
କଳାହାଣ୍ଡି, (ପି.କେ.ସାହୁ) : କାଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୌଡ଼କାର୍ଲା ଖୁଣ୍ଟାଠାରେ ଚଳିତ ଅକ୍ଟୋବର ମାସ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୪ ଦିବସୀୟ ଗିରିଗୋବର୍ଦ୍ଧନ ପୂଜା ସହିତ ସାନ୍ଧ୍ୟକାଳୀନ କୁଶୁଲାପୁଞ୍ଜା ପୁଞ୍ଜା ଡଙ୍ଗର ମହୋତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓଙ୍କ ପୌରାହିତ୍ୟରେ ୨୬ ତାରିଖ ଦିନ ଉଦ୍ଘାଟିତ କରାଯିବ । ଚାରି ଦିନ ବିଧି ପୂର୍ବକ ଗିରି ଗୋବର୍ଦ୍ଧନ ମହାପ୍ରଭୁଙ୍କ ପୂଜା ଚାଲିବା ସହିତ ସାନ୍ଧ୍ୟକାଳୀନ ସମ୍ବର୍ଦ୍ଧନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମ ଦିବସ ୨୬ ତାରିଖ ବୁଧବାର ଦିନ ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ ଘୁମୁରା ଓ କନ୍ଧମାଳ ଜିଲ୍ଲା ବାଲିଗୁଡାର ଆଦିବାସୀ ଲୋକନୃତ୍ୟ ପରିବେଷଣ ହେବ । ରାଜ୍ୟସ୍ତରରେ ନିଜ ଅନନ୍ୟ ପ୍ରତିଭା ପାଇଁ ଜନ ମାନସରେ ସ୍ୱତନ୍ତ୍ର ଛାପ ଛାଡି ଥିବା ୫ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ସଭା ମାଧ୍ୟମରେ ମାନପତ୍ର, ଟ୍ରଫି, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯିବ । ଏହି ପ୍ରଥମ ଦିବାସୀୟ ସାନ୍ଧ୍ୟକାଳୀନ ସମ୍ବର୍ଦ୍ଧନା ସଭାରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରୁଥିବା ବେଳେ ମୁଖ୍ୟ ବକ୍ତା ଭାବେ ପଦ୍ମଲୋଚନ ମିଶ୍ର ଯୋଗଦାନ କରୁଛନ୍ତି । ଯୁବ ନେତା ନୀଳ ମାଧବ ସିଂଦେଓ, ମଦନପୁର ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂ ଦେଓ ଓ ସ୍ଥାନୀୟ ସରପଞ୍ଚ ବୀଣାପାଣି ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରୁଛନ୍ତି । ଏହି ଦିବସର ବିଶେଷ ଆକର୍ଷଣ ଡ୍ୟାନ୍ସ ଡ୍ୟାନ୍ସ ଧମାକା ପ୍ରତିଯୋଗିତା ରହିଛି । କୃତିତ୍ୱ ଲାଭ କରିଥିବା ତିନି ଜଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ନଗଦ ରାଶି ପୁରସ୍କାର ସହିତ ସମ୍ମାନିତ କରାଯିବ । ଦ୍ୱିତୀୟ ଦିବସ ୨୭ ତାରିଖ ଗୁରୁବାର ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ ଘୁମୁରା ଓ ଭବାନୀପାଟଣାର ମିକ୍କୀ ଆଣ୍ଡ ଗୃପଙ୍କ ଦ୍ଵାରା ବଜାସାଲ ନୃତ୍ୟ ପରିବେଷଣ କରାଯିବ । ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ମୁଖ୍ୟ ଆତିଥ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ, ବଲାଙ୍ଗିର ଜିଲ୍ଲାର ପୂର୍ବତନ ଲୋକସଭା ସାଂସଦ ବାଳ ଗୋପାଳ ମିଶ୍ର, ଯୁବନେତା ଚିତ୍ତରଞ୍ଜନ ମଣ୍ଡଳ, କଳାହାଣ୍ଡି ରେଜିଷ୍ଟାର ପିତାମ୍ବର ଭୋଇ, ମ.ରାମପୁର ସରପଞ୍ଚ ବୀଣାପାଣି ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବେ । ଥୁଆମୂଳ ରାମପୁର ମା’ ମାନିକେଶ୍ୱରୀ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ସତ୍ୟନାରାୟଣ ମୁଣ୍ଡଛିନ୍ନ । ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିବେ ।ଏହି ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ରହିଛି ବିଶିଷ୍ଟ କଣ୍ଠଶିଳ୍ପୀ ଶାସ୍ୱତ ତ୍ରିପାଠୀ ଓ ଶତୃଘନ ଲୁହାଙ୍କର ମ୍ୟୁଜିକାଲ ଗୃପ ଦ୍ୱାରା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ । ତୃତୀୟ ଦିବସ ୨୮ ତାରିଖ ଦିନ ଲୋକନୃତ୍ୟ ଘୁମୁରା ପରିବେଷଣ ସହିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବଜାସାଲ ପରିବେଷଣ କରାଯିବ । ନର୍ଲା ବିଧାୟକ ଭୁପିନ୍ଦ୍ରର ସିଂଙ୍କର ମୁଖ୍ୟ ଆତିଥ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ମଦନପୁର ରାମପୁର ତହସିଲଦାର ଜ୍ୟୋତ୍ସ୍ନା ମାଝୀ, ମ.ରାମପୁର ବିଡ଼ିଓ ବିନୟ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦାନ କରୁଥିବା ବେଳେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ଡ଼.ଅଜିତ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦାନ କରି ସମର୍ଦ୍ଧିତ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଉତ୍ସାହିତ କରିବେ । ବରଗଡ଼ ଜିଲ୍ଲା ବରପାଲିର ଶ୍ରୀ ରାମେଶ୍ୱରୀ ଟୁକେଲ ଦଣ୍ଡନୃତ୍ୟ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପରିବେଷଣ କରାଯିବ । ଅନ୍ତିମ ଦିବସ ୨୯ ତାରିଖ ଶନିବାର ଦିନ ଜୟପାଟଣାର ରିଦିମ ସ୍କିଲ ସାଂସ୍କୃତିକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଶିଷ୍ଟ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦାନ କରୁଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ଡ଼.ବିଜୟ ସାହୁ (ସାଇଣ୍ଟିଷ୍ଟ), ମ.ରାମପୁର ଆଇଆଇସି ସଚିନ୍ଦ୍ର ପ୍ରଧାନ, ମ.ରାମପୁର ରେଞ୍ଜର ଅସିତ କୁମାର ଦାଶ ସମ୍ମାନିତ ଅତିଥି ଓ ଭବାନୀପାଟଣା ସାନ୍ଧ୍ୟ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ଲୋକ କଥା ଲୋକ ସଂସ୍କୃତି ଗବେଷକ ପରମେଶ୍ୱର ମୁଣ୍ଡ ମୁଖ୍ୟବକ୍ତା ଭାବେ ଯୋଗଦେଇ କିଛି ଖ୍ୟାତି ସମ୍ପର୍ଣ୍ଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିବେ । ରାତ୍ରିକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା କୁଟେନ ପାଲି ଗ୍ରାମର କଳାକାରମାନଙ୍କ ଦ୍ୱାରା ମିକ୍ସର ରାମଳିଲା ନାଟକ ମଂଚସ୍ଥ ହେବ ।