ଲଡ଼ୁଗାଁରେ ଭଗବାନ ମହାବୀର ଜନ୍ମ କଲ୍ୟାଣ ମହୋତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଜୈନ ଶ୍ଵେତାମ୍ବର ତେରାପନ୍ଥୀ ଭାଇ ଭଉଣୀ ମାନଙ୍କ ଭଗବାନ ମହାବୀର ଜନ୍ମ କଲ୍ୟାଣ ମହୋତ୍ସବ ଏଥର କଳାହାଣ୍ଡି ଜିଲ୍ଲା ଲଡ଼ୁଗାଁ ଠାରେ ବହୁ ଧୂମଧାମରେ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶା, ରାୟଗଡା, ବିଜୟନଗରମ ତଥା ଅନ୍ୟାନ୍ୟ ଅଂଚଳବାସୀମାନଙ୍କ ସମାଗମ ହୋଇଥିଲା । ମହା ତପସ୍ୱି ଶାନ୍ତିଦୂତ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣ ଜୀ ଙ୍କ ଶିଷ୍ୟ ମୁନିସି ହିମାଂଶୁ ଜୀ ଏବଂ ମୁନିଶ୍ରୀ ହେମନ୍ତ କୁମାରଙ୍କ ସାନିଧ୍ୟରେ ଏହି ମହୋତ୍ସବ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ଓଡିଶା ସଭାରୁ ଅଧ୍ୟକ୍ଷ ମନୋଜ କୁମାର ଜୈନ, ସ୍ଥାନୀୟ ବାସିନ୍ଦା ତଥା ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ ଯୋଗଦେଇ ମହାବୀର ସ୍ୱାମୀଙ୍କ ବିଷୟରେ ତାଙ୍କ ଆସ୍ଥା ପ୍ରକଟ କରିଥିଲେ । ପୁନମ୍ ଚନ୍ଦ୍ର ଜୈନ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରକାଶ ଥାଉକି ଲଡ଼ୁଗାଁର ଏକମାତ୍ର ଜୈନ ପରିବାରର ଦୁଇ ଭାଇ ଆଲୋକ ଚନ୍ଦ ଜୈନ ଓ ପୁନମ ଚନ୍ଦ ଜୈନ ସୁପତ୍ର ଜିତମଲ ଜୈନ ତନ ମନ ଧନ ଦେଇ ଏହି ଉତ୍ସବକୁ ସଫଳ କରେଇଥିଲେ । ସନ୍ଥମାନେ ଆଗାମୀ ଏପ୍ରିଲ ୨୦ ଅକ୍ଷୟ ତୃତୀୟା ପର୍ବ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲାରେ ଆୟୋଜନ କରାଯିବା ନେଇ ଘୋଷଣା କରିଥିଲେ । ତତସଂଗେ ସଂଗେ ୨୦୨୬-୨୮ ପାଇଁ ଓଡିଶା ସଭାକୁ ନୂଆ ଟିମ ଗଠନ ପାଇଁ ନିର୍ବାଚନ ପ୍ରକ୍ରିୟାର ଦାୟିତ୍ୱ ସିନ୍ଧେକେଲା ବାସିନ୍ଦା ଛତ୍ରପାଳ ଜୈନ ତଥା କେସିଙ୍ଗାରୁ ରାମକୁମାର ଜୈନଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ସନ୍ଥମାନେ ଚାରିମାସ ପାଇଁ କେସିଙ୍ଗାରେ ରହିବେ ଜାଣି ସମସ୍ତ ଅଂଚଳବାସୀଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.