tur
shyamlal

ଆସାମ ପାଇଁ ଉନ୍ନତ ରେଳ ସଂଯୋଗ : ୩ଟି ନୂଆ ଟ୍ରେନର ଶୁଭାରମ୍ଭ ସହ ୭୨ କୋଟି ଟଙ୍କାର ରୋଡ୍ ଓଭର ବ୍ରିଜ୍ ଲୋକାର୍ପିତ

ନୂଆଦିଲ୍ଲୀ, (ପିଆଇବି) : ରେଳ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ, ଆସାମରେ ୩ଟି ନୂଆ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଏଥିସହିତ ଉତ୍ତର ପୂର୍ବ ସୀମାନ୍ତ ରେଳପଥ ଦ୍ୱାରା ନିର୍ମିତ ଟେଟେଲିଆ ଷ୍ଟେସନ ୟାର୍ଡରେ ଏକ ନୂତନ ରୋଡ୍ ଓଭର ବ୍ରିଜ୍ (ଆର୍‌ଓବି) ଗୁଆହାଟୀରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଲୋକାର୍ପଣ କାର୍ଯ୍ୟକ୍ରମରେ ଆସାମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱ ଶର୍ମା, ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବୈଦେଶିକ ବ୍ୟାପାର ଏବଂ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିତା ଗୁଆହାଟୀ ରେଳ ଷ୍ଟେସନରେ ଉପସ୍ଥିତ ରହିଥିଲେ । ଅନ୍ୟାନ୍ୟ ସ୍ଥାନରେ ଅନ୍ୟ ସାଂସଦ/ବିଧାୟକମାନେ ଉପସ୍ଥିତ ଥିଲେ । ନୂତନ ଭାବେ ଆରମ୍ଭ ହୋଇଥିବା ଟ୍ରେନ୍ ଗୁଡ଼ିକ ମଧ୍ୟରେ ଟ୍ରେନ୍ ନମ୍ବର ୫୫୮୧୮/୫୫୮୧୭ (ଗୁଆହାଟୀ- ନ୍ୟୁ ବଙ୍ଗାଇଗାଓଁ-ଗୌହାଟୀ) ଦୈନିକ ପାସେଞ୍ଜର, ଟ୍ରେନ୍ ନମ୍ବର ୧୫୯୧୧/୧୫୯୧୨ (ତିନସୁକିଆ- ନହରଲାଗୁନ-ତିନସୁକିଆ) ତ୍ରି-ସାପ୍ତାହିକ ଏକ୍ସପ୍ରେସ୍ ଏବଂ ଟ୍ରେନ୍ ନମ୍ବର ୧୨୦୪୭/୧୨୦୪୮ (ଗୁଆହାଟୀ- ଉତ୍ତର ଲକ୍ଷ୍ମୀପୁର-ଗୌହାଟୀ) ଦ୍ୱି-ସାପ୍ତାହିକ ଜନଶତାବ୍ଦୀ ଏକ୍ସପ୍ରେସ୍ ଅନ୍ତର୍ଭୁକ୍ତ । ସମାରୋହରେ ରେଳମନ୍ତ୍ରୀ କହିଥିଲେ ଯେ ଏହି ସେବା ଆଞ୍ଚଳିକ ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ଆସାମ ଓ ଆଖପାଖ ଅଞ୍ଚଳରେ ଯାତ୍ରୀମାନଙ୍କ ପାଇଁ ଯାତ୍ରା ବିକଳ୍ପରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି । ଏହାବ୍ୟତୀତ ଉତ୍ତର-ପୂର୍ବ ସୀମାନ୍ତ ରେଳପଥ ଦ୍ୱାରା ନିର୍ମିତ ଟେଟେଲିଆ ଷ୍ଟେସନ ୟାର୍ଡରେ ଏକ ନୂତନ ରୋଡ୍ ଓଭର ବ୍ରିଜ୍ (ଆରଓବି)କୁ ଏହି ସମାରୋହରେ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉତ୍ସର୍ଗ କରାଯାଇଛି । ଉତ୍ତର-ପୂର୍ବ ସୀମାନ୍ତ ରେଳପଥ ଟେଟେଲିଆ ଷ୍ଟେସନ ୟାର୍ଡରେ ଥିବା ଲେଭେଲ କ୍ରସିଂ ଗେଟ୍ ନଂ ଏସଟି-୨୨ ସ୍ଥାନରେ ମୋଟ ୭୨ କୋଟି ଟଙ୍କା ବ୍ୟୟରେ ଆର୍‌ଓବି (ନଂ ୫୯ଏ) ନିର୍ମାଣ କରିଥିଲା । ଏହି କାର୍ଯ୍ୟକ୍ରମରେ ଉତ୍ତର-ପୂର୍ବ ସୀମାନ୍ତ ରେଳପଥର ମହାପ୍ରବନ୍ଧକ ଚେତନ କୁମାର ଶ୍ରୀବାସ୍ତବ, ଉତ୍ତର ପୂର୍ବ ସୀମାନ୍ତ ରେଳପଥ (ନିର୍ମାଣ)ର ମହାପ୍ରବନ୍ଧକ ଅରୁଣ କୁମାର ଚୌଧୁରୀଙ୍କ ସମେତ ମୁଖ୍ୟାଳୟ ଓ ଡିଭିଜନର ବରିଷ୍ଠ ଅଧିକାରୀ, ସ୍ଥାନୀୟ ସାଂସଦ/ବିଧାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.