ଶିକ୍ଷକଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ : ବଦଳି ବନ୍ଦ, ଦରମା ବି ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୧ ପରବର୍ତ୍ତୀ ବ୍ୟାଚର ଶିକ୍ଷକ ନିଯୁକ୍ତିରେ ଗାଇଡ୍ ଲାଇନ୍‌କୁ ଅନୁସରଣ ନ କରି ନିଯୁକ୍ତି ପ୍ରଦାନ, ଖାଲି ପଦବୀ ସଂଖ୍ୟା ନ ଦର୍ଶାଇ, ମେଧା ତାଲିକାକୁ ଗୁରୁତ୍ୱ ନ ଦେଇ ନିଜ ମନରେ ଯାହା ଆସିଲା ଶିକ୍ଷକଙ୍କୁ ଦୂରଦୂରାନ୍ତରରେ ନିଯୁକ୍ତି ଦିଆଯାଇଛି । ଏତଦ୍‌ ଦ୍ୱରା ମେଧା ତାଲିକାର ଆଗଧାଡିରେ ଶିକ୍ଷକଙ୍କୁ ଦୂରବର୍ତ୍ତୀ ସ୍ଥାନରେ ଥିବା ବ୍ଲକରେ ନିଯୁକ୍ତି ଦେବା ସହ ପଛରେ ଥିବା ଶିକ୍ଷକମାନଙ୍କୁ ନିଜ ନିଜ ବ୍ଲକରେ ନିଯୁକ୍ତି ଦେବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ସୋହେଲା, ବିଜେପୁର, ଭଟଲି, ଗାଇସିଲେଟ ବ୍ଲକର ଶିକ୍ଷକମାନେ ଦୀର୍ଘ ଦିନ ହେଲା ଝାରବନ୍ଧ ବ୍ଲକରେ ଶିକ୍ଷକତା କରୁଛନ୍ତି । ସେମାନଙ୍କ ପାଇଁ ବଦଳି ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ଚର୍ଚ୍ଚା ହେଉଛି । କିଛି ଶିକ୍ଷକମାନଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନେ ନିୟମ ବାହାରେ ବଦଳି କରିଥିବା ବେଳେ କିଛି ଶିକ୍ଷକମାନଙ୍କୁ ଆକ୍ରୋଶ ମୂଳକ ଭାବେ ଝାରବନ୍ଧ ବ୍ଲକରୁ ବଦଳି କରାଯାଉନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।ବାରମ୍ବାର ବଦଳି ପାଇଁ ଅନଲାଇନ୍ ଆବେଦନ କଲେ ମଧ୍ୟ ବରଗଡ଼ ଜିଲ୍ଲାରେ ଆବେଦନକୁ ଅଣଦେଖା କରାଯାଉଛି । ଯଦ୍‌ ଦ୍ୱାରା ବଦଳି ପାଇଁ ଆଶାୟୀ ଶିକ୍ଷକମାନେ ମାନସିକ ଭାବରେ ଦୁର୍ବଳ ହୋଇ ପଡୁଛନ୍ତି । ଶିକ୍ଷକଙ୍କ ସୁବିଧା ଅସୁବିଧାକୁ ନ ଜାଣି କିମ୍ବା ଜାଣିବାକୁ ନ ଚାହିଁ ଆବେଦନକାରୀ ପୁରୁଷ ଶିକ୍ଷକ ମାନଙ୍କର ଦରଖାସ୍ତ ଯାହାକି ପୂର୍ବ ବର୍ଷମାନଙ୍କରେ ଗ୍ରହଣୀୟ ହେଉଥିଲା, ଏ ବର୍ଷ କାହିଁକି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ବାତିଲ୍ କରାଗଲା ତାହା ସନ୍ଦେହ ଘେରକୁ ଆସିଛି ।କିଛି ଦିନ ପୂର୍ବରୁ ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ତତ୍କାଳୀନ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଜେଲ ପଠାଯିବା ପରେ ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଝାରବନ୍ଧ ବ୍ଲକର ଶିକ୍ଷକ ମାନଙ୍କ ପ୍ରତି ଆକ୍ରୋଶ ମନୋଭାବ ଦେଖିବାକୁ ମିଳିଛି । ୨୨ ତାରିଖ ହୋଇଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଜୁନ ମାସର ଦରମା ପ୍ରଦାନ କରାଯାଇ ନାହିଁ ଯାହା ଫଳରେ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଆଗାମୀ ସୋମବାର ଦିନ ଝାରବନ୍ଧ ବ୍ଲକରେ ବରଗଡ଼ ଜିଲ୍ଲାପାଳ ମହୋଦୟାଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଅଛି ଏହି ସମୟରେ ଉକ୍ତ ବିଷୟକୁ ଉପସ୍ଥାପନ କରିବା ପାଇଁ କିଛି ଶିକ୍ଷକ ଯୋଜନା କରୁଥିବା ସୂଚନା ମିଳିଛି । ପ୍ରକୃତରେ ଅନ୍‌ଲାଇନ୍‌ ଶିକ୍ଷକ ବଦଳିକୁ ଶିକ୍ଷକମାନଙ୍କ ସୁବିଧା ପାଇଁ କରାଯାଇଛି ନା ଉଚ୍ଚ ପଦାଧିକାରୀଙ୍କ ମାଧ୍ୟମରେ ନିର୍ଯ୍ୟାତନାର ଦ୍ୱାର ପ୍ରସ୍ତୁତ କରାଯାଇଛି । ଏହା ଝାରବନ୍ଧ ବ୍ଲକର ବଦଳି ଆଶାୟୀ ଶିକ୍ଷକଙ୍କ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଣୁ ଉପରୋକ୍ତ ବିଭିନ୍ନ ସମସ୍ୟା ଗୁଡିକୁ ଦୃଷ୍ଟିରେ ରଖି ଝାରବନ୍ଧ ବ୍ଲକର ଶିକ୍ଷକମାନଙ୍କ ବଦଳି ପ୍ରତି ବିଚାର କରାଯାଉ ନଚେତ୍ ଅନ୍‌ଲାଇନ୍ ବଦଳି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଉ ବୋଲି ଶିକ୍ଷକ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.