କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ତିନି ପ୍ରତିଶତ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କୁ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତିକୁ କ୍ୟାବିନେଟ ମଞ୍ଜୁରି
ନୂଆଦିଲ୍ଲୀ, (ଦେବାଶିଷ ମିଶ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ୍ (ଡିଆର)ର ଏକ ଅତିରିକ୍ତ କିସ୍ତି ଜାରି କରିବାକୁ ଅନୁମୋଦନ କରିଛି । ବର୍ଦ୍ଧିତ ଡିଏ ଏବଂ ଡିଆର ଗତ ଜୁଲାଇ ପହିଲା ଠାରୁ ଲାଗୁ ହେବ । ବର୍ତ୍ତମାନର ୫୫% ମୂଳ ବେତନ/ପେନସନ ଉପରେ ୩% ଅତିରିକ୍ତ ଆକାରରେ ବର୍ଦ୍ଧିତ ଡିଏ ଓ ଡିଆର୍ ମିଳିବ । ଯାହାଫଳରେ ସରକାରୀ କର୍ମଚାରୀ ଓ ପେନସନଭୋଗୀ ମୂଲ୍ୟବୃଦ୍ଧିର କ୍ଷତିପୂରଣ ପାଇପାରିବେ । ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ଉଭୟରେ ବୃଦ୍ଧି ହେତୁ ରାଜକୋଷ ଉପରେ ପ୍ରତିବର୍ଷ ୧୦୦୮୩.୯୬ କୋଟି ଟଙ୍କାର ମିଳିତ ବୋଝ ପଡ଼ିବ । ଏହା ପ୍ରାୟ ୪୯.୧୯ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮.୭୨ ଲକ୍ଷ ପେନସନଭୋଗୀଙ୍କୁ ଲାଭ ଦେବ । ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସ ଉପରେ ଆଧାରିତ ସୂତ୍ର ଅନୁସାରେ ଏହି ବୃଦ୍ଧି କରାଯାଇଛି ।