ଠିକାଦାରଙ୍କ ମନମୁଖୀ କାର୍ଯ୍ୟ : ଲୋକେ ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଠିକାଦରମାନଙ୍କ ମନୋମୁଖୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଦ୍ମପୁର ଏନ୍‌ଏସି ଅଧୀନରେ କୋଟି କୋଟି ଟଙ୍କା ମୂଲ୍ୟର ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି । କିନ୍ତୁ ଏହି କାମଗୁଡିକର ତଦାରଖ କରିବା ପାଇଁ ଏନ୍‌ଏସିରେ ସତେ ଯେମିତି କେହି ନାହାନ୍ତି । ଏଠାରେ କାର୍ଯ୍ୟରତ ଏକମାତ୍ର କନିଷ୍ଠ ଯନ୍ତ୍ରୀଙ୍କୁ କେହି କେବେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରୁଥିବା ଦେଖି ନାହାନ୍ତି । ଏପରିକି କୌଣସି ନିମ୍ନମାନର କାମ ପାଇଁ ତାଙ୍କ ପାଖକୁ ଫୋନ କଲେ ମଧ୍ୟ ସେ କାହାରି ଫୋନ ଉଠାଇବା ଜରୁରୀ ଭାବନ୍ତି ନାହିଁ । ଏହା ଫଳରେ ଏଠାକାର ଠିକାଦରମାନେ ମନୋମୁଖୀ କାର୍ୟ୍ୟ କରୁଥିବା ଦେଖିବାକୁ ମିଳୁଛି । ଏପରି ଏକ ନୂତନ ଡ୍ରେନ ନିର୍ମାଣ କାମ ପାଇଁ ସହରର ୩ ଓ ୪ ନମ୍ବର ୱାର୍ଡ ବାସିନ୍ଦା ଦୀର୍ଘ ତିନି ମାସରୁ ବେଶି ସମୟ ହେଲା ବହୁ ହଇରାଣ ହରକତ ହେଉଛନ୍ତି । ଠିକାଦାର ଓ ଅଧିକାରୀଙ୍କ ମଧ୍ୟରେ ସମନ୍ଵୟର ଅଭାବ ଯୋଗୁଁ ଏଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା କଲଭର୍ଟ ରୋଡ଼ରୁ ପ୍ରାୟ ଦୁଇ ଫୁଟ ଉପରେ ନିର୍ମାଣ କରାଯାଇଛି, ଯାହା ଫଳରେ ଗଳି ଭିତରକୁ ପ୍ରବେଶ କରିବା କଷ୍ଟକର ମନେ ହେଉଛି । ଏହା ସହ ଡ୍ରେନର ପାର୍ଶ୍ୱ ଓ କଲଭର୍ଟର ଉଭୟ ପାର୍ଶ୍ଵ ଦୀର୍ଘ ଦିନ ହେଲା ଖୋଲା ପଡ଼ିଥିବାରୁ ବିପଦ ଜନକ ସ୍ଥିତି ସୃଷ୍ଟି କରୁଛି । ଏହି କାରଣରୁ ଏଠାରେ ଥିବା କଲଭର୍ଟକୁ ଭାଙ୍ଗି ନୂତନ ଭାବରେ ନିର୍ମାଣ କରାଯିବା ସହ ବାକି କାମକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପଡ଼ାବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଦୃଷ୍ଟି ଦେବାକୁ ପଡ଼ାବାସୀ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.