centurian jitm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

nschool

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ – ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।
ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଯେଉଁ ଆକ୍ରୋଶ ଭାବ ରହିଛି, ସାରା ବିଶ୍ୱରେ ସେହି ଆକ୍ରୋଶ ରହିଛି । ଏହି ଆତଙ୍କବାଦୀ ଆକ୍ରମଣ ପରେ କ୍ରମାଗତ ଭାବେ ସାରା ବିଶ୍ୱରୁ ସମବେଦନା ବାର୍ତ୍ତାମାନ ଆସିବାରେ ଲାଗିଛି । ବିଶ୍ୱର ଅନେକ ନେତା ମତେ ଫୋନ୍ କରିଛନ୍ତି, ଚିଠି ଲେଖିଛନ୍ତି, ବାର୍ତ୍ତା ପଠେଇଛନ୍ତି । ଏହି ଜଘନ୍ୟ ଢଙ୍ଗରେ କରାଯାଇଥିବା ଆତଙ୍କବାଦୀ ଆକ୍ରମଣକୁ ସମସ୍ତେ ଘୋର ନିନ୍ଦା କରିଛନ୍ତି । ସେମାନେ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ସମଗ୍ର ବିଶ୍ୱ, ଆତଙ୍କବାଦ ବିରୁଦ୍ଧରେ, ଆମ ସଂଗ୍ରାମରେ, ୧୪୦ କୋଟି ଭାରତୀୟଙ୍କ ସାଥିରେ ରହିଛି । ପୀଡ଼ିତ ପରିବାରମାନଙ୍କୁ ମୁଁ ପୁଣିଥରେ ଭରସା ଦେଉଛି ଯେ, ସେମାନେ ନ୍ୟାୟ ପାଇବେ, ସେମାନଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । ଏହି ଆକ୍ରମଣର ଦୋଷୀମାନଙ୍କୁ ଏବଂ ଏହି ଷଡ଼ଯନ୍ତ୍ର ରଚନାକାରୀମାନଙ୍କୁ କଠୋରତମ ଜବାବ ଦିଆଯିବ ।
ବନ୍ଧୁଗଣ, ଦୁଇଦିନ ପୂର୍ବେ ଆମେ ଦେଶର ଜଣେ ମହାନ ବୈଜ୍ଞାନିକ ଡ. କେ. କସ୍ତୁରୀରଙ୍ଗନ ଜୀଙ୍କୁ ହରାଇଛୁ । ଯେବେ ବି କସ୍ତୁରୀରଙ୍ଗନଙ୍କ ସହ ସାକ୍ଷାତ ହେଉଥିଲା, ସେ ଆମ ଭାରତର ଯୁବବର୍ଗଙ୍କ ପ୍ରତିଭା, ଆଧୁନିକ ଶିକ୍ଷା, ମହାକାଶ-ବିଜ୍ଞାନ ଭଳି ବିଷୟଗୁଡ଼ିକ ଉପରେ ଅନେକ ଆଲୋଚନା କରୁଥିଲେ । ବିଜ୍ଞାନ, ଶିକ୍ଷା ଏବଂ ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂତନ ଶିଖରକୁ ନେବାରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ନେତୃତ୍ୱରେ ଇସ୍ରୋକୁ ଗୋଟିଏ ନୂତନ ପରିଚୟ ମିଳିଲା । ତାଙ୍କ ମାର୍ଗଦର୍ଶନରେ ମହାକାଶ କାର୍ଯ୍ୟକ୍ରମରେ ଯାହା ଉନ୍ନତି ହେଲା, ତାହାଦ୍ୱାରା ଭାରତର ପ୍ରଚେଷ୍ଟାକୁ ବିଶ୍ୱସ୍ତରରେ ମାନ୍ୟତାପ୍ରାପ୍ତ ହେଲା । ଭାରତ ଆଜି ଯେଉଁ ଉପଗ୍ରହଗୁଡ଼ିକ ବ୍ୟବହାର କରୁଛି, ସେଗୁଡ଼ିକ ମଧ୍ୟରୁ ଅନେକକୁ ଡ. କସ୍ତୁରୀରଙ୍ଗନଙ୍କ ତତ୍ତ୍ୱାବଧାନରେ ହିଁ ଆରମ୍ଭ କରାଯାଇଥିଲା । ତାଙ୍କ ବ୍ୟକ୍ତିତ୍ୱ କିଛି ଏଭଳି ଥିଲା, ଯାହାଠାରୁ ଏବେର ଯୁବପିଢ଼ି କିଛି ଶିଖିପାରିବେ । ସେ ସର୍ବଦା ନବସୃଜନ (innovation)କୁ ଗୁରୁତ୍ୱ ଦେଉଥିଲେ । କିଛି ନୂଆ ଶିଖିବା, ଜାଣିବା ଏବଂ ନୂଆ କରିବାର ତାଙ୍କର ଦୃଷ୍ଟିକୋଣ ଅତ୍ୟନ୍ତ ପ୍ରେରଣାଦାୟକ । ଡ. କେ. କସ୍ତୁରୀରଙ୍ଗନ ଦେଶର ନୂତନ ଶିକ୍ଷାନୀତି ପ୍ରସ୍ତୁତ କରିବାରେ ମଧ୍ୟ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଡ. କସ୍ତୁରୀରଙ୍ଗନ ଏକବିଂଶ ଶତାବ୍ଦୀର ଆଧୁନିକ ଆବଶ୍ୟକତାଗୁଡ଼ିକୁ ଦୃଷ୍ଟିରେ ରଖି forward looking educationର ଚିନ୍ତାଧାରା ନେଇଆସିଥିଲେ । ଦେଶର ନିଃସ୍ୱାର୍ଥ ସେବା ଏବଂ ରାଷ୍ଟ୍ରନିର୍ମାଣରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇରହିବ । ମୁଁ ଡ. କେ. କସ୍ତୁରୀରଙ୍ଗନ ଜୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୋର ପ୍ରିୟ ଦେଶବାସୀଗଣ, ଚଳିତ ଏପ୍ରିଲ ମାସରେ ଆର୍ଯ୍ୟଭଟ୍ଟ ଉପଗ୍ରହ launchingକୁ ୫୦ ବର୍ଷ ପୂରିଛି । ଆଜି ଯେତେବେଳେ ଆମେ ପଛକୁ ଚାହୁଁଛୁ, ୫୦ ବର୍ଷର ଏହି ଯାତ୍ରାକୁ ମନେ ପକାଉଛୁ – ସେତେବେଳେ ଲାଗୁଛି ଯେ, ଆମେ ଏକ ଦୀର୍ଘପଥ ଅତିକ୍ରମ କରିଛୁ । ମହାକାଶରେ ଭାରତର ସ୍ୱପ୍ନର ଏହି ଯାତ୍ରା ଦିନେ ଆମ ସାହସ ଯୋଗୁଁ ହିଁ ଆରମ୍ଭ ହୋଇଥିଲା । ଦେଶ ପାଇଁ କିଛି କରିବାର ଉତ୍ସାହ ରହିଥିବା କିଛି ଯୁବ ବୈଜ୍ଞାନିକ – ଯାହାଙ୍କ ପାଖରେ ନ ଥିଲା ଆଜି ଭଳି ଆଧୁନିକ ସୁବିଧା-ସୁଯୋଗ, ନା ତାଙ୍କର ହାତପାଆନ୍ତାରେ ଥିଲା ବିଶ୍ୱସ୍ତରୀୟ ଜ୍ଞାନକୌଶଳ – ଯଦି କିଛି ଥିଲା, ତାହାଥିଲା ପ୍ରତିଭା, ନିଷ୍ଠା, ପରିଶ୍ରମ ଏବଂ ଦେଶ ପାଇଁ କିଛି କରିବାର ଉତ୍ସାହ । ଶଗଡ଼ ଓ ସାଇକେଲରେ ସମ୍ବେଦନଶୀଳ ଉପକରଣ ନିଜେ ବହନ କରି ନେଇଯାଉଥିବା ଆମ ବୈଜ୍ଞାନିକମାନଙ୍କ ଫଟୋଚିତ୍ର ଆପଣମାନେ ମଧ୍ୟ ଦେଖିଥିବେ । ସେହି ନିଷ୍ଠା ଏବଂ ଦେଶସେବା ଭାବନାର ଫଳ ହେଉଛି ଆଜିର ଏହି ବିରାଟ ପରିବର୍ତ୍ତନ । ଭାରତ ଆଜି ଏକ ବିଶ୍ୱ ମହାକାଶ ଶକ୍ତିରେ ପରିଣତ ହୋଇସାରିଛି । ୧୦୪ଟି ଉପଗ୍ରହକୁ ଏକସଙ୍ଗେ ପ୍ରେରଣ କରି ଆମେ ରେକର୍ଡ଼ ସୃଷ୍ଟି କରିଛୁ । ଆମେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଥିବା ପ୍ରଥମ ଦେଶ ହେଇପାରିଛୁ । ଭାରତ Mars Orbiter Mission Launch କରିଛି ଏବଂ ଆମେ ଆଦିତ୍ୟ – ଏଲ୍୧ ମିଶନ ମାଧ୍ୟମରେ ସୂର୍ଯ୍ୟର ଯଥେଷ୍ଟ ନିକଟକୁ ପହଂଚିପାରିଛୁ । ଭାରତ ଆଜି ସାରାବିଶ୍ୱରେ ସବୁଠାରୁ ଅଧିକ cost effectiv ଅଥଚ ସଫଳ ମହାକାଶ କାର୍ଯ୍ୟକ୍ରମର ନେତୃତ୍ୱ ନେଇଛି । ବିଶ୍ୱର ଅନେକ ଦେଶ ନିଜ ଉପଗ୍ରହ ଓ ମହାକାଶ ଅଭିଯାନ ପାଇଁ ଇସ୍ରୋର ସାହାଯ୍ୟ ଲୋଡ଼ୁଛନ୍ତି । ବନ୍ଧୁଗଣ, ଆମେ ଯେତେବେଳେ ଇସ୍ରୋ ଦ୍ୱାରା କୌଣସି ଉପଗ୍ରହ ପ୍ରେରଣର ଦୃଶ୍ୟ ଦେଖୁଁ, ସେତେବେଳେ ଆମେ ଗର୍ବ ଅନୁଭବ କରୁ । ସେହି ଅନୁଭୂତି ମୋର ହେଇଥିଲା, ଯେତେବେଳେ ମୁଁ ୨୦୧୪ରେ PSLV-C-୨୩ ପ୍ରେରଣର ସାକ୍ଷୀ ହେଇଥିଲି । ୨୦୧୯ରେ ଚନ୍ଦ୍ରଯାନ-୨ର ଅବତରଣ ସମୟରେ ମଧ୍ୟ ମୁଁ ଇସ୍ରୋର ବାଙ୍ଗାଲୁରୁ କେନ୍ଦ୍ରରେ ଉପସ୍ଥିତ ଥିଲି । ସେତେବେଳେ ଚନ୍ଦ୍ରଯାନକୁ ଆଶାନୁଯାୟୀ ସଫଳତା ମିଳିନଥିଲା । ବୈଜ୍ଞାନିକମାନଙ୍କ ପାଇଁ ତାହା ଏକ କଷ୍ଟଦାୟକ ମୁହୂର୍ତ୍ତ ଥିଲା । କିନ୍ତୁ ମୁଁ ନିଜ ଆଖିରେ ବୈଜ୍ଞାନିକମାନଙ୍କ ଧୈର୍ଯ୍ୟ ଏବଂ କିଛି କରିବାର ଉତ୍ସାହ ମଧ୍ୟ ଦେଖିପାରୁଥିଲି । ଆଉ, କିଛିବର୍ଷ ପରେ ସାରା ବିଶ୍ୱ ଦେଖିଲା, କିଭଳି ସେହି ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩କୁ ସଫଳ କରିଦେଖାଇଲେ ।
ବନ୍ଧୁଗଣ, ଭାରତ ଏବେ ନିଜ ମହାକାଶ କ୍ଷେତ୍ରକୁ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିଦେଇଛି । ଆଜି ଅନେକ ଯୁବବନ୍ଧୁ ସ୍ପେସ୍ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛନ୍ତି । ଦଶବର୍ଷ ପୂର୍ବେ ଏହି କ୍ଷେତ୍ରରେ ମାତ୍ର ଗୋଟିଏ କମ୍ପାନୀ ଥିଲା । କିନ୍ତୁ ଆଜି ଦେଶରେ ୩୨୫ରୁ ଅଧିକ ସ୍ପେଶ୍ ଷ୍ଟାର୍ଟଅପ୍ କାର୍ଯ୍ୟରତ । ଆଗାମୀ ସମୟ ମହାକାଶରେ ଅନେକ ନୂତନ ସମ୍ଭାବନା ନେଇଆସୁଛି । ଭାରତ ନୂତନ ଶିଖରକୁ ସ୍ପର୍ଶ କରିବ । ଦେଶ ଗଗନଯାନ, SpaDeX ଏବଂ Chandrayaan-4 ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନର ପ୍ରସ୍ତୁତିରେ ଲାଗିଛି । ଆମେ Venus Orbiter Mission ଏବଂ Mars Lander Mission ଉପରେ ମଧ୍ୟ କାମ କରୁଛୁ । ଆମ ମହାକାଶ ବୈଜ୍ଞାନିକମାନେ ନିଜର ନବସୃଜନ ମାଧ୍ୟମରେ ଦେଶବାସୀଙ୍କୁ ଆହୁରି ଗର୍ବିତ କରିବାକୁ ଯାଉଛନ୍ତି ।
ବନ୍ଧୁଗଣ, ଗତ ମାସ ମ୍ୟାଁମାରରେ ଘଟିଥିବା ଭୂମିକମ୍ପର ଭୟାବହ ଚିତ୍ର ଆପଣମାନେ ନିଶ୍ଚୟ ଦେଖିଥିବେ । ଭୂମିକମ୍ପ ଯୋଗୁଁ ସେଠାରେ ବଡ଼ଧରଣର କ୍ଷୟକ୍ଷତି ହେଲା । ଭଗ୍ନାବଶେଷ ତଳେ ଫସିରହିଥିବା ଲୋକଙ୍କ ପ୍ରତ୍ୟେକଟି ନିଃଶ୍ୱାସ, ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ ଥିଲା । ତେଣୁ, ଭାରତ, ମ୍ୟାଁମାରର ଆମ ଭାଇ-ଭଉଣୀଙ୍କ ପାଇଁ ତୁରନ୍ତ ଅପରେଶନ୍ ବ୍ରହ୍ମା ଆରମ୍ଭ କଲା । ବାୟୁସେନାର ଉଡ଼ାଜାହାଜ ଠାରୁ ଆରମ୍ଭ କରି ନୌସେନାର ଜାହାଜ ଯାଏଁ, ମ୍ୟାଁମାରର ସାହାଯ୍ୟ ପାଇଁ ବାହାରିପଡ଼ିଲେ । ଭାରତୀୟ ଦଳ ସେଠାରେ ଗୋଟିଏ ଅସ୍ଥାୟୀ ଡାକ୍ତରଖାନା ତିଆରି କଲା । ଇଞ୍ଜିନିୟରମାନଙ୍କ ଗୋଟିଏ ଦଳ ଗୁରୁତ୍ୱପୂର୍ଣ୍ଣ କୋଠାବାଡ଼ି ଏବଂ ଭିତ୍ତିଭୂମିର ହେଇଥିବା କ୍ଷତିର ଆକଳନ କରିବାରେ ସାହାଯ୍ୟ କଲା । ଭାରତୀୟ ଦଳ ସେଠାରେ କମ୍ବଳ, ତମ୍ବୁ, ସ୍ଲିପିଂ ବ୍ୟାଗ୍, ଔଷଧ, ଖାଦ୍ୟସାମଗ୍ରୀ ସହ ଆହୁରି ଅନେକ କିଛି ଯୋଗାଇଦେଲା । ଏହି ସମୟରେ ଭାରତୀୟ ଦଳକୁ ସେଠାକାର ଲୋକେ ବହୁତ ପ୍ରଶଂସା କଲେ ।
ବନ୍ଧୁଗଣ, ଏ ସଙ୍କଟ ସମୟରେ ସାହସ, ଧୈର୍ଯ୍ୟ ଓ ବୁଦ୍ଧିମତ୍ତାର ଅନେକ ହୃଦୟସ୍ପର୍ଶୀ ଉଦାହରଣ ସାମ୍ନାକୁ ଆସିଥିଲା । ଭାରତୀୟ ଦଳ ଜଣେ ୭୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ଉଦ୍ଧାର କରିଛି, ଯିଏ ଭଗ୍ନସ୍ତୂପ ତଳେ ୧୮ ଘଣ୍ଟା ଧରି ଫସିରହିଥିଲେ । ଯେଉଁମାନେ ଏବେ ଟିଭିରେ ‘ମନ୍ କି ବାତ୍’ ଦେଖୁଛନ୍ତି, ସେମାନେ ସେହି ବୟସ୍କ ମହିଳାଙ୍କ ମୁହଁ ମଧ୍ୟ ଦେଖିପାରୁଥିବେ । ଭାରତରୁ ଯାଇଥିବା ଦଳ ତାଙ୍କର ଅମ୍ଳଜାନ ସ୍ତରକୁ ସ୍ଥିର ରଖିବା ଠାରୁ ଆରମ୍ଭ କରି ହାଡ଼ଭଙ୍ଗା ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ । ଯେତେବେଳେ ସେହି ବୃଦ୍ଧାଙ୍କୁ ଡାକ୍ତରଖାନାରୁ ଛୁଟି ମିଳିଲା, ସେ ଆମ ଦଳକୁ ବହୁତ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେ ଯେ ଭାରତୀୟ ଉଦ୍ଧାରକାରୀ ଦଳ ଯୋଗୁଁ ତାଙ୍କୁ ନୂଆ ଜୀବନ ମିଳିଛି । ଅନେକ ଲୋକ ଆମ ଦଳକୁ କହିଥିଲେ ଯେ ତାଙ୍କ ଯୋଗୁଁ ସେମାନେ ନିଜର ବନ୍ଧୁ ଓ ସମ୍ପର୍କୀୟମାନଙ୍କୁ ଖୋଜିପାଇଛନ୍ତି ।
ବନ୍ଧୁଗଣ, ଭୂମିକମ୍ପ ପରେ ମ୍ୟାଁମାର୍ର ମାଣ୍ଡ୍ଲେସ୍ଥିତ ଏକ Monastryରେ ମଧ୍ୟ ଅନେକ ଲୋକ ଫସିରହିଥିବା ଆଶଙ୍କା ଥିଲା । ଆମର ବନ୍ଧୁମାନେ ସେଠାରେ ମଧ୍ୟ ସହାୟତା ଓ ଉଦ୍ଧାର ଅଭିଯାନ ଚଳାଇଥିଲେ, ଯେଉଁଥିପାଇଁ ସେମାନେ ବୌଦ୍ଧଭିକ୍ଷୁ ମାନଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଥିଲେ । ଆମେ ‘ଅପରେସନ ବ୍ରହ୍ମା’ରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କ ପାଇଁ ଗର୍ବିତ । ଆମର ପରମ୍ପରା, ଆମର ସଂସ୍କାର ‘ବସୁଧୈବ କୁଟୁମ୍ବକମ୍’ର ଭାବନା- ସମଗ୍ର ବିଶ୍ୱ ଗୋଟିଏ ପରିବାର । ସଙ୍କଟ ସମୟରେ ବିଶ୍ୱ-ବନ୍ଧୁ ରୂପେ ଭାରତର ତତ୍ପରତା ଓ ମାନବିକତା ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଆମର ପରିଚୟ ପାଲଟିଛି ।
ବନ୍ଧୁଗଣ, ମୁଁ ଆଫ୍ରିକାର ଇଥିଓପିଆରେ ପ୍ରବାସୀ ଭାରତୀୟମାନଙ୍କର ଏକ ନୂତନ ପ୍ରୟାସ ବିଷୟରେ ଜାଣିପାରିଛି । ଇଥିଓପିଆରେ ରହୁଥିବା ଭାରତୀୟମାନେ ଜନ୍ମରୁ ହୃଦ୍ରୋଗରେ ଆକ୍ରାନ୍ତ ଶିଶୁମାନଙ୍କୁ ଚିକିତ୍ସା ପାଇଁ ଭାରତ ପଠାଇବାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଭଳି ଅନେକ ଶିଶୁଙ୍କୁ ଭାରତୀୟ ପରିବାରମାନେ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି । ଯଦି କୌଣସି ଶିଶୁର ପରିବାର ଆର୍ଥିକ ସମସ୍ୟା ଯୋଗୁଁ ଭାରତ ଆସିବାରେ ଅସମର୍ଥ, ତେବେ ଆମର ଭାରତୀୟ ଭାଇଭଉଣୀମାନେ ତା’ର ବ୍ୟବସ୍ଥା ମଧ୍ୟ କରୁଛନ୍ତି । ଉଦ୍ଦେଶ୍ୟ ହେଉଛି ଗୁରୁତର ରୋଗରେ ଜର୍ଜରିତ ଇଥିଓପିଆର ପ୍ରତ୍ୟେକ ଅଭାବଗ୍ରସ୍ତ ଶିଶୁଙ୍କୁ ଉତ୍ତମ ଚିକିତ୍ସା ମିଳୁ । ପ୍ରବାସୀ ଭାରତୀୟଙ୍କର ଏହି ଉତ୍ତମ କାର୍ଯ୍ୟକୁ ଇଥିଓପିଆରେ ପ୍ରଚୁର ପ୍ରଶଂସା ମିଳୁଛି । ଆପଣମାନେ ଜାଣନ୍ତି ଯେ ଭାରତର ଡାକ୍ତରୀ ଚିକିତ୍ସାରେ ନିରନ୍ତର ଉନ୍ନତି ହେଉଛି । ଅନ୍ୟ ଦେଶର ନାଗରିକମାନେ ମଧ୍ୟ ଏହାର ଲାଭ ଉଠାଉଛନ୍ତି ।
ବନ୍ଧୁଗଣ, କିଛିଦିନ ତଳେ ଭାରତ ଆଫଗାନିସ୍ତାନର ଲୋକଙ୍କ ପାଇଁ ବହୁ ପରିମାଣରେ ଟିକା ପଠାଇଛି । ଏହି ଟିକା ଜଳାତଙ୍କ, ଧନୁଷ୍ଟଙ୍କାର, ହେପାଟାଇଟିସ୍ ବି ଓ ଇନ୍‌ଫ୍ଲୁଏଞ୍ଜା ଭଳି ବିପଜ୍ଜନକ ରୋଗଗୁଡ଼ିକଠାରୁ ରକ୍ଷା କରିବ । ଭାରତ ଏ ସପ୍ତାହରେ ନେପାଳ ଅନୁରୋଧରେ ସେଠାକୁ ଔଷଧ ଓ ଟିକାର ବଡ଼ ଭଣ୍ଡାର ପଠାଇଛି । ଏହାଦ୍ୱାରା ଥାଲାସେମିଆ ଓ ରକ୍ତଶିକୁଳି ରୋଗରେ ଆକ୍ରାନ୍ତ ରୋଗୀଙ୍କର ଉତ୍ତମ ଚିକିତ୍ସା ସୁନିଶ୍ଚିତ ହୋଇପାରିବ । ଯେତେବେଳେ ମାନବତାର ସେବାର କଥା ଆସେ, ଭାରତ ସର୍ବଦା ଏଥିରେ ଆଗରେ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ଏହିପରି ପ୍ରତ୍ୟେକ ଆବଶ୍ୟକତାରେ ସର୍ବଦା ଆଗରେ ରହିବ ।
ବନ୍ଧୁଗଣ, ଆମେ ଏବେ ବିପର୍ଯ୍ୟୟ ପରିଚାଳନା ବିଷୟରେ କଥା ହେଉଥିଲେ । ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଉଛି- ଆପଣଙ୍କର ସତର୍କତା, ଆପଣଙ୍କର ସଚେତନତା । ଏହି ସତର୍କତାରେ ଏବେ ଆପଣଙ୍କୁ ଆପଣଙ୍କ ମୋବାଇଲ୍‌ର ଏକ ସ୍ୱତନ୍ତ୍ର ଆପ୍ ସାହାଯ୍ୟ କରିପାରିବ । ଏହି ଆପ୍ ଆପଣଙ୍କୁ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଫସି ରହିବାଠାରୁ ରକ୍ଷା କରିପାରିବ ଏବଂ ଏହାର ନାମ ହେଉଛି ‘ସଚେତ୍’ । ‘ସଚେତ୍’ ଆପ୍‌କୁ ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା (ଏନ୍‌ଡ଼ିଏମ୍ଏ) ପ୍ରସ୍ତୁତ କରିଛି । ବନ୍ୟା, ଘୂର୍ଣ୍ଣିବାତ୍ୟା, ଭୂସ୍ଖଳନ, ସୁନାମି, ବନାଗ୍ନି, ହିମସ୍ଖଳନ, ଝଡ଼ତୋଫାନ କିମ୍ବା ବଜ୍ରପାତ ଭଳି ବିପର୍ଯ୍ୟୟ ହେଉ, ସଚେତ୍ ଆପ୍ ଆପଣଙ୍କୁ ସବୁ ପ୍ରକାର ସୂଚନା ଦେଇ ଓ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଥାଏ । ଏହି ଆପ୍ ମାଧ୍ୟମରେ ଆପଣ ପାଣିପାଗ ବିଭାଗ ସହିତ ଜଡ଼ିତ ତାଜା ସୂଚନା ପାଇପାରିବେ । ବିଶେଷ କଥା ହେଉଛି ‘ସଚେତ୍’ ଆପ୍ ଆଞ୍ଚଳିକ ଭାଷାରେ ମଧ୍ୟ ଅନେକ ସୂଚନା ଉପଲବ୍ଧ କରାଇଥାଏ । ଆପଣ ମଧ୍ୟ ଏହି ଆପ୍‌ର ଲାଭ ଉଠାନ୍ତୁ ଏବଂ ଆପଣଙ୍କର ଅନୁଭୂତି ଆମ ସହିତ ନିଶ୍ଚିତ ଭାବେ ବାଣ୍ଟନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଆମେ ସମଗ୍ର ବିଶ୍ୱରେ ଭାରତର ପ୍ରତିଭାର ପ୍ରଶଂସା ଦେଖୁଛୁ । ଭାରତର ଯୁବକଯୁବତୀମାନେ ଭାରତ ପ୍ରତି ବିଶ୍ୱର ଦୃଷ୍ଟିକୋଣ ବଦଳାଇ ଦେଇଛନ୍ତି । ଯେକୌଣସି ଦେଶର ଯୁବକମାନଙ୍କର ଆଗ୍ରହ କେଉଁ ଦିଗରେ ରହିଛି, ସେଥିରୁ ଦେଶର ଭବିଷ୍ୟତ କିପରି ହେବ ସୂଚନା ମିଳିଥାଏ । ଆଜି ଭାରତର ଯୁବକମାନେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ଆଡ଼କୁ ଅଗ୍ରସର ହେଉଛନ୍ତି । ଯେଉଁ ଅଞ୍ଚଳଗୁଡ଼ିକ ପୂର୍ବରୁ ପଛୁଆ ଓ ଅନ୍ୟ କାରଣରୁ ପରିଚିତ ଥିଲା, ସେଠାରେ ମଧ୍ୟ ଯୁବକଯୁବତୀମାନେ ଏପରି ଉଦାହରଣ ପ୍ରସ୍ତୁତ କରିଛନ୍ତି ଯାହା ଆମକୁ ନୂଆ ଆତ୍ମବିଶ୍ୱାସ ଦେଇଥାଏ । ଛତିଶଗଡ଼ର ଦନ୍ତେୱାଡ଼ାର ବିଜ୍ଞାନ କେନ୍ଦ୍ର ଆଜିକାଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆଗରୁ ଦନ୍ତେୱାଡ଼ା କେବଳ ହିଂସା ଓ ଅଶାନ୍ତି ପାଇଁ ଜଣାଶୁଣା ଥିଲା, କିନ୍ତୁ ଏବେ ସେଠାରେ ଏକ ବିଜ୍ଞାନ କେନ୍ଦ୍ର ପିଲାମାନଙ୍କ ପାଇଁ ଓ ସେମାନଙ୍କ ପିତାମାତାଙ୍କ ପାଇଁ ଆଶାର ନୂଆ କିରଣ ହୋଇଛି । ଏହି ବିଜ୍ଞାନ କେନ୍ଦ୍ରକୁ ଯିବାକୁ ପିଲାଏ ବହୁତ ପସନ୍ଦ କରୁଛନ୍ତି । ସେମାନେ ଏବେ ନୂଆ ମେସିନ ତିଆରି କରିବାଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନୂଆ ଉତ୍ପାଦ ତିଆରି କରିବା ଶିଖୁଛନ୍ତି । ସେମାନଙ୍କୁ ଥ୍ରୀଡି ପ୍ରିଣ୍ଟର୍ ଓ ରୋବୋଟିକ୍ କାର୍ ସହିତ ଅନ୍ୟାନ୍ୟ ନୂତନ ଜିନିଷ ବିଷୟରେ ଜାଣିବାର ସୁଯୋଗ ମିଳିଛି । କିଛିଦିନ ତଳେ ମୁଁ ଗୁଜରାଟ ସାଇନ୍ସ ସିଟିରେ ମଧ୍ୟ ବିଜ୍ଞାନ ଗ୍ୟାଲେରୀଗୁଡ଼ିକର ଉଦ୍‌ଘାଟନ କରିଥିଲି । ଏହି ଗ୍ୟାଲେରୀଗୁଡ଼ିକରୁ ସଙ୍କେତ ମିଳେ ଯେ ଆଧୁନିକ ବିଜ୍ଞାନର ସମ୍ଭାବନା କ’ଣ, ବିଜ୍ଞାନ ଆମପାଇଁ କେତେ କ’ଣ କରିପାରିବ । ମୋତେ ସୂଚନା ମିଳିଛି ଯେ ଏହି ଗ୍ୟାଲେରୀ ସବୁକୁ ନେଇ ସେଠାକାର ଶିଶୁମାନଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ବିଜ୍ଞାନ ଓ ନବସୃଜନ ପ୍ରତି ବଢ଼ୁଥିବା ଏହି ଆଗ୍ରହ ନିଶ୍ଚିତ ଭାବେ ଭାରତକୁ ନୂଆ ଉଚ୍ଚତାକୁ ନେଇଯିବ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ସବୁଠାରୁ ବଡ଼ ଶକ୍ତି ହେଉଛି ଆମର ୧୪୦ କୋଟି ନାଗରିକ, ସେମାନଙ୍କର ସାମର୍ଥ୍ୟ ଏବଂ ସେମାନଙ୍କର ଇଚ୍ଛାଶକ୍ତି । ଯେତେବେଳେ କୋଟିକୋଟି ଲୋକ ଏକତ୍ର କୌଣସି ଅଭିଯାନରେ ଯୋଗ ଦିଅନ୍ତି, ତାହାର ପ୍ରଭାବ ବହୁତ ବଡ଼ ହୋଇଥାଏ । ଏହାର ଏକ ଉଦାହରଣ ହେଉଛି ‘ମାଆ ନାଁରେ ଗଛଟିଏ’- ଏହି ଅଭିଯାନ ସେହି ମାଆଙ୍କ ନାମରେ, ଯିଏ ଆମକୁ ଜନ୍ମ ଦେଇଛନ୍ତି ଓ ଏହା ସେହି ଧରିତ୍ରୀ ମାତାଙ୍କ ପାଇଁ ମଧ୍ୟ ଯିଏ ଆମକୁ ନିଜ କୋଳରେ ଧରି ରଖିଛନ୍ତି । ବନ୍ଧୁଗଣ, ଜୁନ ୫ରେ ‘ବିଶ୍ୱ ପରିବେଶ ଦିବସ’ରେ ଏହି ଅଭିଯାନର ଏକ ବର୍ଷ ପୂରଣ ହେଉଛି । ଏହି ବର୍ଷକ ମଧ୍ୟରେ ଏ ଅଭିଯାନ ଅଧୀନରେ ସମଗ୍ର ଦେଶରେ ମାଆଙ୍କ ନାମରେ ୧୪୦ କୋଟିରୁ ଅଧିକ ଚାରାରୋପଣ କରାଯାଇଛି । ଆପଣ ମଧ୍ୟ ଏହି ଅଭିଯାନର ଭାଗୀଦାର ହୁଅନ୍ତୁ, ଯାହା ଫଳରେ ଏକବର୍ଷ ପୂର୍ଣ୍ଣ ହେବାପରେ ଆପଣଙ୍କ ଅଂଶଗ୍ରହଣକୁ ନେଇ ଆପଣ ଗର୍ବ କରିପାରିବେ ।
ବନ୍ଧୁଗଣ, ଗଛଠାରୁ ଶୀତଳତା ମିଳେ, ଗଛ ଛାଇରେ ଗରମରୁ ମୁକ୍ତି ମିଳେ, ଏହା ଆମେ ସମସ୍ତେ ଜାଣିଛୁ । କିନ୍ତୁ କିଛିଦିନ ତଳେ ମୁଁ ଏହାସହିତ ଜଡ଼ିତ ଏକ ଖବର ଦେଖିଲି, ଯାହା ମୋର ଦୃଷ୍ଟି ଆକର୍ଷଣ କରିଥିଲା । ଗୁଜରାଟର ଅହମଦାବାଦ ସହରରେ ବିଗତ କିଛି ବର୍ଷ ମଧ୍ୟରେ ୭୦ ଲକ୍ଷରୁ ଅଧିକ ଗଛ ଲଗାଯାଇଛି । ଏସବୁ ଗଛ ଅହମ୍ମଦାବାଦରେ ସବୁଜ ଅଞ୍ଚଳକୁ ବହୁତ ବଢ଼ାଇ ଦେଇଛନ୍ତି । ଏହା ସହିତ ସାବରମତୀ ନଦୀକୂଳରେ River Front ସ୍ଥାପିତ ହେବାଦ୍ୱାରା ଏବଂ କାଙ୍କରିଆ ହ୍ରଦ ପରି କିଛି ହ୍ରଦମାନଙ୍କର ପୁନନିର୍ମାଣ ଦ୍ୱାରା ଏଠାରେ ଜଳାଶୟଗୁଡ଼ିକର ସଂଖ୍ୟା ମଧ୍ୟ ବଢ଼ିଯାଇଛି । ଏବେକାର news reports କହେ ଯେ ଗତ କିଛିବର୍ଷ ଭିତରେ ଅହମ୍ମଦାବାଦ ବିଶ୍ୱ ତାପମାନ ସହିତ ଲଢ଼ୁଥିବା ପ୍ରମୁଖ ସହରମାନଙ୍କ ମଧ୍ୟରେ ଗୋଟିଏ ହୋଇଛି । ଏହି ପରିବର୍ତ୍ତନ ଫଳରେ ବାତାବରଣରେ ଆସିଥିବା ଶୀତଳତାକୁ ସେଠାକାର ଲୋକମାନେ ଅନୁଭବ କରୁଛନ୍ତି । ଅହମ୍ମଦାବାଦରେ ଲାଗିଥିବା ଗଛଗୁଡ଼ିକ ସେଠାରେ ଗୋଟିଏ ନୂତନ ଖୁସିର ବାତାବରଣ ସୃଷ୍ଟି କରିବାର କାରଣ ହୋଇପାରିଛି । ମୋର ଆପଣମାନଙ୍କୁ ପୁନଃ ଅନୁରୋଧ କରିବାକୁ ଚାହେଁ ଯେ, ପୃଥିବୀର ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ଜଳବାୟୁ ପରିବର୍ତ୍ତନର ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ନିମନ୍ତେ ଏବଂ ନିଜର ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ନିଶ୍ଚୟ ଗଛ ଲଗାନ୍ତୁ ‘ଏକ ପେଡ୍ – ମା’ କେ ନାମ୍’ ।
ବନ୍ଧୁଗଣ, ଗୋଟିଏ ପୁରୁଣା ଲୋକଉକ୍ତି ଅଛି ‘ଯହାଁ ଚାହ୍ଅ – ୱହାଁ ରାହ୍’ ଅର୍ଥାତ୍ ଇଚ୍ଛା ଥିଲେ ଉପାୟ ନିଶ୍ଚୟ ମିଳିବ । ଯେତେବେଳେ ଆମେ କିଛି ଗୋଟିଏ ନୂଆ କରିବାର ସଂକଳ୍ପ କରିନିଅନ୍ତି ସେତେବେଳେ ଲକ୍ଷ୍ୟପ୍ରାପ୍ତି ନିଶ୍ଚୟ ହୁଏ । ଆପଣମାନେ ପାହାଡ଼ରେ ଅମଳ ହେଉଥିବା ସେଓ ତ ଖୁବ୍ ଖାଇଥିବେ । କିନ୍ତୁ ଯଦି ମୁଁ ପଚାରେ ଯେ ଆପଣ କର୍ଣ୍ଣାଟକର ସେଓର ସ୍ୱାଦ ଚାଖିଛନ୍ତି କି ? ସେତେବେଳେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ଆମେ ଜାଣିଥାଉ ଯେ ପାହାଡ଼ିଆ ଅଞ୍ଚଳରେ ହିଁ ସେଓର ଉତ୍ପାଦନ ହୋଇଥାଏ । କିନ୍ତୁ କର୍ଣ୍ଣାଟକର ବାଗଲକୋଟର ଅଧିବାସୀ ଶୈଳ ତେଲୀ ଜୀ ଏବେ ସମତଳ ଭୂମିରେ ସେଓ ଉତ୍ପାଦନ କରିପାରିଛନ୍ତି । ତାଙ୍କ ଗାଁ କୁଲାଲୀରେ ୩୫ ଡିଗ୍ରୀରୁ ଅଧିକ ତାପମାତ୍ରାରେ ମଧ୍ୟ ସେଓ ଗଛ ଗୁଡ଼ିକରେ ସେଓ ଫଳିବାକୁ ଲାଗିଲାଣି । ବାସ୍ତବରେ ଶୈଳ ତେଲୀଙ୍କର ଚାଷବାସରେ ଆଗ୍ରହ ଥିଲା ସେ ସେଓ ଉତ୍ପାଦନ କରି ଦେଖିବାକୁ ଚେଷ୍ଟା କଲେ ଏବଂ ଏଥିରେ ତାଙ୍କୁ ସଫଳତା ମଧ୍ୟ ମିଳିଲା । ଆଜି ସେ ଲଗାଇଥିବା ସେଓ ଗଛ ଗୁଡ଼ିକରେ ପ୍ରଚୁର ପରିମାଣର ସେଓ ଉତ୍ପାଦନ ହେଉଛି ଯାହା ବିକ୍ରୟ ଦ୍ୱାରା ସେ ଭଲ ରୋଜଗାର ମଧ୍ୟ ପାଉଛନ୍ତି ।
ବନ୍ଧୁଗଣ, ଯେତେବେଳେ ସେଓ ବିଷୟରେ ଚର୍ଚ୍ଚା ହେଉଛି ତ ଆପଣ କିନ୍ନୌରୀ ସେଓର ନାମ ନିଶ୍ଚୟ ଶୁଣିଥିବେ । ସେଓ ପାଇଁ ପ୍ରସିଦ୍ଧ କିନ୍ନୌରରେ କେସର ଉତ୍ପାଦନ ହେବାକୁ ଲାଗିଲାଣି । ସାଧାରଣ ଭାବରେ ହିମାଚଳରେ କେସର ଚାଷ ଖୁବ୍ କମ୍ ହେଉଥିଲା । କିନ୍ତୁ ଏବେ କିନ୍ନୌର ସୁନ୍ଦର ସାଙ୍ଗଲା ଘାଟିରେ ମଧ୍ୟ କେସର ଚାଷ ହେବାକୁ ଲାଗିଲାଣି । ଏଭଳି ଆଉ ଏକ ଉଦାହରଣ କେରଳର ୱାୟନାଡରେ ମଧ୍ୟ ଦେଖାଯାଏ । ଏଠାରେ ମଧ୍ୟ କେସର ଉତ୍ପାଦନରେ ସଫଳତା ମିଳିଛି । ଏବଂ ୱାୟନାଡରେ ଏହି କେସର କୌଣସି କ୍ଷେତ ବା ମାଟିରେ ନୁହେଁ ବରଂ Aeroponics Technique ଦ୍ୱାରା ଉତ୍ପାଦନ କରାଯାଉଛି । ଲିଚୁ ଉତ୍ପାଦନ କ୍ଷେତ୍ରରେ ମଧ୍ୟ କିଛି ଏହିଭଳି ଆଶ୍ଚର୍ଯ୍ୟଜନକ ଫଳ ମିଳିଛି । ଆମେ ତ ଶୁଣିଆସୁଛୁ ଯେ ବିହାର, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରେ ଲିଚୁ ଉତ୍ପାଦିତ ହୁଏ । କିନ୍ତୁ ଏବେ ଲିଚୁର ଉତ୍ପାଦନ ଦକ୍ଷିଣ ଭାରତ ଏବଂ ରାଜସ୍ଥାନରେ ମଧ୍ୟ ହେଉଛି । ତାମିଲନାଡୁର ଶ୍ରୀ ତିରୁ ବିରା ଅରାସୁ, କଫିଚାଷ କରୁଥିଲେ । କୋଡ଼ାଇକେନାଲରେ ସେ ଲିଚୁର ଗଛ ଲଗାଇଲେ ଏବଂ ତାଙ୍କର ୭ ବର୍ଷର ପରିଶ୍ରମ ପରେ ଏବେ ସେହି ଗଛଗୁଡ଼ିକରେ ଫଳ ଫଳିବାକୁ ଲାଗିଲାଣି । ଲିଚୁ ଉତ୍ପାଦନରେ ମିଳିଥିବା ଏହି ସଫଳତା ଆଖପାଖର ଅନ୍ୟ କୃଷକମାନଙ୍କୁ ମଧ୍ୟ ପ୍ରେରିତ କରିଛି । ରାଜସ୍ଥାନରେ ଜିତେନ୍ଦ୍ର ସିଂହ ରାଣାୱତଙ୍କୁ ଲିଚୁ ଉତ୍ପାଦନରେ ସଫଳତା ମିଳିଛି । ଏ ସମସ୍ତ ଉଦାହରଣ ଖୁବ୍ ପ୍ରେରଣାଦାୟକ । ଯଦି ଆମେ କିଛି ନୂଆ କରିବାକୁ ଲକ୍ଷ୍ୟ ରଖୁ ଏବଂ ଅସୁବିଧା ସତ୍ତ୍ୱେ ବି ସେଥିରେ ଲାଗିରହୁ ତେବେ ଅସମ୍ଭବକୁ ମଧ୍ୟ ସମ୍ଭବ କରାଯାଇପାରିବ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଏପ୍ରିଲ ମାସର ଶେଷ ରବିବାର । କିଛିଦିନ ପରେ ମଇ ମାସ ଆରମ୍ଭ ହେବାକୁ ଯାଉଛି । ମୁଁ ଆପଣମାନଙ୍କୁ ଆଜିଠାରୁ ପାଖାପାଖି ୧୦୮ ବର୍ଷ ପୂର୍ବକୁ ନେଇଯାଉଛି । ବର୍ଷ ୧୯୧୭, ଏପ୍ରିଲ ଓ ମଇ ମାସ ଏହି ଦୁଇ ମାସ ଦେଶର ସ୍ୱାଧୀନତା ପାଇଁ ଏକ ଅପୂର୍ବ ସଂଗ୍ରାମ ଲଢ଼ାଯାଇଥିଲା । ଇଂରେଜମାନଙ୍କର ଅତ୍ୟାଚାର ଶେଷସୀମାରେ ଥିଲା । ଗରିବ, ବଂଚିତ ଏବଂ କୃଷକମାନଙ୍କର ଶୋଷଣ ଅମାନବୀୟ ସ୍ତରକୁ ମଧ୍ୟ ଟପିଯାଇଥିଲା । ବିହାରର ଉର୍ବର ମାଟିରେ ଏହି ଇଂରେଜମାନେ କୃଷକମାନଙ୍କୁ ନୀଳଚାଷ କରିବାକୁ ବାଧ୍ୟ କରୁଥିଲେ । ନୀଳଚାଷ କରିବା ଦ୍ୱାରା କୃଷକମାନଙ୍କର ଜମି ଅନୁର୍ବର ହୋଇଯାଉଥିଲା । କିନ୍ତୁ ଇଂରେଜ ଶାସକମାନେ ଏଥିପ୍ରତି ଧ୍ୟାନ ଦେଉନଥିଲେ । ଏଭଳି ପରିସ୍ଥିତିରେ ୧୯୧୭ ମସିହାରେ ଗାନ୍ଧିଜୀ ବିହାରର ଚମ୍ପାରନରେ ପହଂଚିଥିଲେ । କୃଷକମାନେ ଗାନ୍ଧିଜୀଙ୍କୁ କହିଲେ – ଆମ ଜମି ନଷ୍ଟ ହୋଇଯାଉଛି, ଖାଇବା ପାଇଁ ଖାଦ୍ୟ ମିଳୁନି । ଲକ୍ଷ ଲକ୍ଷ କୃଷକମାନଙ୍କର ସେହି ପୀଡ଼ା ଦେଖି ଗାନ୍ଧିଜୀଙ୍କ ମନରେ ଏକ ସଂକଳ୍ପ ଜାଗ୍ରତ ହେଲା । ସେହିଠାରୁ ଚମ୍ପାରଣର ଐତିହାସିକ ସତ୍ୟାଗ୍ରହ ଆରମ୍ଭ ହେଲା । ‘ଚମ୍ପାରଣ ସତ୍ୟାଗ୍ରହ’ ବାପୁଙ୍କର ଭାରତରେ ପ୍ରଥମ ବଡ଼ ପ୍ରୟୋଗ ଥିଲା । ବାପୁଙ୍କ ସତ୍ୟାଗ୍ରହ ଦ୍ୱାରା ପୁରା ଇଂରେଜ ଶାସନ ଦୋହଲିଗଲା । ଇଂରେଜମାନେ ନୀଳଚାଷ କରିବା ପାଇଁ କୃଷକମାନଙ୍କୁ ବାଧ୍ୟ କରିବାର ଆଇନକୁ ସ୍ଥଗିତ କରିବାକୁ ବାଧ୍ୟ ହେଲେ । ଏହା ଏକ ଏଭଳି ବିଜୟ ଥିଲା ଯାହାକି ସ୍ୱାଧୀନତା ସଂଗ୍ରାମରେ ଗୋଟିଏ ନୂତନ ବିଶ୍ୱାସ ଜାଗ୍ରତ କଲା । ଆପଣମାନେ ଜାଣିଥିବେ ଏହି ସତ୍ୟାଗ୍ରହରେ ବିହାରର ଆଉ ଜଣେ ସୁପୁତ୍ରଙ୍କର ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ଯେକି ସ୍ୱାଧୀନତା ପରେ ଦେଶର ପ୍ରଥମ ରାଷ୍ଟ୍ରପତି ହେଲେ ସେହି ମହାନ ବିଭୂତି ହେଉଛନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ । ସେ ଚମ୍ପାରଣ ସତ୍ୟାଗ୍ରହ ଉପରେ ‘Satyagraha in Champaran’ ନାମକ ପୁସ୍ତକ ମଧ୍ୟ ରଚନା କରିଥିଲେ । ଏହି ପୁସ୍ତକ ସମସ୍ତ ଯୁବବର୍ଗ ପଢ଼ିବା ଉଚିତ । ଭାଇ ଓ ଭଉଣୀମାନେ, ଏପ୍ରିଲ ମାସ ସହିତ ସ୍ୱାଧୀନତା ସଂଗ୍ରାମର ଅନେକ ଅଭୁଲା ସ୍ମୃତି ଯୋଡ଼ିହୋଇରହିଛି । ଏପ୍ରିଲ ମାସ ୬ ତାରିଖରେ ହିଁ ଗାନ୍ଧିଜୀଙ୍କର ‘ଦାଣ୍ଡିଯାତ୍ରା’ ସମାପ୍ତ ହୋଇଥିଲା । ୧୨ ମାର୍ଚ୍ଚରୁ ଆରମ୍ଭ ହୋଇ ୨୪ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଯାତ୍ରା ଇଂରେଜମାନଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲା । ଏପ୍ରିଲ ମାସରେ ହିଁ ଜାଲିୟାଁୱାଲାବାଗ ନରସଂହାର ହୋଇଥିଲା । ପଞ୍ଜାବର ମାଟି ଉପରେ ଏହି ରକ୍ତରଞ୍ଜିତ ଇତିହାସର ଚିହ୍ନ ଆଜି ମଧ୍ୟ ମହଜୁଦ ଅଛି ।
ବନ୍ଧୁଗଣ କିଛିଦିନ ମଧ୍ୟରେ, ମଇ ୧୦ ତାରିଖକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ବର୍ଷପୂର୍ତ୍ତି ମଧ୍ୟ ଆସୁଅଛି । ସ୍ୱାଧୀନତାର ସେହି ପ୍ରଥମ ସଂଗ୍ରାମରେ ଯେଉଁ ଶିଖା ଉଠିଥିଲା ଆଗକୁ ଯାଇ ତାହା ଲକ୍ଷ ଲକ୍ଷ ସେନାନୀମାନଙ୍କ ପାଇଁ ମଶାଲ ପାଲଟିଯାଇଥିଲା । ଏବେ ଏପ୍ରିଲ ୨୬ ତାରିଖରେ ଆମେ ୧୮୫୭ ବିଦ୍ରୋହର ମହାନ ନାୟକ ବାବୁ ବୀର କୁୱଁର ସିଂହ ଜୀଙ୍କ ପୁଣ୍ୟତିଥି ମଧ୍ୟ ପାଳନ କରିଥିଲୁ । ବିହାରର ଏହି ମହାନ ସେନାନୀଙ୍କ ଜୀବନ ସାରା ଦେଶ ପାଇଁ ପ୍ରେରଣାର ଉତ୍ସ । ଆମକୁ ଏହିଭଳି ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅମର ପ୍ରେରଣାକୁ ଜୀବିତ ରଖିବାକୁ ପଡିବ । ସେମାନଙ୍କଠାରୁ ଆମକୁ ଶକ୍ତି ମିଳେ, ଯାହା ଆମର ଅମୃତକାଳର ସଂକଳ୍ପକୁ ଏକ ନୂତନ ଶକ୍ତି ପ୍ରଦାନ କରେ ।
ବନ୍ଧୁଗଣ, ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାରେ ଆପଣମାନେ ଏହି କାର୍ଯ୍ୟକ୍ରମ ସହିତ ଏକ ଆତ୍ମୀକ ସମ୍ପର୍କ ସୃଷ୍ଟି କରିଛନ୍ତି । ଦେଶବାସୀଗଣ ଯେଉଁ ଉପଲବଧିକୁ ଅନ୍ୟମାନଙ୍କୁ ଜଣାଇବାକୁ ଚାହାଁନ୍ତି ତାକୁ ‘ମନ୍ କି ବାତ୍’ ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚାନ୍ତି । ଆସନ୍ତା ମାସରେ ଆମେ ପୁଣି ମିଶିକରି ଦେଶର ବିବିଧତା, ଗୌରବଶାଳୀ ପରମ୍ପରା ଏବଂ ନୂତନ ଉପଲବ୍ଧିଗୁଡ଼ିକ ବିଷୟରେ କଥାହେବା । ଆମେ ସେହିଭଳି ଲୋକମାନଙ୍କ ବିଷୟରେ ଜାଣିବା ଯେଉଁମାନେ ନିଜର ସମର୍ପଣ ଏବଂ ସେବା ଭାବନା ଦ୍ୱାରା ସମାଜରେ ପରିବର୍ତ୍ତନ ଆଣିପାରୁଛନ୍ତି । ପ୍ରତ୍ୟେକ ଥର ଭଳି ଆପଣ ମୋତେ ଆପଣଙ୍କ ବିଚାର ଏବଂ ପରାମର୍ଶ ପଠାନ୍ତୁ । ଧନ୍ୟବାଦ, ନମସ୍କାର ।

Leave A Reply

Your email address will not be published.