
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରୁ ପୁଣି ଆସିଲା ଶିଶୁ ବିକ୍ରି ଅଭିଯୋଗ । ଏଭଳି ଏକ ଘଟଣା ବଲାଙ୍ଗିର ସହର ମାଲପଡାରେ ଘଟିଛି । ଜଣେ ମହିଳା ୨୦ ହଜାର ଟଙ୍କାରେ ଶିଶୁକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଅନୈତିକ ସମ୍ପର୍କ ଓ ଅଭାବ ଅନଟନ ପାଇଁ ମହିଳା ଜଣଙ୍କ ଶିଶୁକୁ ବିକ୍ରି କରଦେଇଥିବା ସନ୍ଦେହ କରାଯାଉଛି । ମହିଳା ଜଣଙ୍କ ସ୍ୱାମୀଙ୍କ ମୃତ୍ୟୁ ୨ ବର୍ଷ ପୂର୍ବରୁ ହୋଇଯାଇଛି । ଗତ ୬ ତାରିଖରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଘରମାଲିକ ମହିଳାଙ୍କୁ ପ୍ରସୂତି ବିଭାଗରେ ଭର୍ତି କରିଥିଲେ । ସେଠାରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ପରେ ମହିଳା ଜଣଙ୍କ କାଲି ସେହି ଶିଶୁକୁ ଟିଟିଲାଗଡ଼ର ଜଣେ ମହିଳାଙ୍କୁ ବିକି ଦେଇଥିଲେ । ଏହାନେଇ ଖବର ଆସିବା ପରେ ସିଡବ୍ଲୁସି ଓ ଚାଇଲଡ଼ ଲାଇନର କର୍ମଚାରୀମାନେ ମହିଳାଙ୍କ ଘରକୁ ଯାଇଥିଲେ । ସେଠାରେ ଦୀର୍ଘ ସମୟ ଧରି ପଚରାଉଚୁରା ପରେ ମହିଳା ଜଣକ ଶିଶୁପୁତ୍ରକୁ ବିକି ଦେଇଥିବା ମାନିଥିଲେ । ଏନେଇ ବଲାଙ୍ଗିର ଶିଶୁ ସୁରକ୍ଷା ଆୟୋଗ, ସିଡବ୍ଲୁସି, ସିଡିପିଓଙ୍କ ସହ ନିଜେ ଅତିରିକ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍ତି ।