦେଇ ଉତ୍ସାହିତ କରିଥିଲେ । କୁନି କୁନି ବୈଜ୍ଞାନିକ ଭବିଷ୍ୟତରେ ଜାତୀୟସ୍ତର ପର୍ଯ୍ୟନ୍ତ ଯାଇ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଉପଦେଶ ଓ ପରାମର୍ଶ ଦେଇଥିଲେ । ବିଜ୍ଞାନ ମେଳାକୁ ଦୁଇ ବିଜ୍ଞାନ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ପାଢ଼ୀ ଓ ବିଜୟଲକ୍ଷ୍ମୀ ପାତ୍ର ସଂଯୋଜନା କରିଥିବା ବେଳେ ପୁରସ୍କାର ବିତରଣ ଉତ୍ସବକୁ ଅଭିରାମ ସାହୁ, ଯୁଧିଷ୍ଠିର ବେହେରା, ଜୟଶ୍ରୀ ଦୋରା, କୈଳାଶ ବେହେରା, ଭାଗିରଥି ମିଶ୍ର, ବିଜୟ କୁମାର ସାହୁ, ପର୍ଶୁରାମ ପାତ୍ର ପରିଚାଳନା କରିଥିଲେ । ଶେଷରେ ଏନ୍.ସି.ସି. ଫାଷ୍ଟ ଅଫିସର ସୁଧାକର ବଳି ଧନ୍ୟବାଦ ଅର୍ପଣ କରିଥିଲେ ।
Next Post