ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର : ଶବ ବୋହିଲେ ପୁଲିସ୍‍ କର୍ମଚାରୀ ଓ ଆମ୍ବୁଲନ୍ସ ଚାଳକ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତ ଅନ୍ତର୍ଗତ ତେଲିମୁଣ୍ଡା ଛକଠାରୁ ସେସ୍କାଯୋଡି ଗ୍ରାମ ରାସ୍ତାପାର୍ଶ୍ବରେ ଥିବା ପାଟଖଣ୍ଡା ପାହାଡର ଏକ ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଛି ଫିରିଙ୍ଗିଆ ପୁଲିସ୍‍ । ପାରିପାଶ୍ୱିକ ପରିସ୍ଥିତିରୁ ଏହା ଏକ ଆତ୍ମ ହତ୍ୟା ବୋଲି ଜଣାପଡୁଥିବା ବେଳେ ମହିଳା ଜଣକ ନିଜ ପିନ୍ଧିଥିବା ସାଢିରେ ଆମ୍ବଗଛରେ ଝୁଲିପଡି ଆତ୍ମ ହତ୍ୟା କରିଥିବା କୁହାଯାଇଛି । ଖବର ଲେଖାହେବା ପର୍ୟ୍ୟନ୍ତ ମୃତ ମହିଳାଙ୍କ କୌଣସି ପରିଚୟ ମିଳିପାରି ନାହିଁ । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ସେସ୍କାଯୋଡ଼ି ଗ୍ରାମର କିଛି ପାହାଡକୁ କାଠ ଆଣିବାକୁ ଯାଇଥିବା ବେଳେ ଉକ୍ତ ଆମ୍ବଗଛରେ ମହିଳାଙ୍କ ଶବ ଝୁଲୁଥିବା ଦେଖିଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ଅତିରିକ୍ତ ଥାନା ଅଧିକାରୀ ଦଶରଥ ହେମ୍ରମ ଏଏସଆଇ ସନାତନ ପ୍ରଧାନ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ବନ୍ଧଗଡ ସରପଞ୍ଚ ଓ ଫିରିଙ୍ଗିଆ ତହସଲିଦାର ଶ୍ରୀମତି ପୁନମ ରାଉତଙ୍କ ଉପସ୍ଥିତିରେ ଶବ ଜବତ କରିବା ସହ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ଏହି ଘଟଣାରେ ଫିରିଙ୍ଗିଆ ଥାନାରେ କେସ ନଂ ୫/୨୧ରେ ଏକ ଅପମୃତ୍ୟୁ ମାମାଲା ରୁଜୁ ହୋଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଉକ୍ତ ମହିଳାଙ୍କ ଗଳିତ ଶବ ବୋହିବା ପାଇଁ କୈାଣସି ଲୋକ ନମିଳିବାରୁ ଖୋଦ ଥାନା ଅଧିକାରୀ , ଏସଆଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରିଙ୍କ ସହ ଆମ୍ବୁଲାନ୍ସ ଚାଳକ କର୍ଣ୍ଣ ଦିଗାଲଙ୍କ ପ୍ରମୁଖ ମିଶି ଶବକୁ ପ୍ରାୟ ୧ କିଲୋମିଟର ପର୍ୟ୍ୟନ୍ତ ପାହାଡ ଉପରୁ ମୁଖ୍ୟ ରାସ୍ତା ପର୍ୟ୍ୟନ୍ତ ବୋହି ଆଣି ମାନବିକତାର ପରିଚୟ ଦେଇଛନ୍ତି । ପୁଲିସ୍‍ କର୍ମଚାରୀ ଓ ଆମ୍ବୁଲାନ୍ସ ଗାଡ଼ି ଚାଳକଙ୍କ ଏଭଳି କାର୍ୟ୍ୟକୁ ବର୍ତମାନ ସାରା ଫିରିଙ୍ଗିଆ ଅଞ୍ଚଳରେ ବେଶ ପ୍ରଶଂଶା କରାଯାଇଛି ।

Leave A Reply

Your email address will not be published.