● ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡର ୮ଟି ଜିଲ୍ଲା ଦେଇ ଯିବ ଏସବୁ ରେଳ ଟ୍ରାକ୍
● ବର୍ତ୍ତମାନର ରେଳ ନେଟୱାର୍କରେ ପ୍ରାୟ ୩୦୭ କିଲୋମିଟର ବୃଦ୍ଧି ହେବ
● ୯୦୭୨ କୋଟି ଟଙ୍କାର ଆନୁମାନିକ ବ୍ୟୟବରାଦରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ୨୦୩୦-୩୧ ସୁଦ୍ଧା ସମ୍ପୂର୍ଣ୍ଣ ହେବ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ୯୦୭୨ କୋଟି ଟଙ୍କା (ଆନୁମାନିକ)ର ବ୍ୟୟବରାଦ ସହିତ ତିନୋଟି ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପଗୁଡ଼ିକ ହେଲା…
କ. ଗୋନ୍ଦିଆ-ଜବଲପୁର ଦୋହରୀକରଣ
ଖ. ପୁନରାଖ-କିଉଲ ତୃତୀୟ ଓ ଚତୁର୍ଥ ଲାଇନ
ଗ. ଗମ୍ହାରିଆ-ଚାନ୍ଦିଲ ତୃତୀୟ ଓ ଚତୁର୍ଥ ଲାଇନ୍
ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡ ରାଜ୍ୟର ୮ଟି ଜିଲ୍ଲା ଦେଇ ଯାଇଥିବା ଏହି ତିନିଟି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୦୭ କିଲୋମିଟର ବୃଦ୍ଧି କରିବ।
ପ୍ରସ୍ତାବିତ ଟ୍ରାକ୍ ଦୋହରୀକରଣ ପ୍ରକଳ୍ପ ପ୍ରାୟ ୯୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୫,୪୦୭ ଗ୍ରାମକୁ ରେଳ ସଂଯୋଗରେ ସୁଧାର ଆଣିବ।
ବର୍ଦ୍ଧିତ ଲାଇନ କ୍ଷମତା ଗତିଶୀଳତାକୁ ଯଥେଷ୍ଟ ବୃଦ୍ଧି କରିବ, ଯାହା ଫଳରେ ଭାରତୀୟ ରେଳବାଇ ପାଇଁ କାର୍ଯ୍ୟକ୍ଷମ ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତା ଉନ୍ନତ ହେବ। ଏହି ଟ୍ରାକ୍ ଦୋହରିକରଣ ପ୍ରସ୍ତାବଗୁଡ଼ିକ ଯାତାୟାତକୁ ସୁବ୍ୟବସ୍ଥିତ କରିବା ଏବଂ ଭିଡ଼ ହ୍ରାସ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତର ଦୃଷ୍ଟିକୋଣ ଅନୁରୂପ ଯାହା ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଏହି କ୍ଷେତ୍ରରେ ବ୍ୟାପକ ବିକାଶ ଦ୍ୱାରା ‘‘ଆତ୍ମନିର୍ଭର’’ କରିବ। ଏହା ମଧ୍ୟ ସେମାନଙ୍କ ପାଇଁ ନିଯୁକ୍ତି / ଆତ୍ମନିଯୁକ୍ତି ସୁଯୋଗ ବୃଦ୍ଧି କରିବ।
ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନରେ ଯୋଜନା କରାଯାଇଛି, ଯେଉଁଥିରେ ସମନ୍ୱିତ ଯୋଜନା ଏବଂ ଅଂଶୀଦାରମାନଙ୍କ ପରାମର୍ଶ ମାଧ୍ୟମରେ ବହୁମୁଖୀ ସଂଯୋଗ ଏବଂ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକ ନାଗରିକ, ସାମଗ୍ରୀ ଏବଂ ସେବାର ପରିବହନ ପାଇଁ ସୁଗମ ଯୋଗାଯୋଗ ପ୍ରଦାନ କରିବ।
ପ୍ରସ୍ତାବିତ କ୍ଷମତା ବୃଦ୍ଧି ଦ୍ୱାରା ଦେଶର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସହିତ ରେଳ ସଂଯୋଗୀକରଣରେ ସୁଧାର ଆସିବ। କଚନାର ଶିବ ମନ୍ଦିର (ଜବଲପୁର), କାନ୍ହା ଜାତୀୟ ଉଦ୍ୟାନ (ବାଲାଘାଟ), ଗଙ୍ଗୁଲପାରା ନଦୀ ବନ୍ଧ ଏବଂ ଜଳପ୍ରପାତ, ପେଞ୍ଚ ଜାତୀୟ ଉଦ୍ୟାନ, ଧୂଆଁଧାର ଜଳପ୍ରପାତ, ବର୍ଗୀ ଡ୍ୟାମ୍, ଗୋମଜୀ-ସୋମଜୀ ମନ୍ଦିର, ଚାଣ୍ଡିଲ୍ ଡ୍ୟାମ୍, ଡାଲମା ହିଲ୍ ଟପ୍, ହେସାକୋଚା ଜଳପ୍ରପାତ, ରାଇଜାମା ଘାଟି, ଡାଲମା ବନ୍ୟପ୍ରାଣୀ ଅଭୟାରଣ୍ୟ ଇତ୍ୟାଦି ଏଥିରେ ସାମିଲ ରହିଛି।
ଏହି ପ୍ରକଳ୍ପଗୁଡ଼ିକ କୋଇଲା, ଇସ୍ପାତ, ଲୁହାପଥର, ସିମେଣ୍ଟ, ବାଲାଷ୍ଟ ଏବଂ ପଥର ଖଣ୍ଡ, ଫ୍ଲାଏ ଆସ୍, ସାର, ଚୂନାପଥର, ମାଙ୍ଗାନିଜ୍, ଡୋଲୋମାଇଟ୍, ଖାଦ୍ୟଶସ୍ୟ, ପିଓଏଲ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ 52 ଏମଟିପିଏ (ବାର୍ଷିକ ନିୟୁତ ଟନ୍) ଅତିରିକ୍ତ ମାଲ ପରିବହନ ହେବ। ପରିବେଶ ଅନୁକୂଳ ଏବଂ ପରିବହନର ଶକ୍ତି ସଂରକ୍ଷଣକାରୀ ମାଧ୍ୟମ ହୋଇଥିବାରୁ, ରେଳବାଇ ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚକୁ ହ୍ରାସ କରିବାରେ, ତୈଳ ଆମଦାନୀ (୬ କୋଟି ଲିଟର) ହ୍ରାସ କରିବାରେ ଏବଂ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ (୩୦ କୋଟି କିଲୋଗ୍ରାମ)କୁ ହ୍ରାସ କରିବାରେ ସାହାଯ୍ୟ କରିବ ଯାହା ଏକ କୋଟି ଗଛ ଲଗାଇବା ସହିତ ସମାନ ।