ପାଟଣେଶ୍ୱରୀ ମନ୍ଦିର ବିବାଦ : ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ରଖିଲେ ମଧୁସୂଦନ, କହିଲେ- ଜଣେ ହିନ୍ଦୁ ଇସ୍କନ ଅନୁଷ୍ଠାନ ସହିତ ଜଡ଼ିତ ହେଲେ, ତା’ର ହିନ୍ଦୁତ୍ୱରେ ପରିବର୍ତନ ହୁଏନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣେଶ୍ୱରୀ ମନ୍ଦିର ବିବାଦକୁ ନେଇ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ରଖିଛନ୍ତି ପାଟଣେଶ୍ୱରୀ ମନ୍ଦିରର ଅନ୍ୟତମ ସେବାୟତ ମଧୁସୂଦନ ଦିଶ୍ରୀ । ଜଣେ ହିନ୍ଦୁ ଇସ୍କନ ଅନୁଷ୍ଠାନ ସହିତ ଜଡ଼ିତ ହେଲେ, ତା’ର ହିନ୍ଦୁତ୍ୱରେ ପରିବର୍ତନ ହୁଏନାହିଁ ବୋଲି ସେ ମତ ରଖିଛନ୍ତି ।

ସେ କହିଛନ୍ତି ଯେ, ମୋର ପିତାଙ୍କ ଦେହାନ୍ତ ପରେ ଅନ୍ୟ ଦୁଇ ଭାଇଙ୍କ ସହିତ ସତ୍ୱାଧିକାର ସୂତ୍ରରେ ମୁଁ ମଧ୍ୟ ମା’ ପାଟଣେଶ୍ୱରୀଙ୍କ ପୂଜା ଓ ନୀତିକାନ୍ତି କରିବାର ଅଧିକାର ପ୍ରାପ୍ତ ହୋଇଛି । ମୁଁ ମନ୍ଦିରରେ ପୂଜା କରୁଥିବା ସମୟରେ ଆମର ମଝିଆ ଭାଇ ମହେନ୍ଦ୍ର କୁମାର ଦିଶ୍ରୀଙ୍କ ଦ୍ୱାରା ପ୍ରରୋଚିତ ହୋଇ କେଶରୀୟା ହିନ୍ଦୁ ବାହିନୀର ସଦସ୍ୟ ଓ କିଛି ଅସାମାଜିକ ବ୍ୟକ୍ତି ମନ୍ଦିର ଭିତରକୁ ଧସେଇ ପଶି ମତେ ଅଣ ହିନ୍ଦୁ ବୋଲି ଆକ୍ଷେପ କରି ଯୁକ୍ତିତର୍କ କରିଥିଲେ । ‘ତୁମେ ଇସ୍କନ ଧର୍ମାବଲମ୍ବୀ ହୋଇଥିବା ଯୋଗୁଁ ମା ପାଟଣେଶ୍ୱରୀ ଦେବୀଙ୍କ ପୂଜା କରି ପାରିବ ନାହିଁ’ ବୋଲି ଧମକ୍‌ ଚକମ୍‌ ଦେଇଥିଲେ । ଗତ ତା୨୫/୧୧/୨୦୨୧ରିଖ ଦିନ କେଶରୀୟା ହିନ୍ଦୁ ବାହିନୀର କିଛି ସଦସ୍ୟ ମତେ ପୂଜା କର୍ମରୁ ବହିସ୍କାର କରିବା ଉଦ୍ଦେଶ୍ୟରେ ମନ୍ଦିର ପ୍ରାଙ୍ଗଣରେ ଧାରଣା ମଧ୍ୟ ଦେଇଥିଲେ ।

ସେ ଦୃଢ଼ତାର ସହ କହିଛନ୍ତି ଯେ, , ଇସ୍କନ କୌଣସି ଏକ ଧର୍ମ ନୁହେଁ । ଇସ୍କନ ଏକ ହିନ୍ଦୁ ଧର୍ମ ଅନୁଷ୍ଠାନ । ଜଣେ ହିନ୍ଦୁ ଇସ୍କନ ଅନୁଷ୍ଠାନ ସହିତ ଜଡ଼ିତ ହେଲେ, ତା’ର ହିନ୍ଦୁତ୍ୱରେ ପରିବର୍ତନ ହୁଏନାହିଁ । ଇସ୍କନ ଧର୍ମାନୁଷ୍ଠାନର ପ୍ରତିଷ୍ଠାତା ନିଜେ ପଶ୍ଚିମବଙ୍ଗର ଜଣେ ନିଷ୍ଠାପର ହିନ୍ଦୁ । ଜଗନ୍ନାଥ ସଂସ୍କୃତି ଓ କୃଷ୍ଣ ପ୍ରେମର ଭାବାବେଗକୁ ଲୋକଙ୍କ ମଧ୍ୟରେ ଜାଗ୍ରତ କରି ସାରା ବିଶ୍ୱରେ ହିନ୍ଦୁ ଧର୍ମର ପରିସର ବୃଦ୍ଧି କରିବା ଇସ୍କନ ଧର୍ମର ମୂଳ ଲକ୍ଷ୍ୟ ।

ତାଙ୍କ ମତ ଦେବାକୁ ଯାଇ ସେ ଆହୁରି କହିଛନ୍ତି ଯେ, କେଶରୀୟା ହିନ୍ଦୁ ବାହିନୀ ତା’ର ଦାବୀପତ୍ରରେ ପୁରୀ ମନ୍ଦିର କଥା ଉଲ୍ଲେଖ କରିଛନ୍ତି । ପ୍ରକାଶ ଥାଉ କି, ସମଗ୍ର ବିଶ୍ୱରେ ଇସ୍କନର ଭକ୍ତମାନେ ଅଛନ୍ତି । ବିଧିମତେ ପୁରୀ ଜଗନ୍ନାଥ ମନ୍ଦିରକୁ କୌଣସି ବିଦେଶୀ ପର୍ଯ୍ୟଟକଙ୍କୁ ପ୍ରବେଶ କରାଇ ଦିଆଯାଏନାହିଁ ସେ ଇସ୍କନର ଭକ୍ତ ହୋଇଥା’ନ୍ତୁ ବା ଅନ୍ୟ କେହି ବି ହୋଇ ଥା’ନ୍ତୁ । ବିଦେଶୀ ମାତ୍ରକେ ପୁରୀ ମନ୍ଦିରକୁ ପ୍ରବେଶ ନିଷେଧ । ସେହି କ୍ରମରେ ବିଦେଶୀ ଇସ୍କନ ଭକ୍ତଙ୍କୁ ମଧ୍ୟ ପୁରୀ ମନ୍ଦିରକୁ ପ୍ରବେଶ ପାଇଁ ବାରଣ କରାଯାଇଥାଏ । ଭାରତୀୟ ଇସ୍କନ ଭକ୍ତଙ୍କ ପାଇଁ ଏହି ବିଧି ଲାଗୁ ହୁଏନାହିଁ । ସେମାନେ ଅବାଧ ଭାବରେ ପୁରୀ ମନ୍ଦିରକୁ ପ୍ରବେଶ କରି ଜଗନ୍ନାଥଙ୍କ ଦର୍ଶନ କରନ୍ତି । ପୁଣି ଥରେ କହି ରଖୁଛି ଯେ, ଇସ୍କନ ଏକ ଧର୍ମ ନୁହେଁ ଏବଂ ତା’ର ସଦସ୍ୟ ଇସ୍କନ ଧର୍ମାବଲମ୍ବୀ ନୁହନ୍ତି । ଜଗନ୍ନାଥପ୍ରେମୀ ଓ କୃଷ୍ଣପ୍ରେମୀ ଭକ୍ତବୃନ୍ଦ ଇସ୍କନ ଧର୍ମାନୁଷ୍ଠାନର ସଦସ୍ୟ ହୋଇ ହିନ୍ଦୁ ଧର୍ମର ମହିମା ପ୍ରତିଷ୍ଠା ତଥା ପ୍ରଚାର ପ୍ରସାର ଦିଗରେ ସହାୟକ ହୋଇଥା’ନ୍ତି । ସେଥିପାଇଁ ଇସ୍କନ ଧର୍ମାନୁଷ୍ଠାନର ସଦସ୍ୟ ହୋଇଥିଲେ ମଧ୍ୟ ମୁଁ ଜଣେ ବିଶୁଦ୍ଧ ହିନ୍ଦୁ ଏବଂ ହିନ୍ଦୁ ଧର୍ମର ସମସ୍ତ ଦେବାଦେବୀଙ୍କୁ ସେବାପୂଜା କରିବାର ଅଧିକାର ମୋର ରହିଛି ।

ତାଙ୍କ ନାମ ପରିବର୍ତନ କଥା ଅଭିଯୋଗ ହୋଇଥିବା ବିଷୟରେ ସେ କହିଛନ୍ତି ଯେ, ଏହି ନାମଗୁଡ଼ିକ ଉପାଧି କ୍ରମରେ ଇସ୍କନ ଦ୍ୱାରା ପ୍ରଦତ୍ତ ହୋଇଥାଏ । ଏହାଦ୍ୱାରା ମୂଳ ନାମ ଓ ତଦ୍‌ଜନିତ ସତ୍ୱ ବା ପରିଚୟର କୌଣସି ପରିବର୍ତନ ହୁଏନାହିଁ । ଇସ୍କନ ଦ୍ୱାର ଦିଆଯାଇଥିବା ଉପାଧି କେବଳ ଇସ୍କନ ସଂସ୍ଥାରେ ହିଁ ପ୍ରଯୁଜ୍ୟ ହୋଇଥାଏ, ଯାହାକି ସଂସ୍ଥାରେ ନିଜର ପରିଚୟ ଓ ସମ୍ମାନ ବୃଦ୍ଧି କରିଥାଏ । ମଧୁସୂଦନ ଦିଶ୍ରୀ ନାମରେ ମୋର ଆଧାର କାଡର଼୍ ମଧ୍ୟ ରହିଛି ।

ତେବେ ପାଟଣେଶ୍ୱରୀ ମନ୍ଦିରର ଅନ୍ୟତମ ସେବାୟତ ମଝିଆ ଭାଇ ମହେନ୍ଦ୍ର କୁମାର ଦିଶ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କେଶରୀୟା ହିନ୍ଦୁ ବାହିନୀର ସଦସ୍ୟମାନଙ୍କୁ ମୁଁ ପ୍ରରୋଚିତ କରିଥିବା ଆକ୍ଷେପ ମିଥ୍ୟା ଅଟେ । ଏଥିରେ ମୋର ସାମାନ୍ୟ ବି ସଂପୃକ୍ତି ନାହିଁ ବୋଲି ସେ ନିଜର ମତ ରଖିଛନ୍ତି ।

Leave A Reply

Your email address will not be published.