ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ କବି ଗଣେଶ ବାରିକଙ୍କ ଅନୁବାଦ କବିତା ସଂକଳନ ‘ସାଁପ୍ ଡେରନାର ଖେଲ୍’ ଲୋକାର୍ପିତ ହୋଇଯାଇଛି । କବି ସୁଶାନ୍ତ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କବି ତଥା ଅନୁବାଦକ ଭାଗିରଥି ମିଶ୍ର, ମୁଖ୍ୟବକ୍ତା ଭାବରେ କବି ଗାଳ୍ପିକ ଓ ସମୀକ୍ଷକ ହିମାଂଶୁ ପରିଡ଼ା ଓ ସମ୍ମାନିତ ଅତିଥି ଭାବରେ ମୂଳ ବହିର ଲେଖକ କବି ମନୋରଞ୍ଜନ ସାହୁ ଯୋଗଦାନ କରିଥିବା ବେଳେ ପ୍ରଥମେ ଇଂରାଜୀ ଭାଷାରେ ଅନୁବାଦ କରିଥିବା କବି ପିତାମ୍ବର ନାଏକ ହାଇଦ୍ରାବାଦରୁ ବହି ସମ୍ପର୍କରେ ନିଜର ଦେଇଥିବା ବାର୍ତ୍ତାକୁ ଗଣେଶ ବାରିକ୍ ପଢ଼ି ଶୁଣାଇଥିଲେ । ପରେ ଅନୁବାଦ ସାହିତ୍ୟ ଲେଖିବା କେତେ କାଠିକର ପାଠ ଏବଂ ଅନୁବାଦ ସାହିତ୍ୟର ସୌନ୍ଦର୍ଯ୍ୟ ଆଉ ଅନୁବାଦ ସାହିତ୍ୟର ଭୂମିକା ଏବଂ ଭାଷା ସହ ଭାଷାର ସମ୍ପର୍କ ପାଇଁ ଅନୁବାଦ କେତେ ଜରୁରୀ ସେଇ ବାବଦରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉନ୍ମୋଚନ ପୁସ୍ତକର ଅନୁବାଦ କବିତାମାନଙ୍କୁ କବି ରମାକାନ୍ତ ନାଏକ ଓ କବି ସୁଜିତ୍ କୁମାର ଶତପଥୀ ଆବୃତ୍ତି କରିଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ କବି ରତ୍ନମୟ ତ୍ରିପାଠୀ । ଶେଷରେ ଗଣେଶ ବାରିକ ଧନ୍ୟବାଦ ଦେଇଥିଲେ । ମଧ୍ୟାନ୍ନ ଭୋଜନ ପରେ ଏକ ବର୍ଣ୍ଣାଢ଼୍ୟ କବିତା ଆସର ଅନୁଷ୍ଠିତ ହୋଇଥିଲା । କବି ପ୍ରହ୍ଲାଦ ଶତପଥୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଅନୁବାଦିକା ତଥା କବିୟତ୍ରୀ ସଂଘମିତ୍ରା ଦାଶ, ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଶିବ ପ୍ରସାଦ ସା ଯୋଗଦେଇଥିଲେ । ପ୍ରଥମେ କବି ମନୋରଞ୍ଜନ ସାହୁ ଉନ୍ମୋଚନ ପୁସ୍ତକର ଶୀର୍ଷକ କବିତା ପଡ଼ିଥିବା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ମୁଖ୍ୟ ରୁପଧର ଗମାଙ୍ଗ ହିନ୍ଦୀ ଅନୁବାଦ କବିତା ପଢ଼ିଥିଲେ । ଏହି ସଭାରେ ଭୀମଭୋଇ, ଗଙ୍ଗାଧର ମେହେରଙ୍କ ଠାରୁ ଆରମ୍ଭ କରି କବି ପାବ୍ଲୋ ନେରୁଦା ଯାଏଁ ସମସ୍ତଙ୍କର କବିତା ଆବୃତ୍ତି କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ବିଭାର, ଦିଲ୍ଲୀପ ପୁରୋହିତ, ରମାକାନ୍ତ ସାହୁ, ପ୍ରିୟତୋଷ ଦଳାଇ, ତପସ୍ୱିନୀ ପଶାୟତ, ବାସନ୍ତୀ ମଂଜୁରୀ ହନୁମାନ, ଦିଲ୍ଲୀପ ପଶାୟତ, ମଧୁସୂଦନ ଦାଶ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ ପ୍ରମୁଖ କବିତା ଆବୃତ୍ତି କରିଥିଲେ । କବିତା ସବୁକୁ ସଂଯୋଜନା କରିଥିଲେ କବି ଚନ୍ଦନ ନାଗ ଓ କବି ନିର୍ମାଲ୍ୟ ସ୍ୱାଇଁ । କାର୍ଯ୍ୟକ୍ରମକୁ ଆଶୁତୋଷ ମିଶ୍ର, ଗଣେଶରାମ ମିଶ୍ର, କର୍ଣ୍ଣ ବାରିକ୍ ସହଯୋଗ କରିଥିଲେ ।