ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରଠାରେ ଜିଲ୍ଲା ଯୁବ ରେଡ୍ କ୍ରସର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରୁ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ସଂଯୋଜକ ଯୋଗଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଯୋଗଦେଇ ମଦର୍ ଟେରେସାଙ୍କ ଉକ୍ତି ଯୋଡ଼ ହସ୍ତ ଅନ୍ୟକୁ ସାହାଯ୍ୟ କରିବାରେ ଯଦି ନିୟୋଜିତ ହୁଏ ତେବେ ପ୍ରାର୍ଥନା କରିବା ଠାରୁ ସହସ୍ର ଗୁଣ ମହାନ୍ ବୋଲି କହିଥିଲେ । ସେଥିପାଇଁ ପରର ମଙ୍ଗଳ କରିବା ଜଣେ ବ୍ୟକ୍ତି ପାଇଁ ଶ୍ରେଷ୍ଠ କାର୍ଯ୍ୟ । ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ବିଷ୍ଣୁପଦ କେଡ଼ିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଥମେ ରେଡ଼କ୍ରସ ପ୍ରତିଷ୍ଠାତା ହେନେରି ଡୁରାଣ୍ଟଙ୍କ ଫଟୋ ପୂଜନ ପରେ ଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ନୋଡାଲ କଲେଜର ଆବାହକ ବନ୍ଦନା ବାର ଅତିଥି ପରିଚୟ ଓ ସୂଚନା ଦେଇଥିବାବେଳେ ଜିଲ୍ଲା ସଂଯୋଜକ ଡ଼. ଦଇତାରି ପୂଜାରୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ବାର୍ଷିକ ଖସଡ଼ା ପ୍ରସ୍ତୁତ କରିବା ସହ କିଭଳି ସୁଚାରୁ ଭାବେ ନୂତନ ରେଡ୍ କ୍ରସ୍ ଗଠନ ହେବ ଗୁରୁତ୍ୱାରୋପ କରିଥିଲେ । ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିର, ଡି ଏ ଭି କଲେଜ ଟିଟିଲାଗଡ, ପି ଏସ କଲେଜ, ବେଲପଡ଼ା, ପି ଏସ କଲେଜ ଦେଓଗାଁ ୨୫-୨୬ ଶିକ୍ଷା ବର୍ଷରେ ଶିବିର କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଆଗାମୀ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ କିଭଳି ରେଡ୍ ରିବନ୍ କ୍ଲବ ଗଠନ ହେବ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ । ଗତ ବର୍ଷରେ ସଫଳତାର ସହ ଜିଲ୍ଲା ଯୁବ ରେଡ୍ କ୍ରସ ଶିବିର ଆୟୋଜନ କରୁଥିବାରୁ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିର ଓ କେ. ଭି, ମହାବିଦ୍ୟାଳୟ, କଣ୍ଟାବାଞ୍ଜିକୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟକ୍ଷ ଡ଼. କୌତୁକ ପନ୍ଦର ନିଜର ସଭାପତିତ୍ୱ ଅଭିଭାଷଣରେ ରେଡ୍ କ୍ରସ ପ୍ରତିଷ୍ଠାତାଙ୍କ ବିଶ୍ଵ ବ୍ୟାପୀ ପ୍ରଭାବକୁ ବଖାଣି ଉଚ୍ଚାରଣ ଓ ଆଚରଣରେ ତାଙ୍କ ପଥ ଅନୁସରଣ କଲେ ତାଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ଶେଷରେ ସଂଯୋଜକ ଅଧ୍ୟାପକ ହୃଷୀକେଶ ଦାସ ଧନ୍ୟବାଦ ଦେଇଥିଲେ ।

Next Post