jayashree

ସୁସ୍ଥ ହେଲେ ମହାପ୍ରଭୁ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ମନ୍ଦିରରେ ଶନିବାର ପାରମ୍ପରିକ ରୀତି ମତେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସୁସ୍ଥ ହୋଇଛନ୍ତି ବୋଲି ମହାପ୍ରଭୁଙ୍କ ସେବାରେ ବ୍ରତୀଥିବା ଦଇତାପତି ସେବକମାନେ ଗଜପତି ମହାରାଜାଙ୍କୁ ଜଣାଇଛନ୍ତି । ଚାରିବାଡର ବାଡଗ୍ରାହୀ ଦଇତାପତିମାନଙ୍କ ସହିତ ସମସ୍ତ ଦଇତାପତି ସେବକମାନେ ଶ୍ରୀଅଙ୍ଗରୁ ବାହାରିଥିବା ବିଭିନ୍ନ ପ୍ରସାଦ ସବୁକୁ ସାଙ୍ଗରେ ନେଇ ଘଣ୍ଟଛତ୍ର ଓ କାହାଳି ସହ ଅପରାହ୍ନରେ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥିଲେ ।

ଶ୍ରୀନଅରଠାରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ଶ୍ରୀଅଙ୍ଗଲାଗି ଜିନିଷ ସବୁକୁ ଦର୍ଶନ କରିବାପରେ ଶ୍ରୀଜୀଉମାନେ ସୁସ୍ଥ ହୋଇଛନ୍ତି ବୋଲି ଜାଣିବାକୁ ପାଇଥିଲେ । ଏହି ଅବସରରେ ଶ୍ରୀନଅର ପକ୍ଷରୁ ସମସ୍ତ ଦଇତାମାନଙ୍କ ମସ୍ତକରେ ଶାଢୀ ବନ୍ଧାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷ ହେବାପରେ ଦଇତାମାନେ ଶ୍ରୀମନ୍ଦିର ଅଭିମୁଖେ ବାହୁଡି ଥିଲେ ।

ଆଜି ବିଳମ୍ବିତ ରାତିରେ ଦଇତାପତିମାନେ ଘଣାଲାଗି ନୀତି ଆରମ୍ଭ କରିବେ ଓ ଏହା ଆସନ୍ତାକାଲି ସକାଳେ ଶେଷ ହେବ । ଆସନ୍ତା ୨୯ତାରିଖ ବୁଧବାର ଠାକୁରମାନଙ୍କର ନେତ୍ରୋତ୍ସବ ହୋଇ ଦିଅଁମାନେ ଅଣସର ପିଣ୍ଡିରେ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେବେ । ଜୁଲାଇ ପହିଲାରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ ଚାଲିଛି ।

Leave A Reply

Your email address will not be published.