
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ‘ବନ ମହୋତ୍ସବ’ ଭାରତରେ ଏକ ବାର୍ଷିକ ବୃକ୍ଷରୋପଣ ପର୍ବ ଯାହା ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ପାଳନ କରାଯାଏ । ଏହି ସପ୍ତାହବ୍ୟାପୀ ପର୍ବ ସମୟରେ ନାଗରିକମାନେ ସବୁଜ ବନାନୀକୁ ପ୍ରୋତ୍ସାହିତ କରିବା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଲକ୍ଷ୍ୟ ରଖିବା ଲକ୍ଷ୍ୟରେ ହଜାର ହଜାର ଦେଶୀ ବୃକ୍ଷରୋପଣ କରନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଜୁଲାଇ ୧୯୪୭ରୁ ଆରମ୍ଭ ହୋଇଥିଲା ଯେତେବେଳେ ଦିଲ୍ଲୀରେ ଏକ ବୃକ୍ଷରୋପଣ ଅଭିଜାନ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅବଦୁଲ କଲାମ ଆଜାଦ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏବଂ ପଣ୍ଡିତ ଜବାହରଲାଲ ନେହେରୁ ଭଳି ପ୍ରମୁଖ ଭାରତୀୟ ଜନ ନେତାମାନେ ଅଂଶଗ୍ରହଣ କରିଥିଲେ । ଏହି ଅଭିଜାନର ସଫଳତାରେ ଅନୁପ୍ରାଣିତ ହୋଇ ତତ୍କାଳୀନ କେନ୍ଦ୍ର କୃଷି ଓ ଖାଦ୍ୟ ମନ୍ତ୍ରୀ କେ. ଏମ୍. ମୁନ୍ସି ୧୯୫୦ ମସିହାରେ ବନ ମହୋତ୍ସବ ପର୍ବ ଆରମ୍ଭ କରିଥିଲେ । ସେବେଠାରୁ ଏହି ଧରିତ୍ରୀ ଗ୍ରହକୁ ପ୍ରଦୂଷଣ ମୁକ୍ତ କରିବା, ଜଙ୍ଗଲ ନଷ୍ଟର ଭରଣା କରିବା, ଜଳବାୟୁ ପରିବର୍ତ୍ତନ ପ୍ରଭାବ ହ୍ରାସ କରିବା ଏବଂ ଜୈବ ବିବିଧତା ସଙ୍କୋଚନକୁ ରୋକିବା ଲକ୍ଷ୍ୟରେ ବ୍ୟାପକ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ପ୍ରତିବର୍ଷ ଏହି ବନ ମହୋତ୍ସବ ପାଳନ କରିଆସୁଛି । ଭାରତ ପ୍ରତିବର୍ଷ ଜୁଲାଇ ମାସରେ ଏହି ପର୍ବ ପାଳନ କରିଥାଏ । ଏହାର କାରଣ ହେଉଛି ଭାରତରେ ମୌସୁମୀ କିମ୍ବା ବର୍ଷା ସାଧାରଣତଃ ଜୁନ ମାସରେ ଆରମ୍ଭ ହୋଇ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥାଏ । ତେଣୁ, ନୂତନ ଚାରା ରୋପଣ କରିବା ପାଇଁ ଏହି ସମୟଟି ଆଦର୍ଶ ଅଟେ । ଏହା ପାଣିପାଗ ଅବସ୍ଥା ଏବଂ ପର୍ଯ୍ୟାପ୍ତ ଜଳ ଉପଲବ୍ଧ ପାଇଁ ସର୍ବୋତ୍ତମ ସମୟ ଅଟେ । ଏହି ଦିବସ ଆମ ଗ୍ରହ ଏବଂ ଏହାର ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଗଛ ଏବଂ ଜଙ୍ଗଲର ବଳିଷ୍ଠ ଭୂମିକା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରେ । ବନ ମହୋତ୍ସବ ସମୟରେ ଲଗାଯାଇଥିବା ଗଛ ଗୁଡିକ ଭବିଷ୍ୟତ ପିଡି ପାଇଁ ସବୁଜ ଏବଂ ସ୍ୱଚ୍ଛ ଭବିଷ୍ୟତ ନିଶ୍ଚିତ କରେ । ବନ ମହୋତ୍ସବ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ସରକାର ଏବଂ ସଂଗଠନ ଗୁଡ଼ିକୁ ଉତ୍ସାହିତ କରେ । ଏହା ମଧ୍ୟ ନାଗରିକ, ସରକାର ଏବଂ ବ୍ୟବସାୟ ଅନୁଷ୍ଠାନ ମଧ୍ୟରେ ସହଯୋଗ ବୃଦ୍ଧି କରିଥାଏ । ବନ ମହୋତ୍ସବର କେନ୍ଦ୍ରୀୟ ଥିମ୍ ହେଉଛି ‘ବୃକ୍ଷରୋପଣ’ ।