ବଲାଙ୍ଗିର, (କେପିଏନ୍ଏସ୍) : ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସିସିଆର୍ଟି ତରଫରୁ ପ୍ରତିବର୍ଷ ଯୁବ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମେଧାବୃତ୍ତି ପ୍ରଦାନ କରାଯାଇଥାଏ । ୨୦୨୦-୨୧ବର୍ଷ ପାଇଁ ଇତିମଧ୍ୟରେ ଏହି ମେଧାବୃତ୍ତି ଘୋଷଣା କରାଯାଇଛି । ଉକ୍ତ ବର୍ଷ ସକାଶେ ଲୋକ ନାଟକରେ ସାଗର କୁମ୍ଭାର ଲୋକ ଗୀତରେ ସୁଶ୍ରୀତା ଗରୁଡ ଓ ଲୋକ ନୃତ୍ୟରେ ପଙ୍କଜିନୀ ପୋଢ଼ ମେଧାବୃତ୍ତି ପାଇଛନ୍ତି । ସାଗର ଅନେକ ବର୍ଷ ହେଲା ଅନ୍ୱେଷା ଅନୁଷ୍ଠାନ ତରଫରୁ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଅଞ୍ଚଳରେ ନିଜର ଲୋକ ନାଟକ ପରିଦର୍ଶନ କରି ଗୌରବ ଆଣି ସାରିଛନ୍ତି । ସୁଶ୍ରୀତା ଘୁଙ୍ଗୁର କଳାପରିଷଦ ତରଫରୁ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଅଞ୍ଚଳରେ ନିଜର ଲୋକ ନୃତ୍ୟ ଓ ଲୋକ ଗୀତ ପରିବେଷଣ କରି ଗୌରବ ଆଣି ସାରିଛନ୍ତି । ପଙ୍କଜିନୀ ବଲାଙ୍ଗିରର ବହୁତ ପୁରୁଣା ଅନୁଷ୍ଠାନ ନଟରାଜ କଳାପରିଷଦ ତରଫରୁ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଅଞ୍ଚଳରେ ନିଜର ଲୋକ ନୃତ୍ୟ ପରିବେଷଣ କରି ଗୌରବ ଆଣି ସାରିଛନ୍ତି । ମେଧାବୃତ୍ତି ପାଇଥିବା ଏହି ୩ଜଣ କଳାକାର ଦୀର୍ଘ ୨ବର୍ଷ ଧରି ପ୍ରଖ୍ୟାତ ଗୁରୁମାନଙ୍କ ନିକଟରେ ଲୋକ କଳାକୁ ଆହୁରି ଶାଣିତ କରିବା ପାଇଁ ଶିକ୍ଷା ଗ୍ରହଣ କରିବେ । ଏହି ୩ଜଣ କଳାକାର ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଅନ୍ୱେଷା ଅନୁଷ୍ଠାନ ସଭାପତି ତଥା ନିର୍ଦ୍ଦେଶକ ପ୍ରକାଶ ଥନାପତି, ଅଶୋକ ଦୀପ, ଘୁଙ୍ଗୁର କଳାପରିଷଦ ସଭାପତି ଜ୍ୟୋସ୍ନା ଗରୁଡ, ଢୋଲ ମୁହୁରୀ କଳାପରିଷଦ ସଭାପତି ନିଳାଞ୍ଚଳ ନନ୍ଦ, ନଟରାଜ କଳାପରିଷଦର ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ ଓ ସହ ସମ୍ପାପଦକ କିଶୋର ଜାଲ, ବିଶିଷ୍ଟ କଣ୍ଠଶିଳ୍ପୀ ନବୀନ ନବୀନ କୁଅଁର, ବିଶିଷ୍ଟ କଣ୍ଠଶିଳ୍ପୀ ଦିଲିପ୍ ଦୀପ, ଯୁବ କଳାକାର ଅଜୟ ନାଗ ଓ ବିପିନ୍ ବାରିକ ପ୍ରମୁଖ ସେମାନଙ୍କୁ ଶୁଭେଛା ଜଣାଇଛନ୍ତି ।
Prev Post