jayashree

ବ୍ରହ୍ମପୁର ମହୋତ୍ସବ ବନାମ୍ ସିଲ୍କ ସିଟିଫେଷ୍ଟ-୨୦୨୩ରେ ପଲ୍ଲିଶ୍ରୀ ମେଳାକୁ ଅଧିକ ଆକର୍ଷଣୀୟ କରାଯିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ପୁରୁଷ ହକି କପ୍ କ୍ରୀଡା ଅବସରରେ ବ୍ରହ୍ମପୁର ସହରର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ୍ ପଡିଆଠାରେ ଆୟୋଜିତ ହେବାକୁ ଯାଉଛି ପଲ୍ଲିଶ୍ରୀ ମେଳା ଏବଂ ରେଶମ ସହରର ମହୋତ୍ସବ (ସିଲ୍କ ସିଟି ଫେଷ୍ଟିଭାଲ) । ବ୍ରହ୍ମପୁର ମହୋତ୍ସବରେ ପଲ୍ଲିଶ୍ରୀ ମେଳାକୁ ଅଧିକା ଆକର୍ଷଣୀୟ ଓ ଲୋକାଭିମୁଖୀ କରାଯିବ । ଏହି ମେଳଣ ମହୋତ୍ସବ ଚଳିତ ଜାନୁଆରୀ ୧୩ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଯେପରି କି, ଗୋପାଳପୁର ବେଳାଭୂମି ମହୋତ୍ସବରେ ଅନୁଷ୍ଠିତ ପଲ୍ଲିଶ୍ରୀ ମେଳାର ଆୟୋଜନ ହୋଇଥିଲା, ଠିକ ସେହିପରି ବିଭିନ୍ନ କିସମର ଖାଦ୍ୟରୁଚି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କର ହାତ ତିଆରି ଖାଦ୍ୟ ସାମଗ୍ରୀ ଯଥା ଆଚାର, ପାମ୍ପଡ଼, ବଡ଼ି, ସସ୍‌, ଚିଲି, ଜାମ ପ୍ରଭୃତି ଘରକରଣା ସାମଗ୍ରୀ, ହସ୍ତକଳା ଜିନିଷପତ୍ର ଆଦି ପ୍ରଦର୍ଶିତ ହେବା ସାଙ୍ଗକୁ ବିକ୍ରିବଟା ହୋଇ ପାରିଥିଲା । ଏଥିରେ ପଲ୍ଲିଶ୍ରୀ ମେଳାରେ ୧ କୋଟି ୨୦ ଲକ୍ଷ ଟଙ୍କାର ସାମଗ୍ରୀ ବିକ୍ରି ହୋଇଥିଲା । ଏହା ଦ୍ୱାରା ଗ୍ରାମୀଣ ମାଆ ତଥା ଏସଏଚଜି ମହିଳାମାନେ ଅନେକ ଲାଭବାନ ହୋଇପାରିଥିଲେ ।

ବ୍ରହ୍ମପୁର ସିଲ୍କ-ସିଟି ମହୋତ୍ସବରେ ମଧ୍ୟ ପଲ୍ଲିଶ୍ରୀ ମେଳାର ଆୟୋଜନ ହୋଇ ନୂତନ ସାମଗ୍ରୀ ଗୁଡିକ ପ୍ରଦର୍ଶନ ସହିତ ବିକ୍ରିବଟା ହେବ । ଏହି ପଲ୍ଲିଶ୍ରୀ ମେଳାରେ ବହୁତ ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ, ଖାଇବା ସାମଗ୍ରୀ ପ୍ରଭୃତି ବିକ୍ରି ହେଲେ ଅଧିକ ଲାଭାନ୍ୱିତ ହେବେ ବୋଲି ଆଶା କରାଯାଉଛି । ଏହି ପଲ୍ଲିଶ୍ରୀ ମେଳାଟିରେ ୧୫୦ ଗୋଟି ଷ୍ଟଲ ହେବ । କାଠ କାରୁକାର୍ଯ୍ୟ, ଧୂପକାଠି ପ୍ରସ୍ତୁତି ପ୍ରଣାଳୀ, ହସ୍ତତନ୍ତ ପ୍ରସ୍ତୁତି ପ୍ରଣାଳୀ ପ୍ରଦର୍ଶୀତ ହେବ । ଏହି ମେଳାରେ ଖାଦ୍ୟ ସାମଗ୍ରୀ ମଧ୍ୟ ପରିବେଷଣ ସହିତ ଜନସାଧାରଣ ଖାଇବାର ମଜା ନେଇ ପାରିବେ । ପ୍ରତ୍ୟେକ ଦିନ ସଂଧ୍ୟାରେ ଗଞ୍ଜାମ ଜିଲ୍ଲାର ଲୋକନୃତ୍ୟ, ହଲିଉଡ୍, ବଲିଉଡ୍ କଳାକାରଗଣ ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଜାନୁଆରୀ ୧୩ ତାରିଖ ଦିନ ବଲିଉଡ୍ କଳାକାର ବେନି ଦୟାଲ୍ ଓ ଲିଶା ମିଶ୍ର, ୧୪ ତାରିଖ ଦିନ ନିତି ମୋହନ, ଋତୁରାଜ୍, ଗୀତା ମାଧୁରୀ, ସ୍ନିତି ମିଶ୍ର ଓ ମାନୋ ୧୫ ତାରିଖରେ ଉଦିତ୍ ନାରାୟଣ ଓ ଆଦିତ୍ୟ ନାରାୟଣ, ୧୬ ତାରିଖରେ ଦିଶା ପାଟାନୀ, ନାକାଶ୍ ଅଜିଜ୍, ସିମାକ୍ ଓ ୧୭ ତାରିଖରେ ସାନ୍ ଏହା ସହିତ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଗଞ୍ଜାମର ଲୋକକଳା ନୃତ୍ୟ, ଓଡିଶୀ ନୃତ୍ୟ ସହିତ ଭାରତ ନାଟ୍ୟମ୍, ବିହୁ, ମୋହିନୀଆଟ୍ୟମ୍, ମଣୀପୁରୀ, ଝୁମର୍, କଥକ୍ ଏବଂ ଆଧୁନିକ ନୃତ୍ୟ ପରିବେଷଣ ହେବ । ଏହି ମହୋତ୍ସବକୁ ବହୁସଂଖ୍ୟାରେ ଯୋଗଦାନ କରି ମହିଳା ମା’ମାନଙ୍କ ହାତ ତିଆରି ସାମଗ୍ରୀ କିଣି ନେଇ ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଦିଗରେ ପ୍ରୋତ୍ସାହନ ଦେବା ସହିତ କଳାକାରମାନଙ୍କ କଳା ପ୍ରଦର୍ଶନ ଦେଖି ମଜା ନେବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.