ମା’ ବୁଢ଼ି ଠାକୁରାଣୀ ଯାତ୍ରା ପାଇଁ ଚାଲୁ ରହିଛି ଅସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡ) : ମା’ ବୁଢ଼ି ଠାକୁରାଣୀଙ୍କ ଯାତ୍ରା ପାଇଁ ଅସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଛାମୁଣ୍ଡିଆ ନିର୍ମାଣ ପାଇଁ କାଠ ପହଞ୍ଚିଛି । ଦେଶୀବେହେରାଙ୍କ ତରଫରୁ ଅସ୍ଥାୟୀ ମଣ୍ଡପ ଏବଂ ସମ୍ମୁଖ ଏକ ବଖରା ଛାମୁଣ୍ଡିଆ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଦେଶୀ ବେହେରା ସାହି ବଣିକ ସଂଘ ପ୍ରସ୍ତୁତ କରିଥାନ୍ତି ୧୬ ବଖରା ଛାମୁଣ୍ଡିଆ । ଏଥିପାଇଁ ବୁଧବାର କାଠ ପହଞ୍ଚିଲା । କାଳୁଆ ପାହାଡ଼ ପାଦଦେଶର ବିକାଶପୁର ଅଞ୍ଚଳରୁ ନଳ ବାଉଁଶ ଆସିଛି । ଏଥିସହ ନରେନ୍ଦ୍ରପୁରରୁ ଚାବୁକ କାଠ ଓ କାଳୁଆ ପାହାଡ଼ ଅଞ୍ଚଳରୁ ସଲପ ଡାଳ ଆସିଥାଏ ।

ତେବେ ୧୬ ବଖରା ଛାମୁଣ୍ଡିଆକୁ ନିର୍ମାଣ ପାଇଁ ଲାଗିଥାଏ ୪୮ଟି ଖୁଣ୍ଟି ଏବଂ ୬୪ଟି ଶେଣି କାଠ । ମୋଟ ୧୧୨ ଖଣ୍ଡ କାଠରେ ଛାମୁଣ୍ଡିଆ ନିର୍ମାଣ ହୋଇଥାଏ । ଏହି ଛାମୁଣ୍ଡିଆ ଧର୍ମାଝଣ୍ଡା ଠାରୁ ଗୁଡ଼ବଜାର ପର୍ଯ୍ୟନ୍ତ ପଡ଼ିଥାଏ । ଛାମୁଣ୍ଡିଆର ଉଚ୍ଚତା ୧୪ଫୁଟ ୬ଇଞ୍ଚ ରହିଥାଏ । ସେହିଭଳି ଛାମୁଣ୍ଡିଆ ମୋଟ ୧୨୦ ଫୁଟ ଲମ୍ବ ଏବଂ ୪୦ଫୁଟ ଓସାର ରହିଥାଏ । ତେବେ ଦୀର୍ଘ ୪୦ ବର୍ଷ ଧରି ମା’ଙ୍କ ଯାତ୍ରାରେ ୧୬ ବଖରା ଛାମୁଣ୍ଡିଆ ନିର୍ମାଣ କରନ୍ତି ଗୋସାଇଁନୂଆଗାଁ ହରିହରନଗରର ବୁଦ୍ଧିଆ ମହାରଣା । ମୁଖ୍ୟ ମହାରଣା ଭାବେ ନିଜର କାର୍ଯ୍ୟ ତୁଲାଇବା ସହ ୧୨ ଜଣ ଅତିରିକ୍ତ ମହାରଣା ଏବଂ ୬ଜଣ ଶ୍ରମିକ ନିୟୋଜିତ ହୋଇଥାନ୍ତି । ଏଥିସହ ପରିବାରର ପୁଅମାନେ ମଧ୍ୟ ଏହି କାର୍ଯ୍ୟରେ ଶ୍ରମଦାନ କରିଥାନ୍ତି ବୋଲି ସେ କହିଛନ୍ତି । ୩ଟଙ୍କା ପାରିଶ୍ରମିକରୁ ବର୍ତ୍ତମାନ ୬୫୦ ଟଙ୍କା ପାରିଶ୍ରମିକ ମିଳୁଥିବା ବୁଦ୍ଧିଆ କହିଛନ୍ତି ।

ଖରାଦିନ ସମୟରେ ମା’ଙ୍କ ଯାତ୍ରା ହେଉଥିବା ବେଳେ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଯାତ୍ରା ଦେଖିବା ପାଇଁ ଆସିଥାନ୍ତି । ଖରା ଦାଉରୁ ରକ୍ଷା ପାଇବା ପାଇଁ ଛାମୁଣ୍ଡିଆ ଉପରେ ନଡ଼ିଆ ବାଉଙ୍ଗା ଏବଂ ସଲପ ଡାଳ ପକାଯାଇଥାଏ । କାଠ ପହଞ୍ଚିଥିବା ବେଳେ ଛାମୁଣ୍ଡିଆ କାର୍ଯ୍ୟ ଆରମ୍ଭ ହେବ ବୋଲି ବଣିକ ସଂଘ କାର୍ଯ୍ୟକାରୀ ସଭାପତି ପି. ଭେଙ୍କେଟ ରମଣ, ସମ୍ପାଦକ ରବୀନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ଟୁଟୁ ଗୌଡ଼, କୋଷାଧ୍ୟକ୍ଷ ପି. ପ୍ରଭାକର ପ୍ରମୁଖ କହିଛନ୍ତି ।

Leave A Reply

Your email address will not be published.